ବେଧଡ଼କ ଚାଲିଛି ଅଫ୍‌ଲାଇନ ପରୀକ୍ଷା; ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜି ଲଗାଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ

Advertisment

ଆର୍‌ଏମ୍‌ସି ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ବାଡ୍‌ ସବୁ ଜାଣି ଚୁପ୍‌!

ଆର୍‌ଏମ୍‌ସି ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ବାଡ୍‌ ସବୁ ଜାଣି ଚୁପ୍‌!

ବେଧଡ଼କ ଚାଲିଛି ଅଫ୍‌ଲାଇନ ପରୀକ୍ଷା; ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜି ଲଗାଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ

ରାଉରକେଲା: ଆସନ୍ତା ୭ ତାରିଖରୁ ରାଜ୍ୟରେ ଅଷ୍ଟମରୁ ଉର୍ଦ୍ଧ୍ବ ଶ୍ରେଣୀ ଛାତ୍ରଛାତ୍ରୀ ଓ ସପ୍ତମରୁ ତଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଫେବ୍ରୁଆରି ୧୪ ତାରିଖରୁ ସ୍କୁଲ ଖୋଲିବ। ଏନେଇ ଆଜି ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ଏବେ ବି କୋଭିଡ୍‌ ନିୟମ ଅନୁଯାୟୀ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତୃତୀୟ ଲହର ଆରମ୍ଭ ହେବା ପୂର୍ବରୁ ସରକାର ଏହି ବନ୍ଦ ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ ଇସ୍ପାତ ସହରର କିଛି ବେସରକାରୀ ସ୍କୁଲ କର୍ତୃପକ୍ଷ ଖୋଲା କରୁଛନ୍ତି। କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜି ଲଗାଇ ଅଫଲାଇନ୍‌ରେ ପରୀକ୍ଷା ପରିଚାଳନା କରୁଥିବା ଦେଖିବାକୁ ମିଳିଛି।

ସେକ୍ଟର-୨୧ରେ ଗୁରୁନାନକ ପବ୍ଲିକ ସ୍କୁଲ। ଗତକାଲିଠାରୁ ସ୍କୁଲର ଦଶମ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଟେଷ୍ଟ୍‌ ପରୀକ୍ଷା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ ପୂର୍ବାହ୍ନ ୯ଟାରୁ ସ୍କୁଲରେ ପହଞ୍ଚି ଦିନ ସାଢ଼େ ୧୨ଟା ଯାଏଁ ରହୁଛନ୍ତି। ସେହିଭଳି ସେକ୍ଟର-୧୯ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ମଧ୍ୟ କୋଭିଡ୍‌ ନିୟମକୁ ଚୂଳିକି ଫିଙ୍ଗି ଦିଆଯାଇଛି। ଏଠାରେ ବେଧଡ଼କ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମକ୍‌ ଟେଷ୍ଟ୍‌ ପରିଚାଳିତ ହେଉଛି। ଛାତ୍ରଛାତ୍ରୀ ପୂର୍ବାହ୍ନରେ ୧୦/ସାଢ଼େ ୧୦ରେ ସ୍କୁଲରେ ପହଞ୍ଚି ପୂର୍ବାହ୍ନ ୧୧ଟାରୁ ୧୨ ଟା ଯାଏଁ ପରୀକ୍ଷାର ସମ୍ମୁଖୀନ ହେଉଛନ୍ତି।

publive-image

ଅଫଲାଇନରେ ପରୀକ୍ଷା କରିବାକୁ ସ୍କୁଲ କର୍ତୃପକ୍ଷ ଅଘୋଷିତ ନିର୍ଦ୍ଧେଶ ଦେବାସହ ଚାପ ପ୍ରୟୋଗ କରୁଥିବାରୁ ଛାତ୍ରଛାତ୍ରୀ ଅନିଚ୍ଛାସତ୍ତ୍ବେ ବାଧ୍ୟହୋଇ ସ୍କୁଲକୁ ଆସୁଛି। ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ, ବିଶେଷକରି ଇସ୍ପାତ ସହରରେ କୋଭିଡ୍‌ ସଂକ୍ରମଣ ଅଧିକ ରହିଛି। ଏଭଳି ସମୟରେ ଅଫଲାଇନ୍‌ ପରୀକ୍ଷା ହେଲେ ଛାତ୍ରଛାତ୍ରୀ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏହି ଯୁକ୍ତି ନେଇ ଅଭିଭାବକମାନେ ଅଫ୍‌ଲାଇନ ପରୀକ୍ଷା ବନ୍ଦ କରିବାକୁ ସ୍କୁଲ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି କର୍ତୃପକ୍ଷ ଏହି ଅନୁରୋଧକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରି ଅଫଲାଇନ ପରୀକ୍ଷା ପରିଚାଳନା କରୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ପ୍ରକାଶଥାଉକି, କୋଭିଡ୍‌ ନିୟମ ଉଲ୍ଲଂଘନ ନାଁରେ ଛୋଟ ଛୋଟ ପାନଗୁମୁଟି, ରାସନ ଦୋକାନିଙ୍କୁ ନାଲି ଆଖି ଦେଖାଇ ଜରିମାନା ଆଦାୟ କରିଥିଲା ଆର୍‌ଏମ୍‌ସି ଏନଫୋର୍ସମେଣ୍ଟ୍‌ ସ୍କ୍ବାଡ୍‌। ଏମିତିକି ଦୋକାନି-ଏନ୍‌ଫେର୍ସମେଣ୍ଟ୍‌ ସ୍କ୍ବାଡ୍‌ର ଯୁକ୍ତିତର୍କ ବିଗତ ଦିନରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଏହି ସ୍କ୍ବାଡ୍‌ ବଡ଼ ବଡ଼ ସପିଂମଲ୍‌, ବ୍ୟବସାୟିକ ପ୍ରତିଷ୍ଠାନକୁ ଅଯାଚିତ ଅନୈତିକ ସମର୍ଥନ ଦେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଆଉ କାହାକୁ ଅଛପା ନାହିଁ। ଠିକ୍‌ ସମାନ ଢ଼ଙ୍ଗରେ ଏବେ ଏହି ସ୍କୁଲ କର୍ତୃପକ୍ଷଙ୍କ କ୍ଷେତ୍ରରେ ମଧ୍ୟ ସମାନ ନୀତି ଆପଣେଇଥିବା କାର୍ଯ୍ୟକଳାପରୁ ସ୍ପଷ୍ଟ ଅନୁମେୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe