Sambad English
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଜୁଲାଇ ୩୦ରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଅଫ୍ଲାଇନ୍ ମାଟ୍ରିକ୍ ପରୀକ୍ଷା ପାଇଁ ଜୁଲାଇ ୨୦ତାରିଖ ମଧ୍ୟରେ କେନ୍ଦ୍ର ଚୟନ ଚୂଡାନ୍ତ ହେବ। ସେହିପରି ଏହି ପରୀକ୍ଷାଫଳ ଆସନ୍ତା ୨୨ତାରିଖ ମଧ୍ୟରେ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ଯୋଜନା ହୋଇଛି।
ବୋର୍ଡ ପକ୍ଷରୁ ଜୁଲାଇ ୩୦ରୁ ଆରମ୍ଭ ହେଉଥିବା ଅଫ୍ଲାଇନ୍ ମାଟ୍ରିକ୍ (ରେଗୁଲାର ଓ ଏକ୍ସ-ରେଗୁଲାର), ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାରେ ବୋର୍ଡ ପାଖରେ ଗଚ୍ଛିତ ଥିବା ପ୍ରଶ୍ନପତ୍ରକୁ ବ୍ୟବହାର କରାଯିବ। କିନ୍ତୁ ପୁରୁଣା ଏକ୍ସ୍-ରେଗୁଲାର ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠ୍ୟକ୍ରମ ଅନୁସାରେ ନୂଆ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ। ପରୀକ୍ଷା କେନ୍ଦ୍ର ଚୟନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ପିଲାଙ୍କ ସୁବିଧା ପାଇଁ କେବଳ ବ୍ଲକ୍ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟରେ ଥିବା ପ୍ରମୁଖ ବିଦ୍ୟାଳୟଗୁଡ଼ିକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରାଯାଇଛି। ଆସନ୍ତା ୨୦ତାରିଖ ମଧ୍ୟରେ ପରୀକ୍ଷା କେନ୍ଦ୍ର ତାଲିକା ପ୍ରକାଶ ପାଇବ।
ଏଠାରେ ସୂଚନାଯୋଗ୍ୟ, ଅଫ୍ଲାଇନ୍ ପରୀକ୍ଷା ପାଇଁ ମୋଟ ୧୫,୧୧୫ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ମାଟ୍ରିକ୍ ଅସନ୍ତୋଷ ବ୍ୟକ୍ତ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମାତ୍ର ୨୨୪୪ଜଣ। ଏହି ୨୨୪୪ଜଣ ଛାତ୍ରଛାତ୍ରୀ ବୋର୍ଡ ପକ୍ଷରୁ ସଦ୍ୟ ପ୍ରକାଶିତ ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅବଶିଷ୍ଟ ଛାତ୍ରଛାତ୍ରୀ ପତ୍ରବିନିମୟ(ଫ୍ରେସ୍ ବ୍ୟାଚ୍), ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍(ଫ୍ରେସ୍ ବ୍ୟାଚ) ଓ ମାଟ୍ରିକ୍ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି।
Follow Us