ଭୁବନେଶ୍ବର : କରୋନା ମହାମାରୀ ଯୋଗୁ ଜୀବନ ବଞ୍ଚାଇବା ପାଇଁ ମଣିଷ ସଂଘର୍ଷ କରୁଛି। ସମଗ୍ର ମାନବଜାତି ପାଇଁ ଏହି ମହାମାରୀ ବିପଦଗ୍ରସ୍ତ ହୋଇପଡ଼ିଛି। ଏଭଳି ସମୟରେ କିଛି ଅସାଧୁ ବ୍ୟବସାୟୀ ଅକ୍ସିଜେନ୍ର କଳାବଜାରି କରୁଛନ୍ତି। ଏପରିକି ଜୀବନରକ୍ଷାକାରୀ ଔଷଧଗୁଡ଼ିକ ଚଢ଼ା ଦରରେ ଲୋକଙ୍କୁ ବିକ୍ରି କରାଯାଉଛି। ଟେଲିଭିଜନ ଓ ଖବରକାଗଜରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଓଡ଼ିଶା ମାନବାଧିକାର କମିସନ ଏହାକୁ ଗୁରୁତର ସହ ନେଇଛନ୍ତି। ନିଜଆଡ଼ୁ ମାମଲା ଋଜୁ କରି ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଆସନ୍ତାମାସ ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହା ପୂର୍ବରୁ ସରକାର ଏ ସଂକ୍ରାନ୍ତରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ କମିସନ ନୋଟିସ ଜାରି କରିଛନ୍ତି।
ବୁଧବାର ଏହି ମାମଲା ଉପରେ ଆଦେଶ ଜାରି କରି ରାଜ୍ୟ ମାନବାଧିକାର କମିସନ ଉଲ୍ଲେଖ କରିଛନ୍ତି କି, ଏପରି କଳାବଜାରି ରୋକିବାକୁ ସମ୍ପୃକ୍ତ ବିଭାଗ କଡ଼ା ପଦକ୍ଷେପ ନେବା ଦରକାର। ଏହାସହିତ ଅସାଧୁ ବ୍ୟବସାୟୀଙ୍କୁ ଧରିବା ପାଇଁ ରାଜ୍ୟ ପୁଲିସ ଡିଜି ଓ ଆଇଜିଙ୍କୁ ଓଏଚ୍ଆର୍ସି ଅନୁରୋଧ କରିଛନ୍ତି।
କୋଭିଡ ରୋଗୀଙ୍କୁ ନେଇ ଯାଉଥିବା ବିଭିନ୍ନ ଆମ୍ବୁଲାନ୍ସ୍ ସେବା ବାବଦକୁ ରାଜ୍ୟ ସରକାର ଦର ଧାର୍ଯ୍ୟ କରିଥିବାରୁ କମିସନ ପ୍ରଶଂସା କରିଛନ୍ତି। ଏହାସହିତ କୌଣସି କୋଭିଡ ରୋଗୀ ଯେପରି ଦୁଷ୍ଟ ଓ ଲାଭଖୋର ମନୋବୃତ୍ତି ରଖୁଥିବା ବ୍ୟକ୍ତିଙ୍କ ଶିକାର ନ ହୁଏ, ସେ ଦିଗରେ ଦୃଷ୍ଟି ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।
ମହାମାରୀ ପ୍ରତିହତ ପାଇଁ ଜାରି ଲକ୍ଡାଉନ୍ ଓ ସଟ୍ଡାଉନ୍ ସମୟରେ ଭୁବନେଶ୍ବର-କଟକ ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗରିବମାନଙ୍କୁ ମାଗଣଆ ଖାଦ୍ୟ ବଣ୍ଟନ, ଅକ୍ସିଜେନ୍ ଯୋଗାଣ କାର୍ଯ୍ୟକ୍ରମକୁ କମିସନ ପ୍ରଶଂସା କରିବା ସହ ଏପରି କାର୍ଯ୍ୟକୁ ଆହୁରି ଅଧିକ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଗ୍ରାମାଞ୍ଚଳରେ ତୁରନ୍ତ ଅସ୍ଥାୟୀ ମେଡିକାଲ କେନ୍ଦ୍ର (ଟିଏମ୍ସି) ଖୋଲିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଛନ୍ତି। କରୋନା ମହାମାରୀ ଦ୍ବିତୀୟ ଲହରୀରେ ବହୁ ଲୋକ ପ୍ରଭାବିତ ହୋଇଥିବା ନେଇ କମିସନ ଉଦବେଗ ପ୍ରକାଶ କରିଛନ୍ତି। ମୃତ କୋଭିଡ ରୋଗୀଙ୍କ ଶବ ସତ୍କାର ଯେପରି ଜାତୀୟ ମାନବାଧିକାର କମିସନ ଜାରି କରିଥିବା ପରାମର୍ଶ ଅନୁଯାୟୀ କରାଯିବ, ତାକୁ ରାଜ୍ୟ ସରକାର ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।
Follow Us