ଆଜିଠୁ ଓଜେଇଇ : ୨୪ ସହରରେ ୫୯ ପରୀକ୍ଷା କେନ୍ଦ୍ର, ପରୀକ୍ଷା ଦେବେ ୮୦ ହଜାର ଛାତ୍ରଛାତ୍ରୀ

Advertisment
ଆଜିଠୁ ଓଜେଇଇ : ୨୪ ସହରରେ ୫୯ ପରୀକ୍ଷା କେନ୍ଦ୍ର, ପରୀକ୍ଷା ଦେବେ ୮୦ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର : ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(‌ଓଜେଇଇ) ପାଇଁ ଓଡ଼ିଶାର ୨୧ଟି ସହରରେ ୫୪ଟି ଏବଂ ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଓ ପାଟଣା ସହରରେ ୫ଟି ପରୀକ୍ଷା କେନ୍ଦ୍ର ହୋଇଛି। ଚଳିତବର୍ଷ ରେକର୍ଡ ସଂଖ୍ୟକ ୭୯ ହଜାର ୮୦୦ ଛାତ୍ରଛାତ୍ରୀ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ପରୀକ୍ଷା ଦେବେ। ଜେଇଇ ମେନ୍‌ ଢାଞ୍ଚାରେ ଓଜେଇଇ ହେଉଛି। ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇ ଏଥର ୩ଟି ସିଟିଂରେ ପରୀକ୍ଷା ହେବ। ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ପୂର୍ବାହ୍ନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ, ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଦ୍ବିତୀୟ ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ତୃତୀୟ ସିଟିଂରେ ପରୀକ୍ଷା କରାଯିବ।

ଓଜେଇଇ ଅଧ୍ୟକ୍ଷ ସୁଦୀପ୍‌ କୁମାର ଚାନ୍ଦ କହିଛନ୍ତି ଯେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତତ୍ତ୍ବାବଧାନରେ ପୁଲିସ, ପ୍ରଶାସନ ସହାୟତାରେ ପରୀକ୍ଷା ହେବ। କୋଭିଡ୍‌-୧୯ ନିର୍ଦେଶାବଳୀ ଅନୁଯାୟୀ ପରୀକ୍ଷାର୍ଥୀଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ। ଯଦି କୌଣସି ପରୀକ୍ଷାର୍ଥୀଙ୍କଠାରେ କରୋନା ଲକ୍ଷଣ ଦେଖାଯାଏ ତେବେ ସେମାନେ ସ୍ବତନ୍ତ୍ର ଭାବେ ନିର୍ମିତ ହଲରେ ପରୀକ୍ଷା ଦେବେ। ପ୍ରତି ପରୀକ୍ଷା କେନ୍ଦ୍ରର ୫% ସିଟ୍‌ ଏଥିପାଇଁ ସଂରକ୍ଷିତ ରହିବ। ପ୍ରତ୍ୟେକ ସିଫ୍ଟ ଆରମ୍ଭ ପୂର୍ବରୁ, ପରୀକ୍ଷା ହଲ୍, କବାଟ ହ୍ୟାଣ୍ଡଲ୍, ଲିଫ୍ଟ ସୁଇଚ୍, ରେଲିଂ ସମେତ ସମସ୍ତ ରୁମ୍‌, ପରୀକ୍ଷାର୍ଥୀଙ୍କ ବସିବା ସ୍ଥାନ, ଚେୟାର, ଡେସ୍କ, ମନିଟର, କି-ବୋର୍ଡ୍, ମାଉସ୍ ଆଦି ବିଶୋଧନ ହେବ। ପରୀକ୍ଷାର୍ଥୀଙ୍କ ଲାଗି ମାସ୍କ ବାଧ୍ୟତାମୂଳକ ସହ ସାଙ୍ଗରେ ସାନିଟାଇଜର ଆଣିବାକୁ ପରାମର୍ଶ ଦିଆଯାଇଛି। ପରୀକ୍ଷା କେନ୍ଦ୍ରର ପ୍ରବେଶ ପଥ ସମେତ ବିଭିନ୍ନ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧ ହେବ। ଥର୍ମୋ ଗନ୍ ମାଧ୍ୟମରେ ପରୀକ୍ଷାର୍ଥୀଙ୍କ ଶରୀରର ତାପମାତ୍ରା ମପାଯିବ।

ଅନ୍ୟପକ୍ଷରେ ପରୀକ୍ଷା କେନ୍ଦ୍ରକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଫର୍ମ ପୂରଣ ସମୟରେ ଛାତ୍ରଛାତ୍ରୀ ‌ଯେଉଁ ସହରରେ ପରୀକ୍ଷା ଦେବା ଲାଗି ଚଏସ୍‌ ଦେଇଥି‌ଲେ ସେଠାରେ କେନ୍ଦ୍ର ଦିଆଯାଇ ନାହିଁ। ବରଂ ଦୂରରେ ଥିବା ସହରରେ ସେମାନଙ୍କ ପରୀକ୍ଷା କେନ୍ଦ୍ର ହୋଇଛି। ଅନେକ ପରୀକ୍ଷାର୍ଥୀଙ୍କର ଏଭଳି ସମସ୍ୟା ହୋଇଥିବା ‘ସମ୍ବାଦ’କୁ ଜଣାଇଛନ୍ତି। ଏଭଳି ଅଭିଯୋଗ ନେଇ ଓ‌ଜେଇଇ ଅଧ୍ୟକ୍ଷ ଶ୍ରୀ ଚାନ୍ଦ କହିଛନ୍ତି ଯେ କେତେକ ଛାତ୍ରଛାତ୍ରୀଙ୍କ ସମସ୍ୟା ହୋଇଥିବା ଅଭିଯୋଗ ଆସିଛି। ଆମେ ତାହା ଉପରେ ଅନୁଧ୍ୟାନ କରି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଉଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe