India Today
ନୟାଗଡ଼ : ୬୦ ବର୍ଷ ବୟସ ଅତିକ୍ରମ କରିଥିବା ରାଜ୍ୟର ସମସ୍ତ ଗରିବ ଓ ଅସହାୟ ଲୋକ କ’ଣ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି? ଏହି ପ୍ରଶ୍ନ ପଚାରିଲେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଭତ୍ତା ଦାୟିତ୍ବରେ ଥିବା ଅଧିକାରୀମାନେ ନିଶ୍ଚୟ ନା କହିପାରନ୍ତି। ମାତ୍ର ଅତ୍ୟନ୍ତ ସ୍ବଚ୍ଛଳ ପରିବାରରେ ଥାଇ ଏପରିକି ପୁଅ ବିଡିଓ ହୋଇ ବି ଜଣେ ବ୍ୟକ୍ତି ମଧୁବାବୁ ପେନ୍ସନ୍ ଯୋଜନାରେ ମାସିକ ୫୦୦ ଟଙ୍କା ଭତ୍ତାପାଉଥିବା ଜଣାପଡ଼ିଛି। ସେ ହେଉଛନ୍ତି ରାଜକିଶୋର ସାହୁ।। ଖବର ପ୍ରସ୍ତୁତ ହେଲାବେଳକୁ ତାଙ୍କ ପୁଅ ଭିକାରି ସାହୁ ନୟାଗଡ଼ର ବିଡିଓ ଭାବେ କାର୍ଯ୍ୟ କରୁଥିବା ବେଳେ ପୁଣିଥରେ ତାଙ୍କୁ ତହସିଲଦାର୍ ଭାବେ ବଦଳି କରାଯାଇଥିବା ସୂଚନା ମିଳିଛି। ଗୋଟିଏ ପଟେ ରାଜ୍ୟର କୋଣଅନୁକୋଣରେ ବହୁଲୋକ ଭତ୍ତାପାଇଁ ଦଉଡ଼ିଦଉଡ଼ି ନୟାନ୍ତ ହେଉଥିବା ବେଳେ ଏହିଭଳି ଅନେକ ସ୍ବଚ୍ଛଳବର୍ଗର ଲୋକ ଯେ ଭତ୍ତା ପାଉଛନ୍ତି, ଏହି ଘଟଣାରୁ ସ୍ପଷ୍ଟ ହୋଇଛି।
ଶ୍ରୀସାହୁଙ୍କ ନିଜ ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ଡିମିସର ପଞ୍ଚାୟତରେ। ସରକାରୀ ଭାବେ ନିର୍ଦ୍ଦିଷ୍ଟ ତଥ୍ୟ ମିଳିନଥିବା ବେଳେ ସେ ପାଞ୍ଚବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ଭତ୍ତା ପାଉଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ତାଙ୍କ ପୁଅ ଭିକାରୀ ପ୍ରଥମେ ପାଖାପାଖି ପ୍ରାୟ ସେହି ସମୟଠାରୁ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି। ସେ ପ୍ରଥମେ ଜି. ଉଦୟଗିରିରେ ୨ବର୍ଷ ତହସିଲ୍ଦାର ଭାବେ କାର୍ଯ୍ୟ କରିଥିଲେ। ଏହାପରେ ୨୦୧୯ ଡିସେମ୍ବର ୬ ତାରିଖଠାରୁ ନୟାଗଡ଼ ତହସିଲ୍ଦାର୍ ଭାବେ ଯୋଗଦେଇଥିଲେ। ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୨୧ ନଭେମ୍ବର ୧୮ତାରିଖରେ ନୟାଗଡ଼ ବିଡିଓ ଭାବେ ବଦଳି ହୋଇଥିଲେ ଏବଂ ଆଜିସୁଦ୍ଧା ସେଠାରେ ବିଡିଓ ଭାବେ କାର୍ଯ୍ୟ କରୁଛନ୍ତି। ଭିକାରୀ ବିଡିଓ, ତହସିଲଦାର ପଦବିରେ ପାଖାପାଖି ୫ ବର୍ଷ ହେବ କାମ କରିସାରିଥିବା ବେଳେ ମଧ୍ୟ ତାଙ୍କ ବାପାଙ୍କ ଭତ୍ତା କଟିନାହିଁ। ସେ ତହସିଲଦାର ହେବାପରେ ତାଙ୍କ ବାପାଙ୍କର ଭତ୍ତା ମଞ୍ଜୁର ହୋଇଥିଲା ନା ତା’ ପୂର୍ବରୁ, ସେ ବିଷୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବି ମୁହଁ ଖୋଲିବାକୁ ନାରାଜ। ତେବେ ରାଜ୍ୟ ସରକାରଙ୍କ ଜଣେ ପ୍ରଥମ ଶ୍ରେଣୀ ପାହ୍ୟାର ଅଧିକାରୀଙ୍କ ବାପା ଭତ୍ତା ପାଇବା ଏକ ଗୁରୁତର ପ୍ରସଙ୍ଗ ହୋଇଥିବା ବେଳେ ଏହାଉପରେ କୌଣସି ତ୍ବରିତ୍ ପଦକ୍ଷେପ ଗ୍ରହଣ କରାନଯିବା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଏସବୁ ବିଷୟରେ ଖୋଦ୍ ବିଡିଓ ଜାଣିଥିଲେ ମଧ୍ୟ ନିଜଆଡ଼ୁ ବି ପଦକ୍ଷେପ ଗ୍ରହଣ କରିନାହାନ୍ତି। ହସ୍ତଗତ ଖବର ଅନୁସାରେ ବିଡିଓଙ୍କ ବାପାଙ୍କ ଭତ୍ତା କାଟିବାକୁ ତଳିଆ କର୍ମଚାରୀ ସାହସ ଜୁଟାଇ ପାରିନାହାନ୍ତି। ତେବେ ଭତ୍ତା କାଟିବା ନେଇ ଆବେଦନ କରିବାକୁ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ବିଡିଓଙ୍କୁ ଅନେକଥର ସୂଚନା ଦିଆଯାଇଛି। ଏଥିପ୍ରତି ସେ ଧ୍ୟାନ ଦେଇନଥିବା କୁହାଯାଉଛି।
ଏସମ୍ପର୍କରେ ଡିମିସର ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ପଚାରିବାରୁ ବିଡିଓଙ୍କ ବାପା ରାଜକିଶୋର ସାହୁ ଭତ୍ତା ପାଉଥିବା ଘଟଣାକୁ ଅସ୍ବୀକାର କରିନାହାନ୍ତି। ଗତମାସରେ (ଜୁଲାଇ) ସେ ମଧ୍ୟ ଭତ୍ତା ନେଇଛନ୍ତି। ‘କିଛିଦିନ ତଳେ ଉପଜିଲ୍ଲାପାଳଙ୍କ ଅଫିସ୍ରୁ ଓଡ଼ଗାଁ ବ୍ଲକ୍କୁ ଭତ୍ତା କାଟିବା ନେଇ ଚିଠି ହୋଇଛି। ଉକ୍ତ ଚିଠି ବ୍ଲକ୍ କର୍ତ୍ତୃପକ୍ଷ ମୋତେ ପ୍ରଦାନ କରିଛନ୍ତି। ଏହିମାସରେ ରାଜକିଶୋରଙ୍କ ଭତ୍ତା କାଟିଦେବୁ,’ ପିଇଓ ଖକନ କୁମାର ନାୟକ କହିଛନ୍ତି। ଏ ବାବଦରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ କହିଛନ୍ତି, ‘ପ୍ରାୟ ଏକମାସ ହେବ ବିଡିଓଙ୍କ ବାପାଙ୍କ ନାମ ଭତ୍ତା ହିତାଧିକାରୀ ତାଲିକାରୁ କାଟିବାକୁ ମୁଁ ଚିଠି କରିଦେଇଛି।’ ଏ ବାବଦରେ ବିଡିଓ ଭିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା; ବାପାଙ୍କ ଭତ୍ତା ପ୍ରଶ୍ନ ଶୁଣି ସେ ଫୋନ୍ କାଟି ଦେଇଥିଲେ।
Follow Us