ପୁରୀର ୪ଆସନରେ ପୁରୁଣା ମୁହଁ: ୫ ବିଧାନସଭା ଟିକେଟ୍‌ ଘୋଷଣା କଲା ବିଜେପି

ମଞ୍ଚ ବନ୍ଧା ହେଲାଣି, ନେତା ବଛା ହୋଇନାହାନ୍ତି: ଜନତା ମଇଦାନରେ ଶପଥ ‌ନେବେ ମୁଖ୍ୟମନ୍ତ୍ରୀ

The Hans India

ପୁରୀ: ପୁରୀ ଜିଲ୍ଲାର ୬ଟି ବିଧାନସଭା ଆସନ ମଧ୍ୟରୁ ୫ଟି ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଚାରି ବିଧାନସଭା ଆସନରେ ପୁରୁଣା ବିଧାୟକ ପ୍ରାର୍ଥୀଙ୍କୁ ବିଜେପି ଦୋହରାଇଥିବା ବେଳେ ବ୍ରହ୍ମଗିରିରେ ପ୍ରାର୍ଥୀ ବଦଳାଇଛି। କାକଟପୁର ଆସନ ଝୁଲାଇ ରଖିଛି। ବିଜେପି ପୁରୀରୁ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସତ୍ୟବାଦୀରୁ ଓମ୍‌ପ୍ରକାଶ ମିଶ୍ର, ପିପିଲିରୁ ଆଶ୍ରିତ ପଟ୍ଟନାୟକ, ନିମାପଡ଼ାରୁ ପ୍ରଭାତୀ ପରିଡ଼ାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି। ୨୦୧୯ ନିର୍ବାଚନରେ ବିଜେପି ପୁରୀ ଓ ବ୍ରହ୍ମଗିରିରେ ବିଜୟୀ ହୋଇଥିଲା। ପୁରୀରେ ଜୟନ୍ତ ତାଙ୍କ ରାଜନୈତିକ ଗୁରୁ ସ୍ବର୍ଗତ ମହେଶ୍ବର ମହାନ୍ତିଙ୍କୁ ହରାଇ ମାତ୍ର ୪ହଜାର ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ। ଦଳ ପୁଣିଥରେ ଜୟନ୍ତଙ୍କ ଉପରେ ଭରସା କରିଛି। ବ୍ରହ୍ମଗିରିରେ ମାତ୍ର ୧୯୦୦ ଭୋଟ୍‌ରେ ବିଜେଡି ନେତା ସଂଜୟ କୁମାର ଦାସବର୍ମାଙ୍କୁ ହାରଇ ଲଳିତେନ୍ଦୁ ବିଜୟୀ ହୋଇ ବିଧାୟକ ପଦ ଅକ୍ତିଆର କରିଥିଲେ। ଏଥର ଲଳିତେନ୍ଦୁଙ୍କ ବଦଳରେ ଝିଆରୀ ଉପସନା ସଂଜୟଙ୍କ ବଦଳରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଲଢ଼ିବେ।

୨୦୧୯ ନିର୍ବାଚନରେ ସତ୍ୟବାଦୀରେ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଥିଲେ ଓମ୍‌ପ୍ରକାଶ ମିଶ୍ର। ଓମ୍‌ପ୍ରକାଶ ପ୍ରାୟ ୧୮ହଜାର ଭୋଟ୍‌ରେ ପରାଜିତ ହୋଇଥିଲେ। କିନ୍ତୁ ପ୍ରଥମ ଥର ନିର୍ବାଚନରେ ଲଢ଼ି ୬୨ହଜାରରୁ ଅଧିକ ଭୋଟ୍‌ ପାଇଥିଲେ। ଏଣୁ ପୂର୍ବତନ ବିଧାୟକ ରମାରଂଜନ ବଳିୟାରସିଂହଙ୍କ ଭଳି ଅନେକ ନେତା ଟିକେଟ୍‌ ଦୌଡ଼ରେ ଥିଲେ ବି ଦଳ ପୁଣିଥରେ ଓମ୍‌ଙ୍କ ଉପରେ ଭରସା କରିଛି। ଓମ୍‌ପ୍ରକାଶ ଏଥର କିନ୍ତୁ ସଂଜୟ କୁମାର ଦାସବର୍ମାଙ୍କ ବିରୋଧରେ ଲଢ଼ିବେ। ଏଥର ପିପିଲି ବିଧାନସଭା ଆସନରୁ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କୁ ପୁଣିଥରେ ଟିକେଟ୍‌ ଦେଇଛି ବିଜେପି। ୨୦୧୯ ନିର୍ବାଚନରେ ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିରୋଧରେ ଆଶ୍ରିତ ବିଜେପିରୁ ଲଢ଼ି ମାତ୍ର ୧୦ହଜାର ଭୋଟ୍‌ରେ ପରାଜିତ ହୋଇଥିଲେ। ପ୍ରଦୀପଙ୍କ ପରଲୋକ ପରେ ୨୦୨୧ ଉପନିର୍ବାଚନରେ ପ୍ରଦୀପଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କ ବିରୋଧରେ ଲଢ଼ି ପ୍ରାୟ ୨୧ହଜାର ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ। ଏଥର କିନ୍ତୁ ନିର୍ବାଚନରେ ସିଧାସଳଖ ପୁଅ ରୁଦ୍ରଙ୍କ ସହ ଆଶ୍ରିତଙ୍କ ଟକ୍କର ହେବାକୁ ଯାଉଛି। ନିମାପଡ଼ାରେ ବିଜେଡି ଓ କଂଗ୍ରେସ ଟିକେଟ୍‌ ଘୋଷଣା କରି ନଥିବାବେଳେ ବିଜେପି ପୁଣିଥରେ ପ୍ରଭାତୀ ପରିଡ଼ାଙ୍କ ଉପରେ ଭରସା କରିଛି। ୨୦୧୯ ସାଧାରଣ ନିର୍ବାଚନରେ ପ୍ରଭାତୀ ବିଜେଡି ବିଧାୟକ ସମୀର ରଂଜନ ଦାଶଙ୍କ ବିରୋଧରେ ଲଢ଼ି ପ୍ରାୟ ୩୦ହଜାର ଭୋଟ୍‌ରେ ପରାଜିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe