ଭବାନୀଭବନ ବହୁମୁଖୀ ପଡ଼ିଆ ନିର୍ମାଣ ଆଳ: ଲକ୍ଷ ଲକ୍ଷ ଟଙ୍କାର ପୁରୁଣା ସାମଗ୍ରୀ ଗାଏବ

Advertisment

ଯନ୍ତ୍ରୀ କହିଲେ, ‘ପେବର ବ୍ଲକ୍ ନେଲେ ଡିଏମଏଫ କର୍ମଚାରୀ’

ଯନ୍ତ୍ରୀ କହିଲେ, ‘ପେବର ବ୍ଲକ୍ ନେଲେ ଡିଏମଏଫ କର୍ମଚାରୀ’

ଭବାନୀଭବନ ବହୁମୁଖୀ ପଡ଼ିଆ ନିର୍ମାଣ ଆଳ: ଲକ୍ଷ ଲକ୍ଷ ଟଙ୍କାର ପୁରୁଣା ସାମଗ୍ରୀ ଗାଏବ

ସୁନ୍ଦରଗଡ଼: ଭବାନୀଭବନ ପଡ଼ିଆରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ୨୦ କୋଟି ବ୍ୟୟରେ ଫୁଟବଲ୍, ଭଲିବଲ୍ କବାଡ଼ି, ବ୍ୟାଡମିଣ୍ଟନ, ଟେନିସ୍, ବକ୍ସିଂ, କରାଟେ, ସିପକଟାକ୍ରୋ, ଜଗିଂ ଟ୍ରାକ୍, ଓପନଜିମ୍, ଯୋଗ ଓ ଧ୍ୟାନ, ଦୌଡ଼କୁଦ, ଶିଶୁ ଉଦ୍ୟାନ ଏବଂ ହଜାରେ ଦର୍ଶକଙ୍କ ଗ୍ୟାଲେରିର ବହୁମୁଖୀ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଚାଲିଛି। ତେବେ ଏହାର ନିର୍ମାଣ ପାଇଁ ପୁରୁଣା ଭିତ୍ତିଭୂମିକୁ ଭାଙ୍ଗି ଦିଆଯାଇଥିବା ବେଳେ ସେଥିରେ ଲାଗିଥିବା ଲକ୍ଷ ଲକ୍ଷ ଟଙ୍କାର ଉପକରଣ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଠିକା ସଂସ୍ଥା ଉପରେ ଅଙ୍ଗୁଳି ଉଠିଛି। ରାଜାରାଜୁଡ଼ା ଅମଳର ଭବାନୀଭବନ ପଡ଼ିଆଟି ଭବାନୀଶଙ୍କର ଉଚ୍ଚ ବିଦ୍ୟାଳୟ ଅଧୀନରେ ଥିଲା। ବିଦ୍ୟାଳୟ ପରିସରରେ ପଡ଼ିଆ ପାଇଁ ଜମି ନଥିବାରୁ ରାଜା ସହର ମଝିରେ ଥିବା ଏହି ପଡ଼ିଆକୁ ଛାତ୍ରଛାତ୍ରୀଙ୍କ ଖେଳକୁଦ ପାଇଁ ତିଆରି କରିଥିଲେ।

ଭବାନୀଭବନରେ ଏକ ଇଣ୍ଡୋର ହଲ୍ ସହ ବିଶାଳ ଖୋଲା ପଡ଼ିଆ ଥିଲା। ପଡ଼ିଆରେ ସୁନ୍ଦରଗଡ଼ ଜିଲ୍ଲା ମହୋତ୍ସବ ‘ଯତରା’ ସହ ବିଭିନ୍ନ ମେଳା, ମହୋତ୍ସବ, ରାଜନୈତିକ ସଭା ଆୟୋଜିତ ହେଉଥିଲା। ସହର ମଝିରେ ଥିବା ଏହି ପଡ଼ିଆରେ ଉତ୍ସବ ଏକ ନିଆରା ଚମକ ଦେଉଥିଲା। ସେହି ସମୟରେ ଏଠାରେ ଦର୍ଶକ ଗ୍ୟାଲେରି ସହ ପଡ଼ିଆ ଚାରିପଟେ ସୋଲାର ଲାଇଟ୍ ଓ ପେବର ବ୍ଲକରେ ଜଗିଂ ଟ୍ରାକ ତିଆରି କରିଥିଲା ପ୍ରଶାସନ। ୨୦୧୮ରେ ଏଠାରେ ବହୁମୁଖୀ ଖେଳ ପଡ଼ିଆ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ୨୦ କୋଟି ଟଙ୍କା ମଞ୍ଜୁର କରିଥିଲା। ଗ୍ଲୋବାଲ୍ ଟେଣ୍ଡର ଜରିଆରେ ଏନବିସିସି ଏହାର କାମ ପାଇଥିବା ବେଳେ ସେ ଏକ ଛାୟା ଠିକା ସଂସ୍ଥା ଭୁବନେଶ୍ବରର ୱାବି କନଷ୍ଟ୍ରକ୍ସନକୁ ନିୟୋଜିତ କରିଛି। ତେବେ ନିର୍ମାଣ ଆରମ୍ଭ କଲା ବେଳକୁ ଏନବିସିସି ଯନ୍ତ୍ରୀ ଓ ଠିକା ସଂସ୍ଥା ଭବାନୀଭବନର ପୁରୁଣା ଗ୍ୟାଲେରିକୁ ଭାଙ୍ଗି ସେଠାରେ ବ୍ୟବହୃତ ଲୁହା ଛଡ଼କୁ କାଢ଼ି ନେଇଥିଲେ।

ସେହିପରି ଜଗିଂଟ୍ରାକରେ ବ୍ୟବହୃତ ପେବର ବ୍ଲକ୍ ଓ ପ୍ରାୟ ୫୦ରୁ ଅଧିକ ସୋଲାର ଲାଇଟକୁ କାଢ଼ିଥିଲେ। ତାହା ଏବେ କେଉଁଠି କେହି କହିପାରୁନାହାନ୍ତି। ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ସଂସ୍ଥା ହାତରୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଏନବିସିସିର ଭାରପ୍ରାପ୍ତ ଯନ୍ତ୍ରୀ ରାଜେଶଙ୍କୁ ପଚାରିବାରୁ ‘ପୁରୁଣା ସୋଲାର ଲାଇଟ୍ ଓ ରଡ୍ ଗୋଦାମର ପଡିଥିବା ଓ ଏ ସମ୍ପର୍କରେ ବହୁବାର ଡିଏମଏଫକୁ ଜଣାଇ ଦିଆଯାଇଛି’ ବୋଲି କହିଥିଲେ। ଆଉ ପେବର ବ୍ଲକ୍ ଡିଏମଏଫ କର୍ମଚାରୀ ଗାଡ଼ି ଲଗାଇ ନେଇ ଯାଇଥିବା କହିଥିଲେ। ଯନ୍ତ୍ରୀଙ୍କ କହିବା କଥା ଯଦି ସତ, ତେବେ ପେବର୍ ବ୍ଲକକୁ ଡିଏମଏଫର କେଉଁ କର୍ମଚାରୀ, କାହିଁକି, କେଉଁ ସ୍ଥାନକୁ, କାହା ଅନୁମତିରେ ନେଲେ ତାକୁ ନେଇ ଉଠିଛି ପ୍ରଶ୍ନ। ଲକ୍ଷ ଲକ୍ଷ ଟଙ୍କାର ପୁରୁଣା ସାମଗ୍ରୀକୁ ଟେଣ୍ଡର ନକରି ଗାଏବ କରିଦେବା ପଛରେ କିଏ ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe