India TV News
କେନ୍ଦୁଝର : ଲୁହାପଥର ଖଣି ଲିଜ୍ ମାର୍ଚ୍ଚରୁ ଶେଷ ହୋଇଥିଲା। ପୁରୁଣା ଲିଜ୍ଧାରୀ ଉତ୍ତୋଳନ କରିଥିବା ଲୁହାପଥର ଉଠାଇ ନେବାକୁ ୬ ମାସ ଅତିରିକ୍ତ ସମୟ ଦେଇଥିଲେ ସରକାର। ମାତ୍ର ନିର୍ଦ୍ଧାରିତ ସମୟରେ ଲୁହାପଥର ଉଠିପାରିଲା ନାହିଁ। ତେଣୁ ଆଉ ଗୋଟିଏ ମାସ ଅଧିକ ସମୟ ଦେବାକୁ ଜଙ୍ଗଲ ଓ ପରିବେଶ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ଖଣି ନିର୍ଦେଶକ ଅନୁରୋଧ କରିଥିଲେ। ଖଣି ନିର୍ଦେଶକଙ୍କ ଚିଠି ପରେ ପୁରୁଣା ଲିଜ୍ଧାରୀଙ୍କୁ ଆଉ ଗୋଟିଏ ମାସ ଅଧିକ ସମୟ ମିଳିଛି।
କେନ୍ଦୁଝରରେ ଥିବା ବିଭିନ୍ନ ଲୌହଖଣିର ଲିଜ୍ ଅବଧି ମାର୍ଚ୍ଚ ୩୧ରେ ଶେଷ ହୋଇଥିଲା। ପୁରୁଣା ଲିଜ୍ଧାରୀମାନେ ୬ ମାସ ପର୍ଯ୍ୟନ୍ତ ଅର୍ଥାତ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଖଣିରୁ ଉତ୍ତୋଳିତ ଲୁହାପଥର ପରିବହନ କରିପାରିବେ ବୋଲି ଡିଏଫ୍ଓ ପତ୍ର ସଂଖ୍ୟା-୨୦୭୭ ତା ୩୧.୦୩.୨୦୨୦ରେ ଅନୁମତି ଦେଇଥିଲେ। ଇତିମଧ୍ୟରେ ସମୟସୀମା ଶେଷ ହୋଇଯିବାରୁ ୨୯ ତାରିଖରେ କେନ୍ଦୁଝର ଡିଏଫ୍ଓ ପୁରୁଣା ଲିଜ୍ଧାରୀଙ୍କୁ ଆଉ ଖଣିରୁ ଲୁହାପଥର ନଉଠାଇବାକୁ ଚିଠି(ଚିଠି ନମ୍ବର-୫୮୫୬) କରିଥିଲେ। ଖଣିରେ ପୁରୁଣା ଲିଜ୍ଧାରୀଙ୍କ ଦ୍ବାରା ଉତ୍ତୋଳିତ ଲୁହାପଥର ଓ ମେସିନ ରହି ଯାଇଥିବାରୁ ସେମାନେ ଆଉ କିଛିଦିନ ସମୟ ଲୋଡ଼ିଥିଲେ। ୨୮ ତାରିଖରେ ଖଣି ନିର୍ଦ୍ଦେଶକ ଦେବୀଦତ୍ତ ବିଶ୍ବାଳ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖି ପୁରୁଣା ଲିଜ୍ଧାରୀଙ୍କୁ ଆଉ ମାସେ ସମୟ ଦେବାକୁ ଅନୁରୋଧ କରିଥିଲେ। ଖଣି ନିର୍ଦେଶକଙ୍କ ଅନୁରୋଧକ୍ରମେ ଜଙ୍ଗଲ ଓ ପରିବେଶ ବିଭାଗରୁ ଏଥିପାଇଁ ଅନୁମତି ପ୍ରଦାନ କରାଯାଇଛି।
ପୁରୁଣା ଲିଜ୍ଧାରୀମାନେ ଅଣ୍ଡରଟେକିଂ ଲେଖିବା ସହ ମାସକ ମଧ୍ୟରେ ଖଣି ରହିଥିବା ସେମାନଙ୍କ କର୍ମଚାରୀ, ମେସିନ ଓ ଖଣିଜ ପଦାର୍ଥ ଉଠାଇ ନେବାକୁ ନିର୍ଦେଶ ରହିଛି। ଗତକାଲିଠାରୁ ଖଣିରେ ପୁରୁଣା ଲିଜ୍ଧାରୀମାନେ କାରବାର ବନ୍ଦ କରିଥିଲେ। ମାସେ ସମୟ ପାଇବା ପରେ ସେମାନେ ନିଜ ଖଣିଜ ପଦାର୍ଥ ସହିତ ମେସିନ ଓ ମାନବ ସମ୍ବଳ ଉଠାଇ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଜି ୫ଜଣ ପୁରୁଣା ଲିଜ୍ଧାରୀ ଅଣ୍ଡରଟେକିଂ ଦେଇଛନ୍ତି। ଯୋଡ଼ାସ୍ଥିତ ଖଣି ଯୁଗ୍ମ ନିର୍ଦେଶକ ସଲୀଳ ବେହେରାଙ୍କ ସୂଚନା ଅନୁସାରେ, ଆଜି ମେସର୍ସ ରୁଙ୍ଗଟାର ଜଜାଙ୍ଗ ଲୌହ ଓ ମାଙ୍ଗାନିଜ ଖଣି, ମେସର୍ସ ମାଙ୍ଗିଲାଲ ରୁଙ୍ଗଟାଙ୍କ କାଳିମାଟି, ସିଆଲଯୋଡ଼ା ଲୌହ ଓ ମାଙ୍ଗାନିଜ ଖଣି, ମେସର୍ସ ରୁଙ୍ଗଟା ସନ୍ସର କାଟାସାହି ମାଙ୍ଗାନିଜ ଖଣି, ଏସେଲ୍ ମାଇନିଂର ଲଙ୍ଗାଲୋଟା ଲୌହ ଓ ମାଙ୍ଗାନିଜ ଖଣି, କାଶିଆ ଲୌହ ଓ ମାଙ୍ଗାନିଜ ଖଣି ଭଳି ୫ଜଣ ପୁରୁଣା ଲିଜ୍ଧାରୀ ଅଣ୍ଡରଟେକିଂ ଦେଇଥିବା ସେ କହିଛନ୍ତି।
Follow Us