The Hans India
ପୁରୁଣାକଟକ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ରାଜପଥର ଲୁଣିବାହାଲ୍ ଛକଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ସଂପର୍କୀୟ ଭାଇ ଓ ପୁତୁରା ମିଶି ସ୍ପଷ୍ଟ ଦିବାଲୋକରେ କଇଁଚି ଓ କାଠଫାଳିଆରେ ଜଣେ ବୃଦ୍ଧଙ୍କୁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୂଚନାନୁସାରେ, ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଯୁବରାଜପୁର ଗ୍ରାମର ଝରିଆ ବାରିକ (୬୦) ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଲୁଣିବାହାଲ ବଜାରକୁ କିଛି ଜିନିଷ ବିକ୍ରି କରିବାକୁ ଯାଇଥିବା ବେଳେ ଯୁବରାଜପୁର ଗ୍ରାମର ତାଙ୍କ ସଂପର୍କୀୟ ଭାଇ ସୁବାସ ବାରିକ (୫୫) ଏବଂ ପୁତୁରା ଅସିତ ବାରିକ (୨୪) ସେଠାରେ ପହଞ୍ଚି ତାଙ୍କ ସହ ଗଣ୍ଡଗୋଳ କରିଥିଲେ। ଏହି ସମୟରେ ସୁବାସ ଓ ଅସିତ ତାଙ୍କୁ ଏକ କଇଁଚି ଓ କାଠଫାଳିଆରେ ଅତର୍କିତ ଭାବେ ଆକ୍ରମଣ କରି ସେଠାରୁ ଚମ୍ପଟ୍ ମାରିଥିଲେ। ଏନେଇ ସ୍ଥାନୀୟ ଲୋକେ ପୁଲିସ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଝରିଆଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ମୃତ ଘୋଷଣା କରିଥିଲେ। ପୁରୁଣାକଟକ ପୁଲିସ ମୃତଦେହ ଜବତ କରି ବୌଦ୍ଧକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପରେ ପୁଲିସ ସୁବାସ ବାରିକ ଓ ଅସିତ ବାରିକକୁ ସରସରା ନିକଟରୁ ଗିରଫ କରିଥିବା ଜଣାପଡ଼ିଛି।
Follow Us