ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟାରୁ ଫେରିବା ବେଳେ ଟ୍ରେନ୍‌ ଚାପାରେ ବୃଦ୍ଧ ମୃତ; ରେଲୱେ ଓଭର୍‌ ବ୍ରିଜ୍‌ ସଜାଡ଼ିବା ଦାବିରେ ରେଳ ରୋକ

Advertisment
ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟାରୁ ଫେରିବା ବେଳେ ଟ୍ରେନ୍‌ ଚାପାରେ ବୃଦ୍ଧ ମୃତ; ରେଲୱେ ଓଭର୍‌ ବ୍ରିଜ୍‌ ସଜାଡ଼ିବା ଦାବିରେ ରେଳ ରୋକ

ବ୍ରଜରାଜନଗର: ଗତରାତିରେ ଝାରସୁଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ଗୌରମାଲ ପଞ୍ଚାୟତର ଜାମପଡ଼ା ନିକଟ ଝାରସୁଗୁଡ଼ା-ସବଡ଼େଗା ଟ୍ରେନ୍‌ ଲାଇନ୍‌ରେ ରେଳଗାଡ଼ି ଚାପାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି।

ମୃତବ୍ୟକ୍ତିଜଣକ ହେଉଛନ୍ତି ୮୯ ବର୍ଷିୟ ସୁନ୍ଦର ଖଡ଼ିଆ। ଜୁନାଡ଼ିହରେ ଜଣେ ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଫେରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିବା ଜଣାପଡ଼ିଛି।

ଖବର ପାଇ ‘ଜିଆର୍‌ପି’ର ରେଳବାଇ ଏସ୍‌ଆଇ ରବି ପଟେଲ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛନ୍ତି।

ଏହି ଖବର ପ୍ରସାରିତ ହେବା ମାତ୍ରେ ସକାଳୁ ସକାଳୁ ଶତାଧିକ ଲୋକ ଘଟଣାସ୍ଥଳରେ ସମବେତ ହୋଇ ରେଳରୋକ କରିଛନ୍ତି। ଜୁନାଡ଼ିହୀ-ଜାମପଡ଼ା ରାସ୍ତାରେ ନିର୍ମିତ ରେଲ୍ ଅଣ୍ଡର୍‌ ବ୍ରିଜ୍‌ ନିର୍ମାଣରେ ତ୍ରୁଟି ଥିବାରୁ ପ୍ରାୟ ସବୁ ସମୟରେ ସେଠାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି। ସେଥିପାଇଁ ଗ୍ରାମବାସୀମାନେ ସେହି ଅଣ୍ଡର୍‌ବ୍ରିଜ୍‌ ବାଟେ ଯାତାୟାତ ନ କରି ଟ୍ରେନ୍‌ ଲାଇନ୍‌ ଉପରେ ଯିବାକୁ ବାଧ୍ୟ ହେଉଛନ୍ତି।

publive-image

ଗତବର୍ଷ ମଧ୍ୟ ଏଭଳି ଏକ ଘଟଣା ଯୋଗୁଁ ଲୋକେ ଉତ୍‌କ୍ଷିପ୍ତ ହୋଇ ରେଳରୋକ କରିଥିଲେ। ଜଳ ନିଷ୍କାସନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେତେବେଳେ ବିଭାଗୀୟ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ପରେ ଏହି ତ୍ରୁଟିପୂର୍ଣ୍ଣ ଅଣ୍ଡର୍‌ ବ୍ରିଜ୍‌କୁ ସଜାଡ଼ିବା ନିମନ୍ତେ କୌଣସି ତତ୍ପରତା ଦେଖା ଯାଇ ନ ଥିଲା। ସ୍ଥାନୀୟ ବାସିନ୍ଦା ବହୁବାର ଦାବି କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରି ନ ଥିଲେ।

ଆଜିର ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରାଜପୁର ସମିତି ସଭ୍ୟ ଗଣେଶ ରାମ ବାଗ, ଗୌରମାଲ ନାଏବ ସରପଞ୍ଚ ମାଗଶୀର ଖଡ଼ିଆ ଘଟଣାସ୍ଥଳରେ ପହଞ୍ଚିବା ସହ ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ପାଳନରେ ବିଳମ୍ବ କରୁଥିବାରୁ ଦୁର୍ଘଟଣା ଘଟୁଥିବା କଥା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe