ଗୁଣିଗାରେଡି ସନ୍ଦେହରେ ଅଷ୍ଟପ୍ରହରୀ ନାମଯଜ୍ଞରେ ବୃଦ୍ଧଙ୍କୁ ନିସ୍ତୁକ ପିଟିଲେ ଯୁବକ, ହସ୍‌ପିଟାଲରେ ମୃତ୍ୟୁ

ଗୁଣିଗାରେଡି ସନ୍ଦେହରେ ଅଷ୍ଟପ୍ରହରୀ ନାମଯଜ୍ଞରେ ବୃଦ୍ଧଙ୍କୁ ନିସ୍ତୁକ ପିଟିଲେ ଯୁବକ, ହସ୍‌ପିଟାଲରେ ମୃତ୍ୟୁ

ଦଶପଲ୍ଲା: ଅଷ୍ଟପ୍ରହରୀ ନାମଯଜ୍ଞ ଦେଖିବାକୁ ଯାଇ ହତ୍ୟାକାଣ୍ତର ଶିକାର ହୋଇଛନ୍ତି ଜଣେ ବୃଦ୍ଧ। ଝିଅକୁ ଗୁଣି କରୁଥିବା ସନ୍ଦେହ କରି ବୃଦ୍ଧଙ୍କୁ ଏଭଳି ନୃଶଂସ ଭାବେ ହତ୍ୟା କରିଛି ଅଭିଯୁକ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନସ୍ଥ ସ୍ଥାନୀୟ ହରିଡାବାଡି ଗ୍ରାମରେ। ପୁଲିସ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ମୃତକ ହେଲେ ଭଗିଆ ବେହେରା (୬୫)।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଦଶପଲ୍ଲା ଏନ୍ଏସି ଅଧୀନସ୍ଥ ହରିଡାବାଡି ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଚାଲିଥିଲା। ପୋଖରୀଗୋଛା ପଂଚାୟତ କଇଁଆଡିହ ଗ୍ରାମର ଭଗିଆ ବେହେରା(୬୫) ସବୁଦିନ ଭଳି ଗତକାଲି ବାଉଁଶରେ ତିଆରି କୁଲା ଓ ଡାଲିଆ ପ୍ରଭୃତି ଦଶପଲ୍ଲା ବିକ୍ରୟ କରି ଆସିଥିଲେ। ବ୍ୟବସାୟ ସାରି ଘରକୁ ଫେରିନଥିବା ବେଳେ ଅଷ୍ଟପ୍ରହରୀ ଦେଖି ସେଠାରେ ରହି ଯାଇଥିଲେ। ହରିଡାବାଡି ଗ୍ରାମରେ ରହୁଥିବା ରଙ୍ଗମାଟିଆ ଗ୍ରାମର ହାଡିବନ୍ଧୁ ଦେହେରୀ(୩୦) ତାଙ୍କର ଏକ ଛୋଟ ଝିଅକୁ ଅଷ୍ଟପ୍ରହରୀ ଦେଖାଇବା ପାଇଁ ଆସିଥିଲେ। ଉଭୟ ପାଖାପାଖି ବସିଥିବା ବେଳେ ଭଗିଆ କୁନି ଝିଅର ପାଦ ଓ ମୁଣ୍ତରେ ହାତ ମାରିଥିଲେ। ଏହି ଘଟଣାକୁ ହାଡିବନ୍ଧୁ ଦେଖିବା ପରେ ଝିଅକୁ ଗୁଣିଗାରେଡି କରୁଥିବା ସନ୍ଦେହ କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଭଗିଆଙ୍କୁ ମାରଧର୍ କରିଥିଲେ। ହେଲେ ଏତିକିରେ ରାଗ ଥମିନଥିଲା। ଘଟଣାସ୍ଥଳରୁ ଭଗିଆଙ୍କୁ ଧରିଆଣି ବନ ଉନ୍ନୟନ ନିଗମ ପାର୍ଶ୍ବରେ ଏକ ବାଡିରେ ନିସ୍ତୁକ ବାଡେଇଥିଲେ, ଯାହାକି ଭଗିଆଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିବା ସହ ସେ ଗୁରୁତର ହୋଇ ପଡିଥିଲେ। ହେଲେ ସେଠାରୁ ସେ ୧୦୮ ଆମ୍ବୁଲାନ୍ସ ଡକାଇ ଅାଜି ଭୋର ପ୍ରାୟ ୪ଟା ସମୟରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ଚିକିତ୍ସାଧୀ ଅବସ୍ଥାରେ ପୂର୍ବାହ୍ଣ ସାଢେ ୧୦ଟା ସମୟରେ ଭଗିଆଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ହାଡିବନ୍ଧୁ ଖସିଯିବାକୁ ବସିଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ଠାରୁ ଖବର ପାଇ ପୁଲିସ କାବୁ କରିଥିଲା। ଏହାପରେ ପରିବାର ଲୋକଙ୍କୁ ଜଣାଇବା ସହ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଜୟପ୍ରକାଶ ପରିଡା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe