ଦୁର୍ଘଟଣାରେ ମୃତ ବୃଦ୍ଧଙ୍କ ଶବ ରଖି ରାସ୍ତାରୋକ ଘଟଣା : ୨୧ ଘଣ୍ଟା ପରେ ଯାତାୟାତ ସ୍ୱାଭାବିକ

ପୁଲିସ ମାଡ଼ରେ ଯୁବକ ମୃତ

Catch News

ଲାଞ୍ଜିଗଡ଼ : ଟ୍ରକ୍‌ ଦୁର୍ଘଟଣାରେ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ପେଙ୍ଗସୁର ଗ୍ରାମର କରୁଣା ନାଗ (୬୦)ଙ୍କ ମୃତ୍ୟୁ ହୋଇଥିଲା। ଅପରାହ୍ନ ୪ଟାରେ ପରିବାର ଲୋକେ ଓ ଗ୍ରାମବାସୀ ଶବ ରଖି ବିଜେପୁର- ବିଶ୍ୱନାଥପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଶୁକ୍ରବାର ସନ୍ଧ୍ୟା ଓ ଶନିବାର ସକାଳେ ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବା ପରେ ବି ରାସ୍ତାରୋକ ହଟିନଥିଲା।

ଶନିବାର ସକାଳ ୧୦ ଘଣ୍ଟା ସମୟରେ ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା, ଲାଞ୍ଜିଗଡ଼ ପୂର୍ବ ବିଧାୟକ ଶିବାଜୀ ମାଝୀ, ଲାଞ୍ଜିଗଡ଼ ପୂର୍ବ ବିଧାୟକ ବଳଭଦ୍ର ମାଝୀ, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ମାଝୀ, ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ଘଡ଼େଇ, ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର, ବେନଙ୍ଗା ସରପଞ୍ଚ ସୁକାନ୍ତି ମାଝୀ, ବିଜେପୁର ଥାନା ଅଧିକାରୀ ଶ୍ରୀ କୋଲହାରସ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବାରମ୍ବାର ବୁଝାଇ ପରେ ଲୋକେ ବୁଝିଥିଲେ। ସରକାରଙ୍କ ପକ୍ଷରୁ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା, ମୃତ କରୁଣାଙ୍କ ସ୍ତ୍ରୀ ପାନବୁଡ଼ି ନାଗଙ୍କୁ ବିଧବା ଭତ୍ତା ଓ ଭିନ୍ନକ୍ଷମ ଝିଅ ତିଳୋତ୍ତମା ନାଗଙ୍କୁ ଭିନ୍ନକ୍ଷମ ଭତ୍ତା ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଦିନ ୧୧ଟା ୪୫ ମିନିଟରେ ଲୋକେ ଧାରଣାରୁ ଉଠିଥିଲେ। ଫଳରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଘଟଣାସ୍ଥଳରେ ହିଁ ଶବ ବ୍ୟବଚ୍ଛେଦ କରାଯାଇଥିଲା। ବିଶ୍ୱନାଥପୁର ଡାକ୍ତରଖାନାର ଡା. ନିହାର ରଞ୍ଜନ ସାହୁ ଶବ ବେବ‌ଚ୍ଛେଦ କଲା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ୨ଟା ସମୟରେ କରୁଣା ବେନଙ୍ଗା ସାପ୍ତାହିକ ବଜାରକୁ ଯାଇ ବିଜେପୁର- ବିଶ୍ୱନାଥପୁର ମୁଖ୍ୟ ରାସ୍ତାରେ ଏକ ସାଇକଲ ଯୋଗେ ନିଜ ଗାଁ ପେଙ୍ଗସୁରକୁ ଫେରୁଥିବା ସମୟରେ ଗାଁର ୫ ଶହ ମିଟର ପୂର୍ବରୁ ଏକ ଟ୍ରକ୍‌ (ଓଡି ୦୮ଡି ୭୩୬୫) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ  କରୁଣା ଟ୍ରକ୍‌ ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପର୍‌ ଟ୍ରକ୍‌ ଛାଡ଼ି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଟ୍ରକ୍‌କୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe