ଗୁଣିଗାରେଡ଼ି ସନ୍ଦେହରେ ବୀଭତ୍ସ ହତ୍ୟା: ବୃଦ୍ଧଙ୍କୁ ମାରି ଗଛରେ ଝୁଲାଇ ଦେଲେ

Advertisment

ହତ୍ୟାକାରୀ ପୁତୁରା ଓ ଭଣଜା ଗିରଫ

ହତ୍ୟାକାରୀ ପୁତୁରା ଓ ଭଣଜା ଗିରଫ

ଗୁଣିଗାରେଡ଼ି ସନ୍ଦେହରେ ବୀଭତ୍ସ ହତ୍ୟା: ବୃଦ୍ଧଙ୍କୁ ମାରି ଗଛରେ ଝୁଲାଇ ଦେଲେ

ବାରିପଦା : ଅନ୍ଧବିଶ୍ବାସ ଓ ଗୁଣିଗାରେଡ଼ିକୁ କେନ୍ଦ୍ରକରି ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ୍‌ ସଦର ଥାନା ଅଞ୍ଚଳରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଏହି ଥାନା ଅଧୀନ ସାନବ୍ରାହ୍ମଣମରା ଗାଁର ରତିକାନ୍ତ ଭୁକ୍ତ(୬୦)ଙ୍କୁ ମଦ ପିଆଇ ନିଜର ପୁତୁରା ଓ ଭଣଜା ମିଶି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ଆଉ ଏହାକୁ ଆତ୍ମହତ୍ୟା ରୂପଦେବାକୁ ଯାଇ ତାଙ୍କ ମୃତଦେହ ଅଧା କିମି ବାଟ ଘୋଷାଡ଼ି ଘୋଷାଡ଼ି ନେଇ ଏକ ଗଛରେ ଝୁଲାଇ ଦେଇଛନ୍ତି। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ବାରିପଦା ପିଆରଏମ୍‌ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟାକାରୀ ପୁତୁରା ଲକ୍ଷ୍ମୀକାନ୍ତ ଭୁକ୍ତ(୨୭) ଓ ଭଣଜା ସନିଆ ଭୁକ୍ତ(୨୩)ଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ; ରତିକାନ୍ତ କାଳେ ଗୁଣିଗାରେଡ଼ି କରି ଅନ୍ୟର କ୍ଷତି କରୁଥିଲେ ବୋଲି ଲକ୍ଷ୍ମୀକାନ୍ତ ଓ ସନିଆ ସନ୍ଦେହ କରି ଆସୁଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଗତକାଲି ରାତିରେ ରତିକାନ୍ତ ଘରେ ଶୋଇଥିବା ବେଳେ ଦୁହେଁ ପହଞ୍ଚି ତାଙ୍କୁ ମଦ ପିଇବାକୁ ଡାକିଥିଲେ। ରତିକାନ୍ତ ବି ବିଶ୍ବାସରେ ସେମାନଙ୍କ ସହ ଯାଇଥିଲେ। ଏକ ଫାଙ୍କା ସ୍ଥାନରେ ତିନିଜଣ ବସି ମଦ ପିଇବା ପରେ ରତିକାନ୍ତଙ୍କୁ ନିଶା ହୋଇଯାଇଥିଲା। ଏହି ସୁଯୋଗରେ ଅଭିଯୁକ୍ତଦ୍ବୟ ଏକ ଗାମୁଛାରେ ରତିକାନ୍ତଙ୍କ ବେକକୁ ଚିପିମାରି ଦେଇଥିଲେ। ଏହାକୁ ଆତ୍ମହତ୍ୟା ରୂପଦେବାକୁ ଯାଇ ଲକ୍ଷ୍ମୀକାନ୍ତ ଓ ସନିଆ ମିଶି ଗାଁଠାରୁ ଅଧ କିମି ଦୂର ପିଚୁରାସ୍ତାରେ ଶବ ଘୋଷାରି ନେଇ ଏକ ଗଛରେ ଝୁଲାଇ ଘରକୁ ଫେରି ଆସିଥିଲେ। ଆଜି ସକାଳେ ସେହିବାଟ ଦେଇଯାଉଥିବା ସ୍କୁଲ୍‌ ପିଲାମାନେ ଝୁଲନ୍ତା ଶବ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ସଦର ଥାନାଧିକାରୀ ମଧୁସ୍ମିତା ମହାନ୍ତି ସଦଳବଳେ ସାଇଣ୍ଟଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚରା ବେଳେ ଗତକାଲି ରାତିରେ ଲକ୍ଷ୍ମୀକାନ୍ତ ଓ ସନିଆ ତାଙ୍କୁ ମଦ ପିଇବାକୁ ଡାକି ନେଇଥିବା ଜାଣିବାକୁ ପାଇଥିଲା ପୁଲିସ।

ଏପଟେ ଗାଁ ଛାଡ଼ି ଫେରାର ହେବାକୁ ଯୋଜନା ଚଳାଇ ଗୋଟିଏ ସ୍ଥାନରେ ଲୁଚିଥିଲେ ଲକ୍ଷ୍ମୀକାନ୍ତ ଓ ସନିଆ। ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କୁ ଗିରଫ କରିଥିଲା। ରତିକାନ୍ତଙ୍କୁ ଗୁଣିଗାରେଡ଼ି ପାଇଁ ହତ୍ୟା କରିଥିବା ଲକ୍ଷ୍ମୀକାନ୍ତ ଓ ସନିଆ ସ୍ବୀକାର କରିବା ପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏ ନେଇ ୧୧୫/୨୨ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe