ଗୁଣିଆ ସନ୍ଦେହ‌ରେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

Advertisment

ସଂଘବଦ୍ଧ ଆକ୍ରମଣ; ପଥର, ହାତୁଡ଼ି ଜବତ

ସଂଘବଦ୍ଧ ଆକ୍ରମଣ; ପଥର, ହାତୁଡ଼ି ଜବତ

ଗୁଣିଆ ସନ୍ଦେହ‌ରେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

East Idaho News

ସୋରଡ଼ା/ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା କଇଠଖଳାଦଣ୍ଡା ଗ୍ରାମରେ ଆଜି ଜଣେ ବୃଦ୍ଧଙ୍କୁ ଗୁଣି ସନ୍ଦେହରେ ସଂଘବଦ୍ଧ ଆକ୍ରମଣ ସହ ପଥରରେ ଛେଚି ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଜଣକ ହେଲେ, ଢିମିରିପଙ୍କାଳ ଗାଁର ଧର୍ମା ନାୟକ (୭୨)। ଆଜି ସକାଳେ ତାଙ୍କ କ୍ଷତାକ୍ତ ଶବ ମିଳିଥିଲା। ଛାତି ଉପରେ ପଥର ଛେଚାଯାଇଥିବା ବେଳେ ଶବ ପାଖରୁ ଏକ ହାତୁଡ଼ି ବି ମିଳିଛି। ପୁଲିସ ଓ ସାଇଣ୍ଟିଫିକ୍ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନାନୁସାରେ, ଧର୍ମା ଗାଁରେ ପୂଜାପାଠ କରୁଥିଲେ। କାହା ସହିତ ତାଙ୍କର କୌଣସି ବିବାଦ ନଥିଲା। ଏହାସହ ଗୁଣିଗାରେଡ଼ି ନେଇ ତାଙ୍କ ଉପରେ କେହି ସନ୍ଦେହ ବି କରୁ ନଥିଲେ। ତେବେ ହଠାତ୍‌ ଗତ କିଛିଦିନ ହେଲା ବିଭିନ୍ନ କାରଣରୁ ଗାଁ ଲୋକଙ୍କ ମୃତ୍ୟୁ ହେଉଥିଲା। ଫଳରେ ଧର୍ମା ଗୁଣିଗାରେଡ଼ି କରୁଛନ୍ତି ବୋଲି ଗ୍ରାମବାସୀ ତାଙ୍କ ଉପରେ ସନ୍ଦେହ ପ୍ରକଟ କରିଆସୁଥିଲେ। ଗତକାଲି ଧର୍ମା ଗାଁ ଛକକୁ ଜଳଖିଆ ଖାଇିବାକୁ ଆସି ଘରକୁ ଫେରି ନଥିଲେ। ଆଜି ହଠାତ୍ ତାଙ୍କ କ୍ଷତାକ୍ତ ଶବ ଗାଁଠୁ ଏକ କିଲୋମିଟର ଦୂର କଇଠଖଳାଦଣ୍ଡା ବିଲରୁ ମିଳିଥିଲା। ପରିବାରବର୍ଗ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ। ଛାତି ଉପରେ ଏକ ବଡ଼ ପଥର ପଡ଼ିଥିବା ବେଳେ ହାତୁଡ଼ି ବି ଦେଖିବାକୁ ମିଳିଥିଲା। ସଂଘବଦ୍ଧ ଭାବେ ଧର୍ମାଙ୍କୁ ଆକ୍ରମଣ କରିବା ପରେ ହତ୍ୟା କରାଯାଇଛି ବୋଲି ପୁଲିସ ଅନୁମାନ କରୁଛି। ଏଏସ୍‌ପି ବିଜୟ କୁମାର ମଲ୍ଲିକ, ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ବଡ଼ଗଡ଼ ଥାନାଧିକାରୀ ପ୍ରତାପ କୁମାର ତ୍ରିପାଠୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସେହିପରି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ବି ପହଞ୍ଚି ଛାନ୍‌ଭିନ୍ କରିଥିଲା। ଧର୍ମାଙ୍କ ଶବକୁ ଜବତ କରାଯାଇଥିବା ବେଳେ ଗ୍ରାମର ୫ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏନେଇ କେସ୍ ନମ୍ବର ୮୨ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ଥାନାଧିକାରୀ ଶ୍ରୀ ତ୍ରିପାଠୀ କହିଛନ୍ତି। ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe