ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ଆରମ୍ଭ: ପ୍ରଥମ ଦିନରେ ୧୧ହଜାର କଇଁଛ ଅଣ୍ଡା ଦେଲେ

Advertisment

ଗଞ୍ଜାମ ବ୍ଲକ୍‌ ଋଷିକୁଲ୍ୟା ମୁହାଣରେ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପର୍ବ ଆରମ୍ଭ ହୋଇଛି। ବିଶ୍ବର ସର୍ବବୃହତ ଗଣଅଣ୍ଡାଦାନସ୍ଥଳୀ ମାନ୍ୟତା ପାଇଥିବା ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟା ପୋଡ଼ମପେଟାରେ ସୃଷ୍ଟି...

ଗଞ୍ଜାମ ବ୍ଲକ୍‌ ଋଷିକୁଲ୍ୟା ମୁହାଣରେ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପର୍ବ ଆରମ୍ଭ ହୋଇଛି। ବିଶ୍ବର ସର୍ବବୃହତ ଗଣଅଣ୍ଡାଦାନସ୍ଥଳୀ ମାନ୍ୟତା ପାଇଥିବା ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟା ପୋଡ଼ମପେଟାରେ ସୃଷ୍ଟି...

dfdvc

ବ୍ରହ୍ମପୁର: ଗଞ୍ଜାମ ବ୍ଲକ୍‌ ଋଷିକୁଲ୍ୟା ମୁହାଣରେ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପର୍ବ ଆରମ୍ଭ ହୋଇଛି। ବିଶ୍ବର ସର୍ବବୃହତ ଗଣଅଣ୍ଡାଦାନସ୍ଥଳୀ ମାନ୍ୟତା ପାଇଥିବା ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟା ପୋଡ଼ମପେଟାରେ ସୃଷ୍ଟି ହୋଇଥିବା ଡାଇନାମିକ୍‌ ବିଚ୍‌ (ପରିବର୍ତ୍ତନଶୀଳ ବେଳାଭୂମି)ରେ ଗଣଅଣ୍ଡାଦାନ ହୋଇଛି। ହଜାରହଜାର ସଂଖ୍ୟାରେ କଇଁଛ ସମୁଦ୍ରରୁ କୂଳକୁ ଆସି ବାଲୁକା ଶଯ୍ୟାରେ ଅଣ୍ଡାଦାନ କରୁଛନ୍ତି। ଚଳିତ ବର୍ଷ ପାଗ ଅନୁକୂଳ ରହିଥିବାରୁ ଠିକ୍‌ ସମୟରେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ବେଳାଭୂମିରୁ ୧ରୁ ଦେଢ଼ କିମି ମଧ୍ୟରେ ସମୁଦ୍ର ଭିତରେ ପ୍ରୟାଗୀଠାରୁ ଆର୍ଯ୍ୟପଲ୍ଲୀ ପର୍ଯ୍ୟନ୍ତ ଲକ୍ଷାଧିକ ସଂଖ୍ୟାରେ କଇଁଛ ରହିଛନ୍ତି। ତେବେ ପର୍ଯ୍ୟାୟ କ୍ରମେ କଇଁଛ ବେଳାଭୂମିକୁ ଆସି ଅଣ୍ଡାଦାନ କରିବେ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଦିନ ସମୟରେ ମଧ୍ୟ ଅଣ୍ଡାଦାନ ଚାଲିଥିବା ଦେଖିବାକୁ ମିଳିଛି। ସଂଧ୍ୟା ସୁଦ୍ଧା ୧୧ହଜାରରୁ ଅଧିକ କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

ଅଣ୍ଡାଦାନ ପାଇଁ ଋଷିକୁଲ୍ୟା ମୁହାଣର ଉଭୟ ପାର୍ଶ୍ବରେ ଥିବା ବାଲୁକା ଶଯ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଣ୍ଡାଦାନ ପାଇଁ ଆର୍ଯ୍ୟପଲ୍ଲୀ ଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ପ୍ରାୟ ୨୦ କିମି ବେଳାଭୂମିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଗତକାଲି ବିଳମ୍ବିତ ରାତିରୁ ଗଞ୍ଜାମ ବ୍ଲକ୍‌ ପାଲିବନ୍ଧ ପଞ୍ଚାୟତର ପୋଡ଼ମପେଟା ବେଳାଭୂମିରେ ଅଣ୍ଡାଦାନ ଆରମ୍ଭ ହୋଇଛି। ସେହିପରି ବନବିଭାଗ ତରଫରୁ ପୁରୁଣାବନ୍ଧ ଠାରୁ ଅଳେଶ୍ବର ପର୍ଯ୍ୟନ୍ତ ପ୍ରାୟ ୬କିମି ବ୍ୟାରିକେଡ୍‌ କରି ଅଣ୍ଡାଦାନସ୍ଥଳୀକୁ ସୁରକ୍ଷିତ କରାଯାଇଛି। ଓଡ଼ିଶାର ଋଷିକୁଲ୍ୟା ମୁହାଣ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। 

ଅଣ୍ଡାଦାନ ପ୍ରକ୍ରିୟା ସରିବାର ପ୍ରାୟ ୫୦ଦିନ ପରେ ଅଣ୍ଡା ଫୁଟି ଛୁଆ ବାହାରିବେ। ଏଥିପାଇଁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର୍‌ଙ୍କ ନେତୃତ୍ବରେ ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଣ୍ଡାଦାନ ସ୍ଥଳକୁ ୫୦ଟି ଅଂଶରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଅଂଶରେ ବନ ବିଭାଗର କର୍ମଚାରୀ ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ପ୍ରକାଶ ଥାଉ କି ଅକ୍ଟୋବରରେ କଇଁଛ ଶ୍ରୀଲଙ୍କାରୁ ଓଡ଼ିଶା ଉପକୂଳକୁ ଆସିଥାନ୍ତି। ଏହାପରେ ତାଙ୍କର ମିଳନ ପର୍ବ ଆରମ୍ଭ ହୋଇଥାଏ। ମିଳନ ସରିବା ପରେ ଫେବ୍ରୁଆରି ଦ୍ବିତୀୟ ସପ୍ତାହ ପରେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଗତବର୍ଷ ଗଣଅଣ୍ଡାଦାନ ହୋଇ ନଥିଲା। ଗତ ୨୦୨୩-୨୪ରେ ପ୍ରାୟ ୧୫ଶହ ଅଲିଭ୍‌ରିଡ୍‌ଲେ ସ୍ପୋରାଡିକ୍‌ ନେଷ୍ଟିଂ (ବିକ୍ଷିପ୍ତ ଅଣ୍ଡାଦାନ) କରିଥିଲେ। କିନ୍ତୁ ୨୦୨୨-୨୩ରେ ୬ଲକ୍ଷ ୩୭ହଜାର କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଚଳିତ ବର୍ଷ ପାଗ ଅନୁକୂଳ ରହିଥିବାରୁ ଲକ୍ଷାଧିକ କଇଁଛ ଅଣ୍ଡାଦାନ କରିବେ ବୋଲି ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତିର ସମ୍ପାଦକ ରବୀନ୍ଦ୍ରନାଥ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe