ବର୍ଛାରେ ମାରୁଛନ୍ତି ଅଲିଭ୍‌ରିଡ୍‌ଲେ

ବର୍ଛାରେ ମାରୁଛନ୍ତି ଅଲିଭ୍‌ରିଡ୍‌ଲେ

ପୁରୀ: ବିରଳ ଅଲିଭ୍‌ରିଡ୍‌ଲେଙ୍କୁ ସ୍ବତନ୍ତ୍ର ବର୍ଛାରେ ମରାଯାଉଛି। ଏ ନେଇ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ବିବେକ କୁମାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସେଭ୍‌ କୋଷ୍ଟାଲ୍‌ ଲାଇଫ୍‌ର ମୁଖ୍ୟ ସରୋଜ କୁମାର ଜେନା। ଶ୍ରୀ ଜେନା ଏହି ସ୍ବତନ୍ତ୍ର ମାରଣାସ୍ତ୍ରକୁ ବି ବନଖଣ୍ଡ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଏଭଳି ଅମାନବିକ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ନିବେଦନ କରିଛନ୍ତି।

ଶ୍ରୀ ଜେନା କହିଛନ୍ତି, ବେଳାଭୂମିରୁ ପ୍ଲାଷ୍ଟିକ ସଫେଇ କରିବା ସମୟରେ ଜାଲରେ ଲାଗିଥିବା ଏହି ଧାରୁଆ ଅସ୍ତ୍ରଟି ସେ ପାଇଥିଲେ। ଯାହାକୁ ଟ୍ରଲରମାନେ କଇଁଛ ଜାଲରେ ଲାଗିଲେ, କାଢ଼ିବା ପାଇଁ ବ୍ୟବହାର କରିଥାନ୍ତି। ଜାଲରେ କଇଁଛ ଲାଗିଲେ, ଟ୍ରଲର ଚାଳକ ଅବା କର୍ମଚାରୀମାନେ ଏହି ଧାରୁଆ ଅସ୍ତ୍ରରେ କଇଁଛର ମୁହଁ, ପିଠି, ପେଟ ଆଦିକୁ ଆକ୍ରମଣ କରିଥାନ୍ତି। ଏହି ମୁନିଆ ଅସ୍ତ୍ରରେ ଏତେ ଧାର ଯେ ଗୋଟିଏ ଥରରେ ଏହା କଇଁଛର ବାହ୍ୟ କବଚ ଭେଦ କରି ପଶିଯିବାର ସମର୍ଥ ରଖିଛି। ଅଧିକାଂଶ ମଲା କଇଁଛ, ଯେଉଁମାନେ କୂଳରେ ଲାଗୁଛନ୍ତି, ସେମାନଙ୍କ ପେଟ, ପିଠି, ବେକ ଆଦିରେ ଆକ୍ରମଣ ଚିହ୍ନ ରହୁଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାବେଳେ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ବିଭାଗକୁ ଏ ସଂପର୍କରେ ଅବଗତ କରାଇବାକୁ ଶ୍ରୀ ଜେନା ବନଖଣ୍ଡ ଅଧିକାରୀଙ୍କୁ ନିବେଦନ କରିଛନ୍ତି। ବନଖଣ୍ଡ ଅଧିକାରୀ ବିବେକ କୁମାର ଏହି ଅସ୍ତ୍ରର ବ୍ୟବହାର ସମ୍ପର୍କରେ ବିସ୍ତୃତ ବୁଝିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe