ଏମିତି ଚାଲିଛି ଓମବାଡସି ଅନୁଦାନ ହଡ଼ପ! ପୁରୁଣା ପାଚେରିରେ ନୂଆ ବିଲ୍‌

Advertisment
ଓମ୍ବାଡ୍‌ସି ନିର୍ଦେଶକ ପରିଷଦ ବୈଠକ: ୧୭୫୨ କୋଟି ଟଙ୍କାର ୬ଟି ନୂଆ ପ୍ରକଳ୍ପ ମଞ୍ଜୁର

Interview Times

ସୁନ୍ଦରଗଡ଼/ହେମଗିର : ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍‌) ପରେ ସୁନ୍ଦରଗଡ଼ ଜିଲ୍ଲାରେ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ (ଓମବାଡସି) ଅନୁଦାନର ବ୍ୟାପକ ଦୁ‌ରୁପଯୋଗ ଅଭିଯୋଗ ଆସିବାରେ ଲାଗିଛି। ନିକଟରେ ୨୫୦୧ ଅଙ୍ଗନବାଡ଼ି ଗୃହ ମରାମତି ବା ନବୀକରଣ କାମ ହାତେଇଥିବା ୩ଟି ଠିକା ସଂସ୍ଥା ଅଦ୍ଭୁତ ତରିକାରେ ଓମବାଡସିର ଅର୍ଥ ଚଳୁ କରିଛନ୍ତି। ଠିକା ସଂସ୍ଥାଗୁଡ଼ିକ ଠିକା ପାଇବା ପରେ ନିଜେ କାମ ନକରି ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ କାମ ବାଣ୍ଟି ଦେଇଥିବା ଜଣାପଡ଼ିଛି। ଆଉ ଗୋଷ୍ଠୀଗୁଡ଼ିକ ମଧ୍ୟ ନିଜେ କାମ କରିବା ପରିବର୍ତ୍ତେ ମୂଳ ଠିକା ସଂସ୍ଥାର ବାଟ ଅନୁସରଣ କରି ସ୍ଥାନୀୟ ଅଞ୍ଚଳର କିଛି ଠିକାଦାରଙ୍କୁ ଦାୟିତ୍ବ ଦେଇଛନ୍ତି। ଅନୁଦାନ ତିନିଟି ସ୍ତରରେ ଭାଗବଣ୍ଟା ହୋଇ ଚାଲିଯାଉଥିବା ବେଳେ କାମ ମଧ୍ୟ ଆଗେଇ ପାରୁ ନାହିଁ। ଏବେ ବି ଏହି କାରଣରୁ ବହୁ ଅଙ୍ଗନବାଡ଼ି ଗୃହ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଏବେ ପୁଣି ଓମ୍‌ବାଡସି ଅନୁଦାନକୁ ସମ୍ପୂର୍ଣ୍ଣ ଚଳୁ କରି ଦିଆଯିବାର ଅନ୍ୟ ଏକ ଚାଞ୍ଚଲ୍ୟକର ଅଭିଯୋଗ ହସ୍ତଗତ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍‌ସୁମୁରା ପଞ୍ଚାୟତ ତିହୁରିଆ ଗାଁ ତଳପଡ଼ାରେ ମମତା ଗୃହ ପାଚେରି ନିର୍ମାଣ‌ରେ ଏପରି ହରିଲୁଟ୍‌ ହୋଇଛି। ଅଙ୍ଗନବାଡ଼ି ଗୃହର ପୁରୁଣା ପାଚେରିକୁ ଦେଖାଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅତି ଚତୁରତାର ସହ ନୂଆ ବିଲ୍‌କରି ନେଇଛନ୍ତି। ୨୦୨୦–୨୧ ଆର୍ଥିକ ବର୍ଷ ଅକ୍ଟୋବର ମାସରେ ମନରେଗାରୁ ୫ ଲକ୍ଷ ଟଙ୍କା ଅଟକଳରେ ଗାଁର ତଳପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ଗୃହର ପାଚେରି ତିଆରି ହୋଇଥିଲା। ଠିକ୍‌ ତାର ୫ ମାସ ପରେ ଅଙ୍ଗନବାଡ଼ି କେନ୍ଦ୍ର ଗୃହକୁ ଲାଗି ମମତା ଗୃହ ତିଆରି ହୋଇଥିଲା। ଏହାପରେ ମମତା ଗୃହର ପାଚେରି ପାଇଁ ଓମବାଡସିରୁ ୧ ଲକ୍ଷ ୨୦ ହଜାର ଟଙ୍କ‌ା ଅନୁଦାନ ଯୋଗାଇ ଦିଆଯାଇଥିଲା। କିନ୍ତୁ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଅତି ଚତୁରତାର ସହ ପୂର୍ବର ପୁରୁଣା ପ‌ାଚେରିରେ ରଙ୍ଗ ମାରି ନୂଆ ବିଲ୍‌ ବନାଇ ଟଙ୍କା ତକ ଚଳୁ କରି ନେଇଥିବ‌ା ଅଭିଯୋଗ ହୋଇଛି। ଘଟଣାଟି ଏଠାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହାର ତଦନ୍ତ କରି କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏ କାମ ଓ ଅର୍ଥର ପରିମାଣ କମ୍ ଲାଗୁ ଥାଇପାରେ, କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ଡିଏମଏଫ୍‌ ଓ ଓମବାଡସିର ହଜାର ହଜାର କୋଟି ଟଙ୍କା କିପରି ଖର୍ଚ୍ଚ ହେଉଛି, ଏହା ତାର ଏକ ଛୋଟ ଉଦାହରଣ ମାତ୍ର। ଉଲ୍ଲେଖନୀୟ ଯେ ପୁରୁଣା ଘର ଓ ପାଚେରି ଆଦିକୁ ନୂଆ ଦର୍ଶାଇ ବିଲ୍ କରିନେବା ପ୍ରଥା ଜିଲ୍ଲାରେ ଏବେ ଜୋର୍‌ ଧରିଛି। ପୂର୍ବରୁ ଆଇଟିଡିଏ ଅଧୀନରେ ଥିବା ଏକ ସ୍କୁଲ୍‌ ପାଚେରି ନିର୍ମାଣ କ୍ଷେତ୍ରରେ ଏପରି କରା ଯାଇଥିବାର ଖବର ‘ସମ୍ବାଦ’ରେ ପ୍ରକାଶିତ ହୋଇ ବେଶ୍ ଚର୍ଚ୍ଚିତ ହୋଇଥିଲା। କିନ୍ତୁ ଆଶ୍ଚର୍ଯ୍ୟ, କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe