ଓମ୍‌ବାଡ୍‌ସି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ସାର

Advertisment
ସବୁ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ, ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ତାଲିକା ପ୍ରସ୍ତୁତ କର

bit.ly

ପ୍ରଥମ ପର୍ଯ୍ୟାୟରେ ୯୫% ପ୍ରକଳ୍ପ ଶେଷ
ଜିଲ୍ଲାସ୍ତରୀୟ ଓମ୍‌ବାଡ୍‌‌ସି ସେଲ୍‌କୁ ଦକ୍ଷ କରାଇବା ଉପରେ ଗୁରୁତ୍ବ

ଭୁବନେଶ୍ୱର : ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓମ୍‌ବାଡ୍‌ସି) ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଆଜି ସମୀକ୍ଷା କରାଯାଇଛି। ଡିଜିଟାଲ୍‌ ମୋଡ୍‌ରେ ହୋଇଥିବା ନିଗମର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରକଳ୍ପଗୁଡ଼ିକର କ୍ଷେତ୍ର ୱାରି ସମୀକ୍ଷା କରିଥିଲେ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ମଞ୍ଜୁରି ହୋଇଥିବା ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ସଂପୃକ୍ତ ବିଭାଗଗୁଡ଼ିକୁ ଶ୍ରୀ ତ୍ରିପାଠୀ ନି‌ର୍ଦ୍ଦେଶ ଦେଇଥିଲେ।

ବୈଠକରେ ଜିଲ୍ଲାସ୍ତରୀୟ ଓମ୍‌ବାଡ୍‌‌ସି ସେଲ୍‌ଗୁଡ଼ିକୁ ଅଧିକ ଦକ୍ଷ କରିବା ପାଇଁ ନିଗମକୁ କୁହାଯାଇଥିଲା। ଜୀବିକା, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବିଶେଷଜ୍ଞମାନଙ୍କ ସେବାକୁ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଥିଲା। ବିଳମ୍ବକୁ ଏଡ଼ାଇବା ପାଇଁ ବିଭିନ୍ନ ବିଭାଗର ସଚିବମାନେ ପ୍ରକଳ୍ପଗୁଡ଼ିକର ପ୍ରଶାସନିକ ମଞ୍ଜୁରି ଠିକ୍ ସମୟରେ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

କେନ୍ଦୁଝର, କୋରାପୁଟ, ସୁନ୍ଦରଗଡ଼, ସମ୍ବଲପୁର ଓ ମୟୂରଭଞ୍ଜ ଆଦି ଓମ୍‌ବାଡ୍‌‌ସି ଜିଲ୍ଲାରେ ଉଦ୍ୟାନ କୃଷିରେ ଥିବା ସମ୍ଭାବନା ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ବିଭିନ୍ନ ପ୍ରକାର ଉଦ୍ୟାନ କୃଷି ଭିତ୍ତିକ ବୃକ୍ଷକୁ ନେଇ ମେଗା ନର୍ସରି ନିର୍ମାଣ କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଓମ୍‌ବାଡ୍‌‌ସି ଅଞ୍ଚଳରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲିବାକୁ ଦକ୍ଷତା ବିକାଶ ବିଭାଗକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ଦକ୍ଷତା ବିକାଶ ବିଭାଗ ସଚିବ ସଞ୍ଜୟ ସିଂହ ସଂପୃକ୍ତ ଅଞ୍ଚଳରେ ୧୩ଟି ନିଯୁକ୍ତିଭିତ୍ତିକ ଟ୍ରେଡ୍‌ ଚିହ୍ନଟ ହୋଇଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶାରେ ଥିବା ଶିଳ୍ପାନୁଷ୍ଠାନ ଚାହିଦା ମୁତାବକ ମାନବ ସମ୍ବଳକୁ ଦୃଷ୍ଟିରେ ରଖି ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଥିଲା।

ନିଗମର ସିଇଓ ଉମା ନନ୍ଦୁରୀ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ପ୍ରଥମ ପର୍ଯ୍ୟାୟରେ ଗୃହ ନିର୍ମାଣ, ପାନୀୟ ଜଳ, ଦକ୍ଷତା ବିକାଶ ଓ ଜଙ୍ଗଲ ଆଦି କ୍ଷେତ୍ରରେ ଗୁରୁତ୍ବ ଦିଆଯାଇ ୧୦୮୦.୯୨ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁରି କରାଯାଇଥିଲା। ମୁଖ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଅଛି ୨୯,୮୨୯ ପକ୍କା ଘର ନିର୍ମାଣ, ୨୧୫ ଛୋଟ ପାଇପ ଜଳ ଯୋଗାଣ ପ୍ରକଳ୍ପ, ୩ଟି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ, ୮୮୨ ହେକ୍ଟର ଜମି ଉପରେ ବୃକ୍ଷ‌ରୋପଣ, ୮୪୨ କିମି ରାସ୍ତା କଡ଼ରେ ବୃକ୍ଷରୋପଣ, ସହରାଞ୍ଚଳ ବନୀକରଣ ପାଇଁ ୯ ଲକ୍ଷ ୮୦ ହଜାର ଚାରା ବଣ୍ଟନ। ଦ୍ବିତୀୟ ପର୍ଯ୍ୟାୟରେ ୧୨,୧୧୮ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ୧୨ଟି ବିଭାଗ ଦ୍ବାରା ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ୯୫ ପ୍ରତିଶତ ପକ୍କା ଘର, ୯୫ ପ୍ରତିଶତ ବନୀକରଣ ଓ ୯୩ ପ୍ରତିଶତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ବିଭିନ୍ନ ବିଭାଗ ଦ୍ବାରା ଅଧିକାଂଶ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଖଣି ପ୍ରଭାବିତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବାକୁ ଦୃଢ଼ କରିବା ସହ ଜୀବିକା ପ୍ରୋତ୍ସାହନ ଓ ଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ନୂଆ ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା।

ବୈଠକରେ ଉନ୍ନୟନ କମିସନର୍ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଏବଂ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe