ଓଏମ୍‌ସିରେ ଏକ୍‌ଜିକ୍ୟୁଟିଭ୍ ନିଯୁକ୍ତି ପ୍ରସଂଗ : ମାମଲାର ଫଳାଫଳ ଉପରେ ନିର୍ଭର କରିବ ଭବିଷ୍ୟତ

Advertisment
ଓଏମ୍‌ସିରେ ଏକ୍‌ଜିକ୍ୟୁଟିଭ୍ ନିଯୁକ୍ତି ପ୍ରସଂଗ : ମାମଲାର ଫଳାଫଳ ଉପରେ ନିର୍ଭର କରିବ ଭବିଷ୍ୟତ

Odisha Sun Times

କଟକ : ଓଡ଼ିଶା ଖଣି ନିଗମ(ଓଏମ୍‌ସି)ରେ ଏକ୍‌ଜିକ୍ୟୁଟିଭ୍ ନିଯୁକ୍ତି ପ୍ରସଂଗକୁ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥି ସହିତ ୨୦୧୯, ଜାନୁଆରି ୩୦ରେ ଏକ୍‌ଜିକ୍ୟୁଟିଭ୍ ନିଯୁକ୍ତିକୁ ନେଇ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଯଦି କୌଣସି ପଦକ୍ଷେପ ଗ୍ରହଣ କରାଯାଏ ତେବେ ଏହା ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଗ୍ରୀଷ୍ମ ଅବକାଶ ପରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ ରାୟ ଓ ସ୍ମିତା‌ ଦାସ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଓଏମ୍‌ସିରେ ସିଧା ସଳଖ ଏକ୍‌ଜିକ୍ୟୁଟିଭ୍ ନିଯୁକ୍ତି ପାଇଁ ଗତ ଜାନୁଆରି ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିକୁ ଓଏମସିର ବିଭିନ୍ନ ଜିଲ୍ଲାରେ ଥିବା କାର୍ଯ୍ୟାଳୟରେ ମ୍ୟାନେଜର ଭାବେ କାର୍ଯ୍ୟରତ ଅଧିକାରୀମାନେ ବିରୋଧ କରିଥିଲେ। ପଦୋନ୍ନତି ଭିତ୍ତିରେ ଏହି ପଦବି ପୂରଣ କରିବା ପରିବର୍ତ୍ତେ ସିଧା ସଳଖ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଏସ୍.କେ.ମହାନ୍ତି ଓ ଅନ୍ୟ ୫ଜଣ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏକ୍‌ଜିକ୍ୟୁଟିଭ୍ ପଦବିରେ ନିଯୁକ୍ତି ପାଇଁ ଓଏମସି ଭିତରେ ଉପଯୁକ୍ତ ପ୍ରାର୍ଥୀ ଥିବା ବେଳେ ସିଧାସଳଖ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବା ଉଚିତ ନୁହେଁ। ଏପରି ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ମାମଲାରେ ଖଣି ସଚିବ ଓ ଓଏମସିକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe