ବୈଷୟିକ ଶିକ୍ଷାକୁ ଗ୍ରାମାଞ୍ଚଳରେ ପହଞ୍ଚାଇବାକୁ ହେବ

Advertisment

ଓଏମ୍‌ସିଏ ମ୍ୟାନେଜ୍‌ମେଣ୍ଟ ସମ୍ମିଳନୀ

ଓଏମ୍‌ସିଏ ମ୍ୟାନେଜ୍‌ମେଣ୍ଟ ସମ୍ମିଳନୀ

ବୈଷୟିକ ଶିକ୍ଷାକୁ ଗ୍ରାମାଞ୍ଚଳରେ ପହଞ୍ଚାଇବାକୁ ହେବ

ଭୁବନେଶ୍ୱର : ବୈଷୟିକ ଶିକ୍ଷାର ଭିତ୍ତିଭୂମି ବଢ଼ୁଛି। କୋଠା, କମ୍ପ୍ୟୁଟର ଲାବ୍‌, ଲାଇବ୍ରେରି ହେଉଛି। ତଥାପି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରୁ ନାହିଁ। ଭାରତରେ ୧୦,୩୦୦ ବୈଷୟିକ ଶିକ୍ଷାନୁଷ୍ଠାନ ରହିଛି। ସେହି ତୁଳନାରେ ମାଲେସିଆରେ ୫୦ଟି, ସିଙ୍ଗାପୁରରେ ୮ଟି, ପାକିସ୍ତାନରେ ୮୦୦ଟି ଶିକ୍ଷାନୁଷ୍ଠାନ ଅଛି। ସେଠାକାର ପିଲାଙ୍କୁ ଯେଉଁଭଳି ଶିକ୍ଷା ମିଳୁଛି ଭାରତରେ ତାହା ହୋଇପାରୁ ନାହିଁ। ଦିନକୁ ଦିନ ଶିକ୍ଷା ଅଧିକ ମହଙ୍ଗା ହେଉଥିବାରୁ ଗ୍ରାମାଞ୍ଚଳର ଯୁବକ ଯୁବତୀ ପଢ଼ିବାକୁ ଆସିପାରୁ ନାହାନ୍ତି। ତାହାକୁ ଦୃଷ୍ଟିରେ ରଖି କ୍ୟାମ୍ପସକୁ ଶିଳ୍ପାନୁଷ୍ଠାନ ସହ ଯୋଡ଼ି ଗ୍ର୍ରାମାଞ୍ଚଳରେ ପହଞ୍ଚାଇବାକୁ ହେବ ବୋଲି ହୋଟେଲ ସାଣ୍ଡି ଟାଓ୍ଵାରରେ ଆଜି ଅନୁଷ୍ଠିତ ଓଏମ୍‌ସିଏ ମ୍ୟାନେଜ୍‌ମେଣ୍ଟ ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଲ୍‌ ଇଣ୍ଡିଆ କାଉନସିଲ୍‌ ଫର୍‌ ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ) ଉପାଧ୍ୟକ୍ଷ ଏମ୍‌.ପି. ପୁନିଆ କହିଛନ୍ତି।

ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା କ୍ଷେତ୍ରରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ମିସନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ହୋଇଥିଲେ ମଧ୍ୟ ଋଣ ଦେବା କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ସହଯୋଗ କରୁଥିବାରୁ ଉଦ୍ୟୋଗୀମାନେ ଉପକୃତ ହୋଇପାରୁ ନାହାନ୍ତି। ଏଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ପ୍ୟାରିସ୍‌ ବେକରିର ପ୍ରତିଷ୍ଠାତା ଜୟନାରାୟଣ ପୂଜାପଣ୍ଡା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାକିରି ବଦଳରେ ଛାତ୍ରଛାତ୍ରୀଙ୍କୁୁ କିଭଳି ଗୁଣାତ୍ମକ ଶିକ୍ଷା ମିଳିପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାଶ ମୁଖ୍ୟବକ୍ତାଭାବେ ଯୋଗଦେଇ କହିଲେ, ଘରୋଇ ବିଶ୍ୱବିିଦ୍ୟାଳୟଗୁଡ଼ିକରେ ପଦବି ପୂରଣ ହୋଇଥିଲେ ମଧ୍ୟ ପିଲାଙ୍କୁୁ ଗୁଣାତ୍ମକ ଶିକ୍ଷା ମିଳିପାରୁ ନାହିଁ। କର୍ପୋରେଟ୍‌ ସଂସ୍ଥାଗୁଡ଼ିକର କ’ଣ ଆବଶ୍ୟକତା ରହିଛି ତାହାକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମ ପ୍ରସ୍ତୁତ ଓ ଶିକ୍ଷାଦାନ କରିବାର ସମୟ ଆସିଛି।

ଓଏମ୍‌ସିଏ ସଭାପତି ଡ. ଆର୍ଯ୍ୟ ପଟ୍ଟନାୟକ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକାରୀ ସଭାପତି ସରୋଜ କୁମାର ସାହୁ ସମ୍ମିଳନୀ ସମ୍ପର୍କରେ କହିଥିବା ବେଳେ ଉପସଭାପତି ବଙ୍କିମ୍‌ ମହାନ୍ତି ଧନ୍ୟବାଦ ଦେଇଥିଲେ। ସମ୍ମିଳନୀ ଅବସରେ ଦୁଇଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe