ଓମ୍‌ସା ନିର୍ବାଚନ ପ୍ରସଂଗ: ହାଇକୋର୍ଟ ଜାରି କଲେ ଅନ୍ତରୀଣ ରହିତାଦେଶ 

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (ଓମ୍‌ସା) କର୍ମକର୍ତ୍ତା ନିର୍ବାଚନ ପ୍ରସଂଗରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥିସହିତ ଆରମ୍ଭ ହୋଇଥବିା ଓମ୍‌ସା ନିର୍ବାଚନ ପ୍ରକ୍ରିୟାକୁ ବେଆଇନ ଦର୍ଶାଇ ଦାୟର୍‌ ମାମଲାରେ ହାଇକୋର୍ଟ ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହାପୂର୍ବରୁ ଜବାବ ଦାଖଲ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଅରିନ୍ଦମ୍‌ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ପବିତ୍ର ମୋହନ ମଲ୍ଲିକଙ୍କ ଆବେଦନର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କ୍ଷୀରୋଦ କୁମାର ରାଉତ ସୂଚନା ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ୨୦୨୨ ଜାନୁଆରି ୨୫ରେ ଓମ୍‌ସା ଆପିଲେଟ୍‌ ଅଥରିଟି ବୈଠକରେ ଆଲୋଚନା କରାଯାଇ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଚୂଡାନ୍ତ କରାଯାଇଥିଲା। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ତଥା ଓମ୍‌ସା ଆପିଲେଟ୍‌ ଅଥରିଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ କରାଯାଇଥିଲା।  ଏହି କମିଟି ୨୦୨୧-୨୩ ବର୍ଷ ଲାଗି ଓମ୍‌ସାର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଫେବ୍ରୁଆରି ୧ରେ ପ୍ରକାଶ କରିଥିଲା। ମାର୍ଚ୍ଚ ୧ରେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ନିର୍ବାଚନ ପ୍ରକ୍ରିୟା ଓମ୍‌ସାର ନିର୍ବାଚନ ନେଇ ରହିଥିବା ନିୟମର ସ୍ପଷ୍ଟ ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଓମ୍‌ସା ସାଧାରଣ ପରିଷଦ ସହ ପରାମର୍ଶ ନକରି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ତଥା ଆପିଲେଟ୍‌ ଅଥରିଟି କାର୍ଯ୍ୟକାରିଣୀ କମିଟି ନିର୍ବାଚନ ପାଇଁ କମିଟି ଗଠନ କରିଛନ୍ତି। ଏପରି କରିବା ପାଇଁ ସ୍ବାସ୍ଥ୍ୟ ନି‌ର୍ଦ୍ଦେଶକଙ୍କ କ୍ଷମତା ନାହିଁ।  ୨୦୨୧ ବର୍ଷ ଶେଷ ହୋଇ ଏବେ ୨୦୨୨ ଆରମ୍ଭ ହୋଇଥିବା ବେଳେ ୨୦୨୧-୨୩ ବର୍ଷ ପାଇଁ ନିର୍ବାଚନ କରାଯିବା ଗ୍ରହଣୀୟ ନୁହେଁ। ଓମ୍‌ସା କର୍ମକର୍ତ୍ତା ନିର୍ବାଚନ ପାଇଁ କେନ୍ଦ୍ରୀୟ ନିର୍ବଚନ କମିଟି ଗଠନ ଓ ନିର୍ବାଚନ କାର୍ଯ୍ୟସୂଚୀ ସଂପର୍କିତ ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଅବାଧ ଓ ସ୍ବଚ୍ଛ ନିର୍ବାଚନ ପାଇଁ ଓମ୍‌ସାର ସାଧାରଣ ପରିଷଦ ବୈଠକ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକିବା ଆବଶ୍ୟକ। ସାଧାରଣ ପରିଷଦ ବୈଠକରେ ଏହି ପ୍ରସଂଗରେ ଆଲୋଚନା କରାଯାଇ ଓମ୍‌ସା ନିର୍ବାଚନ ଲାଗି ନିର୍ବାଚନ କମିଟି ଗଠନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ଆବେଦନରେ ରାଜ୍ୟ ଗୃହ ସଚିବ, ସ୍ବାସ୍ଥ୍ୟ ନି‌ର୍ଦ୍ଦେଶକ, କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସୁରେନ୍ଦ୍ର କୁମାର ରାଉତ, ଜୟନ୍ତୀ ନାୟକ, ସରୋଜ ଭୂୟାଁ, ଅଜରା ଜମାଲ ପ୍ରମୁଖ ସହଯୋଗ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe