୨୩ରେ ସ୍ଥାନାନ୍ତରିତ ହେବ ରତ୍ନଭଣ୍ଡାରର ସିନ୍ଦୁକ, ଆଲମିରା

Advertisment

ଦିନ ଗୋଟାଏରୁ ସ୍ଥାନାନ୍ତର ସରିବା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଦିନ ଗୋଟାଏରୁ ସ୍ଥାନାନ୍ତର ସରିବା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗର ସାଂଘାତିକ ଅଭିଯୋଗ: ମହାପ୍ରଭୁଙ୍କୁ ଲାଗି ହେଉଛି ‘ମାରା’ ଫୁଲ

the financial express

ପୁରୀ: ଆସନ୍ତା ୨୩ ତାରିଖରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା, ସିନ୍ଦୁକଗୁଡ଼ିକୁ କଢ଼ାଯିବ ଏବଂ ସେଗୁଡ଼ିକୁ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରିବିହାର ମ୍ୟୁଜିୟମ୍‌ ନିକଟ ଗୃହରେ ସଂରକ୍ଷିତ ରଖାଯିବ। ସ୍ଥାନାନ୍ତର ପରେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରାଯାଇ ମରାମତି କାର୍ଯ୍ୟ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ସ୍ଥାନାନ୍ତର ପ୍ରକ୍ରିୟା କରାଯିବାକୁ ନିଷ୍ପତ୍ତି ହୋଇଛି। ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ସେବାପୂଜା ଯଥାରୀତି ଚାଲିବ। ତେବେ ମଧ୍ୟାହ୍ନ ଗୋଟାଏରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏଥିପାଇଁ ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ୨୩ ତାରିଖ ଶୁକ୍ରବାର ରାତି ୨ଟାରୁ ଦ୍ବାରଫିଟା ହୋଇ ରାତି ୩ଟା ସୁଦ୍ଧା ଭିତରଶୋଧ, ମଙ୍ଗଳଆଳତି ଶେଷ ହେବ। ପରେ ମଇଲମ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଗୋପାଳବଲ୍ଲଭ ସଂପନ୍ନ ପରେ ସକାଳ ୭ରୁ ସାଢ଼େ ୮ଟା ମଧ୍ୟରେ ସକାଳ ଧୂପରେ କେବଳ କୋଠଭୋଗ ହେବ।

ପୂର୍ବାହ୍‌ଣ ସାଢ଼େ ୧୧ରୁ ୧ଟା ମଧ୍ୟରେ ମଧ୍ୟାହ୍ନ ଧୂପରେ ମଧ୍ୟ କେବଳ କୋଠଭୋଗ କରାଯିବ। ଦ୍ବିତୀୟ ଭୋଗ ମଣ୍ଡପ ମଧ୍ୟାହ୍ନ ୧ଟାରୁ ଦିନ ୨ଟା ମଧ୍ୟରେ କରାଯିବ। ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର କାର୍ଯ୍ୟ ଦିନ ୧ଟାରୁ ଆରମ୍ଭ ହେବ। ସ୍ଥାନାନ୍ତର ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଭକ୍ତମାନେ ମହାପ୍ରସାଦ ପାଇବାରେ କୌଣସି ସମସ୍ୟା ହେବନି। ସିଂହଦ୍ବାର ବାଟେ ବାଇଶିପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କିଣିବା ପରେ ଶ୍ରଦ୍ଧାଳୁମାନେ ଉତ୍ତରଦ୍ବାର ପଟେ ପ୍ରସ୍ଥାନ କରିପାରିବେ। ସୂଚନାଯୋଗ୍ୟ, ଗତ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ୧୧ଜଣିଆ ପ୍ରତିନିଧି ଦଳ ଭିତରକୁ ଯାଇଥିଲେ ହେଁ ସିନ୍ଦୁକ ଓ ଆଲମିରା ଖୋଲିନଥିଲେ। ତେଣୁ ଜୁଲାଇ ୧୮ ତାରିଖରେ ପୁନର୍ବାର ଭିତର ରତ୍ନଭଣ୍ଡାର ଖୋଲାଯାଇ ୩ଟି ସିନ୍ଦୁକ ଓ ୪ଟି ଆଲମାରିରେ ଥିବା ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନର ସୂଚନା ମୁତାବକ, ଏହା ମଧ୍ୟରେ ତିନିଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା, ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଛି। ଏବେ ରତ୍ନଭଣ୍ଡାରର ଅଳଙ୍କାର ଖଟଶେଜ ଘର ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତର କରାଯାଇ ସେଠାରେ ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe