ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀସେତୁ ବୁଲିଲେ ଗଜପତି

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀସେତୁ ବୁଲିଲେ ଗଜପତି

ପୁରୀ: ଆସନ୍ତାବର୍ଷ ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି। ଏହି ପ୍ରକଳ୍ପ ପ୍ରକଳ୍ପ ପୂର୍ଣ୍ଣରୂପ ନେଲେ ଭକ୍ତ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଗଜପତି କହିଛନ୍ତି। ଆସନ୍ତା ୪ ତାରିଖ ଶନିବାର ଶ୍ରୀମନ୍ଦିର ପରିଚାଳନ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ଆୟୋଜନ ସମ୍ପର୍କରେ ଆଲୋଚନା ହେବ। ଏହା ପୂର୍ବରୁ ଆଜି ଗଜପତି ମହରାଜା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଗଜପତି ଆଜି ପ୍ରଥମେ ଶ୍ରୀଜଗନ୍ନାଥ ବଲ୍ଲଭ ଅଭ୍ୟର୍ଥନା କେନ୍ଦ୍ର ସହ ବହୁତଳ ପାର୍କିଂ ବୁଲି ଦେଖିଥିଲେ। ଏହାର ନକ୍ସା ଦେଖିବା ସହ ପ୍ରକଳ୍ପ ସମ୍ପର୍କରେ ଠିକା ସଂସ୍ଥାଠାରୁ ବିସ୍ତୃତ ଭାବେ ବୁଝିଥିଲେ। ପରେ ନିର୍ମଣାଧୀନ ଶ୍ରୀସେତୁ ଉପରୁ ଶ୍ରୀମନ୍ଦିର ଓ ଆଖପାଖର ଦୃଶ୍ୟ ଦେଖିଥିଲେ। ଶ୍ରୀସେତୁ କାମ ସରିବା ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଶେଷରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲି ପରିକ୍ରମା ପ୍ରକଳ୍ପର ଅଗ୍ରଗତି ଓ କାମର ମାନ ପରଖିଥିଲେ। ଏହି ଅବସରରେ ଗଜପତି କହିଛନ୍ତି, ଶ୍ରୀଜଗନ୍ନାଥ ବଲ୍ଲଭ ଅଭ୍ୟର୍ଥନା କେନ୍ଦ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ ବଡ଼ ପ୍ରେକ୍ଷାଳୟ ହେବାକୁ ଯାଉଛି। ଏହା ସମଗ୍ର ବିଶ୍ବର ଭକ୍ତମାନଙ୍କ ଧାର୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ। ଯେଉଁ ଭକ୍ତ ତଥା ପର୍ଯ୍ୟଟକମାନେ ଆସିବେ, ସେମାନେ ଏଠାରେ ସୁବିଧାରେ ଚାରିଚକିଆ, ଦୁଇଚକିଆ ଗାଡ଼ି ପାର୍କିଂ କରି ବଡ଼ଦାଣ୍ଡ ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇପାରିବେ। ଏଥିପାଇଁ ଶ୍ରୀଜଗନ୍ନାଥ ବଲ୍ଲଭ ଅଭ୍ୟର୍ଥନା କେନ୍ଦ୍ରରେ ପ୍ରେକ୍ଷାଳୟ ସାଙ୍ଗକୁ ପାର୍କିଂ, ଫୁଡ୍‌କୋର୍ଟ, ଦୋକାନଗୃହ ଆଦିର ସୁବିଧା ରହିଛି। ଏହା ପରେ ବଡ଼ଦାଣ୍ଡର ବିକାଶ କରାଯିବ। ମିନି ବସଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ହେବ। ସରକାରଙ୍କ ଏହା ଅତି ଉତ୍ତମ କାର୍ଯ୍ୟକ୍ରମ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି, ଶ୍ରୀଜଗନ୍ନାଥ ବଲ୍ଲଭ ଅଭ୍ୟର୍ଥନା କେନ୍ଦ୍ରର ସାଂସ୍କୃତିକ ପ୍ରେକ୍ଷାଳୟର ଚାରିପାର୍ଶ୍ବରେ କାଚ ଲାଗିବ। ଯଦ୍ବାରା ଭକ୍ତମାନେ ଶ୍ରୀମନ୍ଦିର ଓ ପତିତପାବନ ବାନାଙ୍କୁ ଭଲ ଭାବେ ଦେଖିପାରିବେ। ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଓ ଲୋକର୍ପଣ ଉତ୍ସବ ଅତି ସୁନ୍ଦର ଭାବେ ଆୟୋଜନ କରାଯିବ। ଶ୍ରୀ ଦାସ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିସେମ୍ବର ୧୫ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ପୂର୍ବରୁ ଶ୍ରୀସେତୁ କାମ ସରିବ। କିନ୍ତୁ ଶ୍ରୀଜଗନ୍ନାଥ ବଲ୍ଲଭ ଅଭ୍ୟର୍ଥନା କେନ୍ଦ୍ର ଓ ପାର୍କିଂ କିଛିଟା ବିଳମ୍ବ ହେବ। ଆସନ୍ତା ବର୍ଷ ଜାନୁଆରି ଭିତରେ ଏହି କାମ ସାରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe