୨୨ ଦିନ ହେଲା ଯନ୍ତାରେ ଅସୁସ୍ଥ ବାଘ

ଚିକିତ୍ସକଙ୍କ ପରାମର୍ଶ ପରେ ବି ବାହାରକୁ ନିଆଯାଇନି, ମୃତ୍ୟୁ ହେଲେ ଦାୟୀ କିଏ?

୨୨ ଦିନ ହେଲା ଯନ୍ତାରେ ଅସୁସ୍ଥ ବାଘ

ନୂଆପଡ଼ା: ଜଙ୍ଗଲରୁ ଉଦ୍ଧାର ହୋଇଥିବା ଅସୁସ୍ଥ ବାଘକୁ ନୂଆପଡ଼ା ଜିଲ୍ଲା ରେଞ୍ଜ ଅଫିସ ପରିସରରେ ଏକ ଯନ୍ତାରେ ରଖାଯାଇଛି। ଗତ ୨୨ ଦିନ ହେଲା ବାଘର ଚିକିତ୍ସା ଚାଲିଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ସୁଧାର ଆସୁନାହିଁ। ଫଳରେ ବାଘଟି ଖାଦ୍ୟ ମଧ୍ୟ ଠିକ୍ ଭାବେ ଗ୍ରହଣ କରୁ ନାହିଁ। ଏହାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରି ନୂଆପଡ଼ା ପ୍ରାଣୀ ଚିକିତ୍ସା ଅଧିକାରୀ ଅଧିକ ଚିକିତ୍ସା ପାଇଁ ଅନ୍ୟସ୍ଥାନକୁ ନେବା ପାଇଁ ୨ରୁ ୩ ଥର ପରାମର୍ଶ ଦେଲେଣି।  ହେଲେ ଏହାକୁ ନୂଆପଡ଼ା ବନ୍ୟପ୍ରାଣୀ ବିଭାଗ ଅଧିକାରୀମାନେ ଶୁଣୁ ନାହାନ୍ତି। ଫଳରେ ବାଘଟିର କୌଣସି ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ବନ୍ୟପ୍ରାଣୀ ପ୍ରେମୀ କହିଛନ୍ତି। ଭୁବନେଶ୍ବରରୁ ଓୟୁଏଟି ବିଶେଷଜ୍ଞ ଟିମ୍‌ ପହଞ୍ଚି ଚିକିତ୍ସା କରିଥିଲେ। ହେଲେ ବାଘର ଅବସ୍ଥା ସଂପୂର୍ଣ୍ଣ ଭାବେ ଠିକ୍‌ ହୋଇ ନାହିଁ। ବାଘଟି ମାଂସ ଖାଇପାରୁ ନଥିବାରୁ ତରଳ ଖାଦ୍ୟ ଦିଆଯାଉଛି। ଉଦ୍ଧାର ସମୟରେ ବିଭାଗର ଏସିଏଫ୍‌ ବାଘ ଅଂଶୁଘାତର ଶିକାର ହୋଇଥିବା ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ବିଶେଷଜ୍ଞ ଦଳ ବିଭିନ୍ନ ଚିକିତ୍ସା କରି ବାଘ ୩/୪ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୧୬ ତାରିଖ ଦିନ ନୂଆପଡ଼ା  ରେଞ୍ଜ ଧରମବନ୍ଧା ସେକ୍ସନ ସିଲିଆରିବାହାରା ଗାଁ ଆମକୋନୀ ଜଙ୍ଗଲରୁ ଏହି କଲାରାପତରିଆ ବାଘକୁ ଗୁରୁତର ଅବସ୍ଥାରେ  ବନ ବିଭାଗ ଉଦ୍ଧାର କରିଥିଲା। ପରେ ତାକୁ ନୂଆପଡ଼ା ରେଞ୍ଜ ଅଫିସ ପରିସରରେ ରଖି ଚିକିତ୍ସା ଚାଲିଛି। ଏହା ଉପରେ ଏସିଏଫ୍‌  ମହମ୍ମଦ ମୁସ୍ତାଫ ସାଲିହା କହିଛନ୍ତ ଯେ ବାଘର ଅବସ୍ଥା ପୂର୍ବ ଭଳି ରହିଛି। ମାଂସ ଖାଇ ପାରୁନାହିଁ। ତରଳ ଖାଦ୍ୟ ଦିଆଯାଉଛି। ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ଅଧିକାରୀମାନଙ୍କୁ ଚିଠି ମାଧ୍ୟମରେ ବାଘକୁ ନୂଆପଡ଼ାରୁ ନେବା ପାଇଁ ଜଣାଇ ଦିଆଯାଇଛି। ତଥାପି ବିଶେଷଜ୍ଞ ଦଳ ନିର୍ଦେଶରେ ଚିକିତ୍ସା ଚାଲିଛି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe