ଯେଉଁ ଦିନ ଭାରତ ଆସିବାର ଥିଲା, ସେହିଦିନ ଆକ୍ରମଣ ତୀବ୍ର ହେଲା

ୟୁକ୍ରେନ୍‌ରୁ ଫେରିବା ପରେ ଛାତ୍ର ବଖାଣିଲେ ଯୁଦ୍ଧ ଅନୁଭୂତି

ଯେଉଁ ଦିନ ଭାରତ ଆସିବାର ଥିଲା, ସେହିଦିନ ଆକ୍ରମଣ ତୀବ୍ର ହେଲା

ସମ୍ବଲପୁର: ଯେଉଁ ଦିନ ଭାରତ ଆସିବାର ଥିଲା, ସେହିଦିନ ହିଁ ରୁଷିଆର ଆକ୍ରମଣ ତୀବ୍ର ହେଲା। ଭାରତୀୟମାନଙ୍କୁ ସ୍ବଦେଶକୁ ଫେରାଇ ଆଣିବା ୟୁ୍କ୍ରେନ ଯାଉଥିବା ବିମାନ ଅଧା ବାଟରୁ ଫେରି ଆସିଲା। ବାଧ୍ୟ ହୋଇ କିବ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆମକୁ ଅଟକି ରହିବାକୁ ପଡ଼ିଲା। ମୁଁ ଯେହତୁ ଖାର୍କିଭ ନେସ୍‌ନାଲ ମେଡିକାଲ କଲେଜରେ ପଢ଼ୁଛି‌ ଏବଂ ମାତ୍ର ୩ ମାସ ତଳେ ୟୁକ୍ରେନ ଯାଇଥିଲି, ତେଣୁ କିବ୍‌ରେ ମୋର କୌଣସି ଚିହ୍ନା ପରିଚିତ ପିଲା ବି ନଥିଲେ। ସେହିଦିନ ରାତିସାରା ବସ୍‌ ଯୋଗେ ଯାତ୍ରା କରି ଖାର୍କିଭରୁ କିବ୍‌କୁ ଆସିଥିଲି।

ଏଭଳି ସ୍ଥିତିରେ ବାଧ୍ୟ ହୋଇ ଆମେ ଯେଉଁ ଏଜେନ୍‌ସି(ଗ୍ଲୋବାଲ ଫୋକସ୍‌) ଜରିଆରେ ଯାଇଥିଲୁ, ତାଙ୍କ ସହିତ ଯୋଗାଯୋଗ କଲୁ। ସେମାନେ କିବ୍‌ର ମେଡ଼ିକାଲ କଲେଜର ହଷ୍ଟେଲରେ ରହିବା ବ୍ୟବସ୍ଥା କରିଦେଲେ। ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୟ ଓ ଆତଙ୍କର ବାତାବରଣ ମଧ୍ୟରେ କିବ୍‌ରେ ଦିନ କାଟିବାକୁ ପଡ଼ିଛି ‌ବୋଲି ସମ୍ବଲପୁର ଜିଲ୍ଲାର ପୁରୁଖା ବିଜେଡି ନେତା ମହମ୍ମଦ ଅଜିମ୍‌ ଅଜୁଙ୍କ ପୁଅ ମହମ୍ମଦ ଜାକି ଉଜ୍ ଜମନ୍ କହିଛନ୍ତି। ବୁର୍ଲା ସହରର ଫାଣ୍ଡି ଛକରେ ରହୁଥିବା ମହମ୍ମଦ ଜାକି ଉଜ୍ ଜମନ୍ ଶନିବାର ଅପରାହ୍‌ଣରେ ଘରୁ ଫେରିଛନ୍ତି। ସେ କହିଛନ୍ତି ଯେ, କିବ୍‌ରେ ବାରଂବାର ଲମ୍ବା ସାଇରନ୍ ବାଜୁଥିଲା। ୟୁକ୍ରେନ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସାଇରନ‌୍ ବାଜି‌ବା ମାତ୍ରେ ଆମେ ବଙ୍କର ମଧ୍ୟକୁ ଚାଲି ଯାଉଥିଲୁ। ଆକ୍ରମଣ ଆହୁରି ତୀବ୍ର ଆଶଙ୍କାକରି ଆମେ ୨୮ ତାରିଖ ଦିନ କିବ୍‌ରୁ ଲଭିଭ୍ ଅଭିମୁଖେ ବାହାରି ପଡ଼ିଲୁ।

ତାପମାତ୍ର ବିଯୁକ୍ତ ୨ରୁ ୫ ଡିଗ୍ରି ମଧ୍ୟରେ ଥିଲା। ବସ୍‌ ଯୋଗେ ଯାତ୍ରାକରିବା ଅତ୍ୟନ୍ତ କଷ୍ଟକର ଥିଲା। ଲଭିଭ୍‌ରୁ ୟୁ୍କ୍ରେନ ସୀମା ପାରି ହୋଇ ହଙ୍ଗେରୀରେ ପ୍ରବେଶ କରିବା ପରେ ଆଶ୍ବସ୍ତି ଅନୁଭବ‌ ହେଲା। ଭାରତ ସରକାରଙ୍କ ପକ୍ଷରୁ ସେଠାରେ ସମସ୍ତ ବ୍ୟବସ୍ଥା ହୋଇଥିଲା। ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରେ ଦୁଇ ଦିନ ରହିବା ପରେ ଆମେ ଦିଲ୍ଲୀ ଅଭିମୁଖେ ବାହାରିଲୁ। ଦିଲ୍ଲୀ ପହଂଚିବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଝାରସୁଗୁଡ଼ା ଆସିବା ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷିତ ଭାବେ ଭାରତ ପହଂଚିବାରେ ସହଯୋଗ କରିଥିବାରୁ ମୁଁ ଭାରତ ସରକାର ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣେଇବି ବୋଲି ମହମ୍ମଦ ଜାକି ଉଜ୍ ଜମନ୍ କହିଛନ୍ତି। ‌ୟୁକ୍ରେନରେ ସ୍ଥିତି ଏବେ ବହୁତ ଖରାପ ଅଛି। ସରକାରଙ୍କୁ ମୋର ଅନୁ‌ରୋଧ ଯେ ୟୁକ୍ରେନରେ ଫସି ରହିଥିବା ସମସ୍ତ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ସ୍ବଦେଶକୁ ଫେରାଇ ଆଣନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe