ପାଠ ସହ ଖେଳରେ ଉତ୍କର୍ଷ ହାସଲ କର: ମୁଖ୍ୟମନ୍ତ୍ରୀ

Advertisment

ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ପଞ୍ଚମ ଦିନ, ୫ ଜିଲ୍ଲାର ୪୪୫ ବିଦ୍ୟାଳୟ ରୂପ ବଦଳିଲା

ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ପଞ୍ଚମ ଦିନ, ୫ ଜିଲ୍ଲାର ୪୪୫ ବିଦ୍ୟାଳୟ ରୂପ ବଦଳିଲା

ପାଠ ସହ ଖେଳରେ ଉତ୍କର୍ଷ ହାସଲ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ପଞ୍ଚମ ଦିବସରେ ୫ଟି ଜିଲ୍ଲାର ୪୪୫ ବିଦ୍ୟାଳୟ ଲୋକର୍ପିତ ହୋଇଛି। ଯେଉଁଥିରେ ବାଲେଶ୍ବର ଜିଲ୍ଲାର ୧୩୫ଟି ହାଇସ୍କୁଲ ଥିବା ବେଳେ ପୁରୀର ୯୫, ନୟାଗଡ଼ର ୬୦, ଜଗତସିଂହପୁରର ୭୫ ଓ ଭଦ୍ରକର ୮୦ଟି ରହିଛି। ଲୋକାର୍ପଣ ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି। ରୂପାନ୍ତର ସେମାନଙ୍କୁ ମାନସିକସ୍ତରରେ ମଧ୍ୟ ପରିବର୍ତ୍ତନ ଆଣିଛି। ସେମାନେ ଆଗ ଅପେକ୍ଷା ଅଧିକ ଆତ୍ମବିଶ୍ବାସର ସହ ନୂଆ ଆଶା ଓ ସଂକଳ୍ପ ନେଇ ଆଗକୁ ବଢୁଛନ୍ତି, ଯାହାକି ଓଡ଼ିଶାର ଭବିଷ୍ୟତ ପାଇଁ ଶୁଭ ସଂକେତ। ଏହି ରୂପାନ୍ତରଣ ଆମ ପିଲାଙ୍କୁ ଶ୍ରେଷ୍ଠ କରି ଗଢ଼ି ତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି। ତେଣୁ ପାଠ ହେଉ ବା ଖେଳ;‌ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ହାସଲ ପାଇଁ ପିଲାମାନେ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଥିଲେ।

ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଟେକ୍ନୋଲୋଜି ଦ୍ବାରା ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରି, କମ୍ପ୍ୟୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହୋଇଛି। ଏଥିସହ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଯାଇଛି। ଟିମ୍‌ୱାର୍କ ମାଧ୍ୟମରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ମିଳିମିଶି ଏହି ରୂପାନ୍ତର କାମରେ ସାମିଲ ହୋଇଛନ୍ତି। ଟାଇମ୍‌ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ଯ୍ୟ ଶେଷ ହୋଇଛି। ଟ୍ରାନ୍ସପରେନ୍‌ସି ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରାଯାଇ ହେଉଛି। ଭିଜନ ଡକ୍ୟୁମେଣ୍ଟଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ହୋଇଛି। ଏହି ସ୍ବଚ୍ଛତା ୫-ଟି କାର୍ଯ୍ୟକ୍ରମର ବଡ଼ ଶକ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ଭାଗ ନେଇ ବାଲେଶ୍ବରରୁ ପ୍ରଜ୍ଞାସ୍ମିତା, ପୁରୀରୁ ସ୍ବୟଂସ୍ନିଗ୍ଧା, ନୟାଗଡ଼ରୁ ପ୍ରତ୍ୟାଶା, ଜଗତସିଂହପୁରରୁ ବିନ୍ଦୁଜା ଓ ଭଦ୍ରକରୁ ସୋନାଲି ସ୍କୁଲ ରୂପାନ୍ତର ବିଷୟରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରି କହିଲେ ବେସରକାରୀ ସ୍କୁଲଠାରୁ ଆମ ସ୍କୁଲ ଏବେ ବହୁ ଆଗରେ। ସ୍କୁଲର ରୂପ ବଦଳିବା ଦ୍ବାରା ମାନସିକତା ଉପରେ ସକରାତ୍ମକ ପ୍ରଭାବ ପକାଇଛି। ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢ଼ିବା ଆମ ପାଇଁ ବହୁତ ସହଜ ହୋଇଛି। ଇଣ୍ଟରନେଟ ଜରିଆରେ ସବୁ ବିଷୟରେ ଆମେ ତୁରନ୍ତ ତଥ୍ୟ ପାଇପାରୁଛୁ। ପଢ଼ିବାକୁ ଆଗ୍ରହ ବଢ଼ିବା ସହ ଆମର ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି ପାଇଛି।

ଲୋକାର୍ପଣ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଅଶ୍ବିନୀ ପାତ୍ର, ବିଧାୟକ ଅରୁଣ କୁମାର ସାହୁ, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଓ ବିଧାୟକ ବ୍ୟୋମକେଶ ରାୟ ପ୍ରମୁଖ ସେମାନଙ୍କ ଭାଷଣରେ ସ୍କୁଲ ରୂପାନ୍ତର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ ଆଣିଛି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe