River in danger: ବିପଦରେ ନଈ: ଏକଦା ସ୍ବାଧୀନତା ସଂଗ୍ରାମର ମୂକସାକ୍ଷୀ ଥିଲା, ଅନ୍ତିମ ନିଃଶ୍ବାସ ଗଣୁଛି ଭେଡ଼େନ

ପଶ୍ଚିମ ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ମୂକସାକ୍ଷୀ କୁହାଯାଉଥିବା ଭେଡ଼େନ ନଦୀ ଏବେ ଅନ୍ତିମ ନିଃଶ୍ବାସ ଗଣୁଛି। ସୁନ୍ଦରଗଡ଼ ବଣାଇରୁ ବାହାରିଥିବା ଭେଡ଼େନ ନଈକୁ ଝାରସୁଗୁଡ଼ା ଜିଲ୍ଲା ଖେରୁଆଲରେ ଇବ୍‌ ନଦୀର ସଙ୍ଗମସ୍ଥଳ ପୂର୍ବରୁ ହିଁ  ପୋତିଦେବାର ଅଭିଯାନ ଆରମ୍ଭ ହୋଇଛି।

fhfshfshfsfh

sambad.in

ତେଜସ୍କର ମହାପାତ୍ର
ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ମୂକସାକ୍ଷୀ କୁହାଯାଉଥିବା ଭେଡ଼େନ ନଦୀ ଏବେ ଅନ୍ତିମ ନିଃଶ୍ବାସ ଗଣୁଛି। ସୁନ୍ଦରଗଡ଼ ବଣାଇରୁ ବାହାରିଥିବା ଭେଡ଼େନ ନଈକୁ ଝାରସୁଗୁଡ଼ା ଜିଲ୍ଲା ଖେରୁଆଲରେ ଇବ୍‌ ନଦୀର ସଙ୍ଗମସ୍ଥଳ ପୂର୍ବରୁ ହିଁ  ପୋତିଦେବାର ଅଭିଯାନ ଆରମ୍ଭ ହୋଇଛି। ବିଗତ ୨୦ ବର୍ଷରେ ଖେରୁଆଲରେ ଭେଡ଼େନ ନଦୀର ପ୍ରସ୍ଥ ୨୦୦ ମିଟରରୁ ହ୍ରାସ ପାଇ ୫୦ ମିଟରରେ ପହଞ୍ଚିଗଲାଣି। ଏହି ପ୍ରସଙ୍ଗରେ ପରିବେଶବିତ୍‌ମାନେ ହାଇକୋର୍ଟରୁ ଆରମ୍ଭ କରି ଗ୍ରିନ୍‌ ଟ୍ରିବ୍ୟୁନାଲଙ୍କର ଦ୍ବାରସ୍ଥ ବି ହୋଇଛନ୍ତି। କିନ୍ତୁ ନଦୀ ସୁରକ୍ଷା ଦିଗରେ ସରକାର କାଣିଚାଏ ବି ଆଗ୍ରହ ଦେଖାଉ ନଥିବାରୁ ଇବ୍‌ର ଏହି ଉପନଦୀ ବର୍ତ୍ତମାନ ତା’ର ଅସ୍ତିତ୍ବ ହରାଇବାକୁ ବସିଲାଣି।

ସ୍ବାଧୀନତା ସଂଗ୍ରାମର ଇତିହାସକୁ ଓଲଟାଇ ଦେ‌ଖିଲେ ସିପାହି ବିଦ୍ରୋହ ସମୟରେ ଭେଡ଼େନ ନଦୀ ଅନେକ ଗୁରୁତ୍ବପୂର୍ଣ୍ଣ ବିଦ୍ରୋହ ତଥା ଯୁଦ୍ଧ ଦେଖିଛି। କୁଦୋପାଲି ଯୁଦ୍ଧରେ ଛବିଳ ସାଏ ନିହତ ହେବା ପରେ ସଂଗ୍ରାମ ପାଇଁ ସୈନ୍ୟ ଯୋଗାଡ଼ ଦାୟିତ୍ବ ନେଇଥିବା ସେତେବେଳର କୋଲାବିରା ଜମିଦାର କରୁଣାକର ସିଂ ନାଏକଙ୍କ ଘର ଓ ବସ୍ତି ପୋଡ଼ି ଦେଇଥିଲେ ଇଂରେଜ ସୈନ୍ୟ। ଏହି ସମୟରେ ଏବର କୋଲାବିରା ବ୍ଲକ୍‌ ଭୋଗରାପାଲି ନିକଟସ୍ଥ ଭେଡ଼େନ ନଦୀର ରକତ ଝରିଆଠାରେ କରୁଣାକର ସିଂ ନାଏକ ଓ ଇଂରେଜ ସୈନ୍ୟ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ଭେଡ଼େନ ନଦୀତଟ ରକ୍ତରଞ୍ଜିତ ହୋଇଥିଲା ଓ କରୁଣାକରଙ୍କୁ ବନ୍ଦୀ କରିନେଇଥିଲେ ଇଂରେଜ। କେବଳ ସେତିକି ନୁହେଁ, ଏହାର ଯଥେଷ୍ଟ ପୂର୍ବରୁ ୧୫୫୦ରୁ ୧୬୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଭେଡ଼େନ ନଦୀ କୂଳରେ ଭୋଗରାଗଡ଼ ନାମରେ ଏକ ରାଜ୍ୟ ବି ରହିଥିଲା। ଆଜି ମଧ୍ୟ ପ୍ରତ୍ନତତ୍ତ୍ବବିତ୍‌ଙ୍କ ଖନନ ସମୟରେ ଏହି ଅଞ୍ଚଳରୁ ସେହି ସମୟର ରାଜମହଲର ପ୍ରମାଣ ମିଳେ। ଇତିହାସ ପୃଷ୍ଠାକୁ ଦେଖିଲେ ଏହି ନଦୀର ଆୟତନ ଯଥେଷ୍ଟ ଅଧିକ ରହିଥିଲା। ଏପରିକି ନଦୀର ବଣାଇଠାରୁ ଖେରୁଆଲ ମଧ୍ୟରେ ୩୦ରୁ ଅଧିକ ସ୍ଥାନରେ ଫେରି ଡଙ୍ଗାରେ ଯାତ୍ରୀଙ୍କୁ ନିଆ ଅଣା କରାଯାଉଥିଲା। 

ପୁରୁଣା ପୁସ୍ତକ ଓ ଲୋକକଥା ଅନୁସାରେ, ନଦୀର ଗଭୀରତା ୪୦ ଫୁଟରୁ ଅଧିକ ରହିଥିଲା। କିନ୍ତୁ ୧୯୯୦ ମସିହା ପରଠାରୁ ଲଗାତାର ଭାବେ ଏହି ନଦୀକୁ ହତ୍ୟା କରାଯିବାର ଉଦ୍ୟମ ଜାରି ରହିଛି। ଏପରିକି ନଦୀକୂଳରେ ଗଢ଼ି ଉଠିଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ସେମାନଙ୍କର ବର୍ଜ୍ୟ ନିଷ୍କାସନ ପାଇଁ ନଦୀକୁ ଉତ୍କୃଷ୍ଟ ମାଧ୍ୟମ ଭାବେ ବ୍ୟବହାର କରି ଆସୁଛନ୍ତି। କେଉଁଠି ନଦୀକୂଳରେ ପାଉଁଶ ପାହାଡ଼ ଛିଡ଼ା କରିଦିଆଯାଇଛି ତ’ ଆଉ କେଉଁଠି ନଦୀ ଭିତରେ ବର୍ଜ୍ୟ ଆବର୍ଜନାର କୃତ୍ରିମ ପାହାଡ଼ ସୃଷ୍ଟି କରାଯାଇଛି। ୨୦୧୭ ମସିହାରେ କାତିକେଲାଠାରେ ଥିବା ପାଉଁଶ ପୋଖରୀ ଭୁଶୁଡ଼ିଯିବା ଫଳରେ ନଦୀରେ ହଜାର ହଜାର ଟନ୍‌ର ପାଉଁଶ ଜମା ହୋଇଯାଇଥିଲା। ଏବେ ବି ଶିଳ୍ପାନୁଷ୍ଠାନଗୁଡ଼ିକରୁ ବଡ଼ ବଡ଼ ପାଇପ୍‌ ଯୋଗେ ଅର୍ଦ୍ଧତରଳ ପାଉଁଶ ସ୍ଲରି ସିଧାସଳଖ ଭେଡେନ୍‌ ନଦୀକୁ ଛାଡ଼ି ଦିଆଯାଉଛି। ଫଳରେ ସଙ୍ଗମସ୍ଥଳରୁ ଅଳ୍ପ ଦୂରରେ ନଦୀ ସଂକୀର୍ଣ୍ଣ ହୋଇଯାଇଛି। ଏହି ନଦୀପୋତା ଅଭିଯାନରେ ରୋକ୍‌ ନ ଲାଗିଲେ ଇତିହାସର ମୂକସାକ୍ଷୀ ହୋଇ ରହିଥିବା ଭେଡ଼େନ ନଦୀ ଯେ ବର୍ଷ କେଇଟାରେ ସମ୍ପୂର୍ଣ୍ଣ ଇତିହାସ ପାଲଟି ନଯିବ, ତାହା କହିହେବନି ବୋଲି ପରିବେଶ୍‌ବିତମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe