କଟା ହୋଇଛି ଅଢ଼େଇ ଲକ୍ଷ ଗଛ: ଖଣି ପାଇଁ ଗଛ ବଳି

Advertisment
କଟା ହୋଇଛି ଅଢ଼େଇ ଲକ୍ଷ ଗଛ: ଖଣି ପାଇଁ ଗଛ ବଳି

ଅନୁଗୁଳ: ଖଣି ପାଇଁ ଅଢ଼େଇ ଲକ୍ଷ ଗଛ କାଟି ସଫା କରି ଦିଆଯାଇଛି। ଜଙ୍ଗଲ ପଦା ହୋଇଯାଇଛି। କୋଇଲା ଖଣି ପାଇଁ କେବଳ ତାଳଚେରରେ ୨ଲକ୍ଷ ୬୩ ହଜାର ଗଛ ଏମ୍‌ସିଏଲ୍‌ ପକ୍ଷରୁ କଟା ଯାଇଥିବା ବେଳେ ଏହା ତାଳଚେରର ପ୍ରଦୂଷଣ ସମସ୍ୟାକୁ ସଙ୍ଗିନ କରିଛି। ତାଳଚେରରେ ଏମ୍‌ସିଏଲ୍ ପକ୍ଷରୁ ଏକାଧିକ କୋଇଲା ଖଣିରୁ କୋଇଲା ଉତ୍ତୋଳନ କରାଯାଉଛି। ସରକାରୀ ତଥ୍ୟ ଅନୁସାରେ, ମୋଟ ୪୮୩୧ ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି। ଉଦ୍‌ବେଗର ବିଷୟ, ଏଥିରୁ ପ୍ରାୟ ଅଧା ଜଙ୍ଗଲ ଜମି। କୋଇଲା ଖଣି ପାଇଁ ୨୩୨୭ ହେକ୍ଟର ଜମି କମ୍ପାନି ହାତକୁ ଟେକି ଦିଆଯାଇଛି। ଏଥିରେ ଥିବା ବହୁ ପୁରୁଣା ଗଛ କାଟି କୋଇଲା କଢ଼ା ଯାଉଛି। ଏହି ଜଙ୍ଗଲ ଜମିରୁ ୨,୬୩,୨୬୮ଟି ଗଛ କଟା ଯାଇଥିବା ସରକାରୀ ହିସାବ କହୁଛି। ପୁଣି ଘରୋଇ ଜମିରୁ ହଜାର ହଜାର ଗଛ କଟାହୋଇଛି। ଏମିତି ହିସାବ କଲେ, ୩ ଲକ୍ଷରୁ ଅଧିକ ଗଛକୁ ବଳି ଦିଆଯାଇଛି। ଜଙ୍ଗଲ ଜମି ପଦା ହେବା ଓ ପୁରୁଣା ଗଛ ସବୁ ମାଟିରେ ମିଶିବା ପରେ ତାଳଚେରର ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଛି।

କୋଇଲା ଉତ୍ତୋଳନ ସହ କୋଇଲା ଭିତ୍ତିକ ଶିଳ୍ପାନୁଷ୍ଠାନ ଗଢ଼ି ଉଠିବା ପରେ ଏହା ପ୍ରଦୂଷଣ ଜନିତ ସ୍ଥିତିକୁ ଅଧିକ ବିଗାଡ଼ି ଦେଇଛି। ସାରା ଦେଶରେ ଅନୁଗୁଳ ଓ ତାଳଚେର ପ୍ରଦୂଷଣ ଦୃଷ୍ଟିରୁ ସମ୍ବେଦନଶୀଳ ସ୍ଥାନରେ ରହିଛି। ଉଭୟ ସହରରେ ବାୟୁ ମାନ ସୂଚକାଙ୍କ(ଏକ୍ୟୁଆଇ) ୩ ଶହ ଟପି ଯାଉଛି। ହେଲେ ପ୍ରଦୂଷଣ ରୋକିବା ପାଇଁ ଯେଉଁ ପରିମାଣରେ ଗଛ ଲାଗିବା କଥା ଲାଗୁନି। ଏଭଳି ସ୍ଥିତିରେ ସବୁଜ ବଳୟରେ ରହିଥିବା ଛେଣ୍ଡିପଦା ଶ୍ରୀହିନ ହେବାକୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ‌ରେ ଉତ୍କଳ ଡି ଓ ଇ କୋଲ ବ୍ଲକ୍‌ରୁ କୋଇଲା ଖନନ ଚାଲିଛି। ଏପଟେ ସିଙ୍ଗାରେଣି କଂପାନି ପକ୍ଷରୁ ନୟନୀ କୋଲ୍‌ ବ୍ଲକ୍‌ରୁ କୋଇଲା ଖନନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କେବଳ ଏହି ଗୋଟିଏ କୋଲ୍‌ ବ୍ଲକ୍‌ ପାଇଁ ୬୪୩ ହେକ୍ଟର ଜଙ୍ଗଲ ଜମି ହସ୍ତାନ୍ତର ପାଇଁ ଅନୁମତି ମିଳିଛି। ‌ଫଳରେ ‌ଛେଣ୍ଡିପଦା ଜଙ୍ଗଲ ପଦା ହେବାକୁ ଯାଉଛି। ଏଠାରେ ଥିବା ବହୁ ପୁରୁଣା ଗଛ କାଟିବା ପାଇଁ ମାପଚୁପ ଆରମ୍ଭ ହୋଇଛି। ଆଉ ଏହା ଅନୁଗୁଳ ଜିଲ୍ଲାର ପ୍ରଦୂଷଣକୁ ଆହୁରି ଶୋଚନୀୟ କରିବାର ଆଶଙ୍କା ଜଳଜଳ ଦିଶିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe