କଟକ ଡିସିପି କହି ୭ ଲକ୍ଷ ଟଙ୍କା ଠକେଇ ବେଳେ ଧରା ପଡିଲା ଇଞ୍ଜିନିୟର

କଟକ ଡିସିପି କହି ୭ ଲକ୍ଷ ଟଙ୍କା ଠକେଇ ବେଳେ ଧରା ପଡିଲା ଇଞ୍ଜିନିୟର

କୋରାପୁଟ: ନିଜକୁ କଟକ ଡିସିପି କହି ଠକେଇ। ପୁଣି ହଜାରେ କି ଲକ୍ଷେ ନୁହେଁ। ପୁରା ୭ ଲକ୍ଷ ୨୦ ହଜାର। ଏମିତି ଜାଲିଆତି କରି ପୁଲିସ ଖାପଚାରେ ପଡିଛନ୍ତି ଜଣେ ଯୁବ ଇଂଜିନିୟର। ଭଲ ପରିବାରର ଶିକ୍ଷିତ ଯୁବକ ହୋଇ ଠକେଇ କରୁଥିବା ଦାମନଯୋଡିର ପବିତ୍ର ମୋହନ ମହାନ୍ତିଙ୍କୁ ସେମିଳିଗୁଡା ପୁଲିସ ଗିରଫ କରିଛି। ଆଉ ଗିରଫ ପରେ ପୁଲିସ ଜାଣି ପାରିଛି, ଏହି ଠକେଇ ପଛରେ ରହିଛି ଏକ ଭୟଙ୍କର ପ୍ରେମ କାହାଣୀ।
କୋରାପୁଟ ସେମିଳିଗୁଡା ଅଂଚଳର ଯୁବକ ଜଗଦୀଶ ପାଢୀଙ୍କର ଫେସବୁକରେ ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା। ଦେବସ୍ମିତା ମହାପାତ୍ରଙ୍କ ନାମରେ ଥିବା ଏହି ଯୁବତୀଙ୍କ ସହ ଜଗଦୀଶ ଚାର୍ଟ କରୁଥିଲେ। ଏମିତି ଧୀରେ ଧୀରେ ସେମାନଙ୍କ ସଂପର୍କ ନିବିଡି ହୋଇଥିଲା। କେହି କାହାକୁ ଦେଖି ନ ଥିଲେ କି ଜାଣି ନ ଥିଲେ ମଧ୍ୟ ଦଗଦୀଶ ଯୁବତୀଙ୍କ ପ୍ରେମରେ ପଡି ଯାଇଥିଲେ। ପରେ ସେମାନେ ଅଶ୍ଳୀଳ ମେସେଜ ପଠାଇବା ସହ ଅଶ୍ଳୀଳ ଫଟୋ ବି ଦିଆନିଆ କରିଥିଲେ। ବହୁ ଆପତ୍ତିଜନକ ଚିତ୍ର ସେମାନେ ଫେସବୁକ ମାଧ୍ୟମରେ ଆଦାନ ପ୍ରଦାନ କରିଥିଲେ। ଏହା ପରେ ହଠାତ ଦେବସ୍ମିତାଙ୍କ ଫେସବୁକ ଆକାଉଣ୍ଟ ବନ୍ଦ ହୋଇ ଯାଇଥିଲା।

publive-imageଏପଟେ ଦେବସ୍ମିତା ଏମିତି କାହିଁକି କଲେ ଜଗଦୀଶ କିଛି ବୁଝି ପାରି ନ ଥିଲେ। କିନ୍ତୁ ଏହାର କିଛି ଦିନ ପରେ ଜଗଦୀଶଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା। ଫୋନ କରିଥିବା ଯୁବକ ଜଣଙ୍କ ନିଜକୁ କଟକ ଡିସିପି ବୋଲି ପରିଚୟ ଦେଇଥିଲେ। ଆଉ କହିଥିଲେ, ତୁ ମୋ ଝିଆରୀ ସହ ଫେସବୁକରେ ଖରାପ କଥାବାର୍ତ୍ତା କରିଛୁ। ତତେ ଥାନାରେ ପୁରାଇ ଦେବି। ଶୀଘ୍ର ୫୦ ହଜାର ଟଙ୍କା ନ ଦେଲେ କେସ କରି ଦେବି ବୋଲି ଯୁବକ ଜଣଙ୍କ ଧମକ ଦେଇଥିଲେ। ଫଳରେ ଜଗଦୀଶ ଡରିମରି ୩୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଏହା ବନ୍ଦ ହୋଇ ନ ଥିଲା। କଟକର ଡିସିପି କହି ସେ ବାରମ୍ବାର ଜଗଦୀଶଙ୍କୁ ଧମକାଇ ଟଙ୍କା ଆଦାୟ କରି ଚାଲିଥିଲେ।

ଏମିତିରେ ସେ ୭ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଥିଲେ। ଏକ ଔଷଧ ଦୋକାନ କରିଥିବା ଜଗଦୀଶ ଏମିତି ଟଙ୍କା ଦେଇ ଦେଇ ଚିନ୍ତାରେ ପଡି ଯାଇଥିଲେ। ଏପରିକି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଯାଇଥିଲେ। ଘର ଲୋକେ ଏହା ଜାଣିବା ପରେ ଘଟଣାର ଖୋଳତାଡ କରିଥିଲେ। ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଏକ ଆକାଉଣ୍ଟକୁ ବାରମ୍ବାର ଟଙ୍କା ପଠା ଯାଇଥିବାରୁ ସେମାନେ ସନ୍ଦେହ କରିଥିଲେ। ଏଥିନେଇ ଜଗଦୀଶଙ୍କୁ ପଚାରିବାରୁ ସେ ସବୁ ସତ କହି ଦେଇଥିଲେ। ପରେ ଏଥିନେଇ ସେମିଳିଗୁଡା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ୯୨/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା।

ଏହି ଘଟଣା ପଛରେ ଦାମନଯୋଡିର ଯୁବ ଇଂଜିନିୟର ପବିତ୍ର ମୋହନ ନାୟକଙ୍କୁ ଗିରଫ କରିଛି। ସେ ଦେବସ୍ମିତାଙ୍କ ନାମରେ ଏକ ଜାଲି ଆକାଉଣ୍ଟ ଖୋଲି ଜଗଦୀଶଙ୍କ ସହ ଚାର୍ଟ କରୁଥିଲେ। ପରେ କଟକ ଡିସିପି କହି ଟଙ୍କା ଠକି ନେଇଥିଲେ। ତାଙ୍କ ନିଜ ଘର କଟକ ଜିଲ୍ଲା କିଶୋର ନଗର ଥାନା କାଳିକାପୁର ଗ୍ରାମରେ। ସେ ଏଠାରେ ଦାମନଯୋଡି ନାଲକୋ କ୍ବାର୍ଟସରେ ପରିବାର ସହ ରହୁଥିଲେ। ପୁଲିସ ତାଙ୍କୁ ଆଜି କୋର୍ଟ ଚାଲାଣ କରିଥିଲାବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe