ଚିକିତ୍ସାରେ ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ଘଟଣା : ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଠେଲାପେଲା ଓ ମାଡ଼ ଘଟଣାରେ ଜଣେ ଗିରଫ

Advertisment

କଂଗ୍ରେସ ନେତାଙ୍କୁ ଥାନାରେ ପଚରାଉଚୁରା, ଆନ୍ଦୋଳନ ଚେତାବନୀ

କଂଗ୍ରେସ ନେତାଙ୍କୁ ଥାନାରେ ପଚରାଉଚୁରା, ଆନ୍ଦୋଳନ ଚେତାବନୀ

ଚିକିତ୍ସାରେ ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ଘଟଣା : ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଠେଲାପେଲା ଓ ମାଡ଼ ଘଟଣାରେ ଜଣେ ଗିରଫ

ବାରିପଦା : ଗତକାଲି ପିଆରଏମ୍ ମେଡିକାଲରେ ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ମେଡିକାଲ୍ ଅଧୀକ୍ଷକଙ୍କୁ ହୋଇଥିବା ଆକ୍ରମଣ ଓ ମାଡ଼ ଘଟଣାରେ ଆଜି ବାରିପଦା ଟାଉନ ଥାନା ପୁଲିସ ନିର୍ମଳ ପ୍ରଧାନ ନାମକ ଜଣେ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି। ତେବେ ପୁଲିସ୍ ଉକ୍ତ ବ୍ୟକ୍ତିଙ୍କୁ ଆଣିବାକୁ ଯାଇଥିବାବେଳେ ସେ ଛାତରୁ ଡେଇଁପଡ଼ିଥିଲେ। ଫଳରେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି। ତେଣୁ ତାଙ୍କୁ ଥାନାକୁ ଅଣାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୁଲିସ୍ ସୂଚନା ଦେଇଛି।

ଗତକାଲି ସ୍ଥାନୀୟ ପିଆରଏମ୍ ମେଡିକାଲରେ ଥାଲାସେମିଆରେ ପିଡ଼ୀତ ଶ୍ୟାମାଖୁଣ୍ଟା ବ୍ଲକ ସପଞ୍ଚୁଆ ଗ୍ରାମର ଛାତ୍ରୀ ସୁପ୍ରିୟା ପାତ୍ରଙ୍କ ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ଶବକୁ ଧରି ହସ୍ପିଟାଲ ଫାଟକକୁ ବନ୍ଦ ରଖି ଧାରଣାରେ ବସିଥିଲେ । ଏନେଇ ପିଆରଏମ୍ ଅଧିକ୍ଷକ ଡ଼ଃ ବୈକୁଣ୍ଠନାଥ ମହାପାତ୍ର ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବାକୁ ଆସିଥିବା ବେଳେ ଯୁକ୍ତିତର୍କ ହେବା ସହ ଉତ୍ତ୍ୟକ୍ତ ଲୋକେ ଅଧୀକ୍ଷକଙ୍କୁ ଠେଲାପେଲା କରିବା ସହ ମାଡ଼ ମାରିଥିଲେ । ଏହି ଘଟଣାକୁ ନେଇ ଆଜି ଅଧୀକ୍ଷକ ଶ୍ରୀ ମହାପାତ୍ର ଏବଂ ମୃତକଙ୍କ ପରିବାର ପକ୍ଷରୁ ପୃଥକ ଭାବେ ବାରିପଦା ଟାଉନ ଥାନାରେ ଅଭିଯୋଗ କରାଯାଇଛି। ଅଧୀକ୍ଷକଙ୍କ ଏତଲାକୁ ଆଧାର କରି ଟାଉନ ଥାନା ପୁଲିସ୍ ଆଜି ଜିଲ୍ଲା କଂଗ୍ରେସ ଉପସଭାପତି ଅରବିନ୍ଦ ଦାସ, ମହିଳା ସଭାନେତ୍ରୀ ଆଇନଜୀବୀ ସୁସ୍ମିତା ଘୋଷାଲ, ଜିଲ୍ଲା ସଂଯୋଜକ ଆଇନଜୀବୀ ଶାନ୍ତନୁ ପାଲ ଏବଂ କର୍ମୀ ନିର୍ମଳ ପ୍ରଧାନଙ୍କୁ ଥାନାକୁ ଡାକି ପଚରାଉଚୁରା କରିଥିଲା। ତେବେ ଦୀର୍ଘ ସମୟ ଥାନାରେ ଅଟକ ରହିବା ପରେ ବାର ଅସୋସିଏସନର ବରିଷ୍ଠ ଆଇନଜୀବୀ ପ୍ରଦୀପ ରଥଙ୍କ ନେତୃତ୍ବରେ ଆସୋସିଏସନର ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ତଥା କଂଗ୍ରେସ ଦଳର କିଛି ବରିଷ୍ଠ ନେତୃବୃନ୍ଦ ଆସି ଆଲୋଚନା କରିବା ପରେ ୩ ଜଣଙ୍କୁ ସର୍ତ୍ତମୂଳକ ଭାବେ ଛଡା ଯାଇଥିବା ବେଳେ ନିର୍ମଳ ପ୍ରଧାନଙ୍କୁ ଅଟକ ରଖାଯାଇଥିଲା।

କଂଗ୍ରେସର ଉକ୍ତ ନେତୃବୃନ୍ଦଙ୍କର ଗତକାଲିର ଗଣ୍ଡଗୋଳରେ କିଛି ସମ୍ପୃକ୍ତି ନଥିଲା। ବରଂ ଜଣେ ନାବାଳିକାଙ୍କ ମୃତ୍ୟୁ ମାମଲାରେ ପରିବାର ଲୋକଙ୍କୁ ସମବେଦନା ଦେବା ସହିତ ପରିବାରକୁ କ୍ଷତିପୂରଣ ଏବଂ ନ୍ୟାୟ ପାଇଁ ଦାବି କରିଥିଲେ କଂଗ୍ରେସ କର୍ମୀ। ମାତ୍ର ଏଭଳି ଘଟଣାରେ ପୁଲିସ ପକ୍ଷରୁ କୌଣସି ନୋଟିସ ଦିଆ ନ ଯାଇ ୪ ଜଣଙ୍କୁ ଉଠାଇନେବା ସହିତ ସେମାନଙ୍କୁ ଅଭିଯୁକ୍ତ ଭଳି ବ୍ୟବହାର କରିବା ଘଟଣାକୁ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ ତୀବ୍ର ନିନ୍ଦା କରିଛନ୍ତି। ଶାସକ ଦଳର ହାତବାରିସୀ ସାଜିଥିବା ପୁଲିସର ଏପରି କାର୍ଯ୍ୟାନୁଷ୍ଠାନ ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି। ଅଧୀକ୍ଷକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାରିପଦା ପୁଲିସ ଏସ ଡି ପି ଓ କେ.କେ ହରିପ୍ରସାଦ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe