ଜାଲ୍‌ କାଗଜପତ୍ର ବଳରେ ଋଣ ନେଇ ଜଣେ ଗିରଫ

Advertisment
ଜାଲ୍‌ କାଗଜପତ୍ର ବଳରେ ଋଣ ନେଇ ଜଣେ ଗିରଫ

IndiaToday

ଭୁବନେଶ୍ୱର : ଢେଙ୍କାନାଳ ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ରୁ ଜାଲ୍‌ କାଗଜପତ୍ର ବଳରେ ଲକ୍ଷାଧିକ ଟଙ୍କାର ଋଣ ନେଇ ଫେରାର ହୋଇଥିବା ଏକ ଅଭିଯୁକ୍ତକୁ ଆଜି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି। ସେ ହେଉଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅଧୀନ କୁସୁମ ତଇଳା ଗ୍ରାମର ବୁଦ୍ଧିମନ୍ତ ସାହୁ। ଅପରାହ୍‌ଣରେ ତାକୁ ଢେଙ୍କାନାଳ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ୨୦୧୬ରେ ରୁଜୁ ହୋଇଥିବା ଏହି ମାମଲାରେ ଢେଙ୍କାନାଳ ଅର୍ବାନ୍‌ କୋଅପରେଟିଭ୍‌ ବ୍ୟାଙ୍କ୍‌ର ତତ୍‌କାଳୀନ ଲୋନ୍‌ ସବ୍‌ କମିଟି ସଦସ୍ୟ ତଥା ସଭାପତି ସୁକାନ୍ତ ମିଶ୍ର, ସମ୍ପାଦକ ନିରଞ୍ଜନ କର, ନିର୍ଦ୍ଦେଶକ ଭରତଚନ୍ଦ୍ର ସାମଲ ଓ ପଞ୍ଚାନନ ସ୍ବାଇଁଙ୍କ ସମେତ ୯ ଜଣ ଗିରଫ ହୋଇ ଜେଲ୍‌ ଯାଇଥିଲେ। ଏହି ମାମଲାରେ ଗିରଫ ହେବାରେ ବୁଦ୍ଧିମନ୍ତ ୧୪ ତମ ଅଭିଯୁକ୍ତ।

ସୂଚନା ମୁତାବକ, ୧୯୯୫ ମସିହାରେ ଢେଙ୍କାନାଳ ଅର୍ବାନ୍‌ କୋଅପରେଟିଭ୍‌ ବ୍ୟାଙ୍କ୍‌ର ସୁକାନ୍ତ ମିଶ୍ର ସଭାପତି ରହିଥିଲେ। ୧୯୯୫ ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ ୬ ବର୍ଷ ମଧ୍ୟରେ ଶ୍ରୀ ମିଶ୍ର ସମ୍ପାଦକ ନିରଞ୍ଜନ କର ଓ ଅନ୍ୟ ନିର୍ଦ୍ଦେଶକମାନଙ୍କୁ ହାତ କରି ୨୦ ଜଣ ଲୋକଙ୍କୁ ୯୪ ଲକ୍ଷ ୪୨ ହଜାର ଟଙ୍କା ଋଣ ଦେଇଥି‌ଲେ। ଯେଉଁ ଲୋକଙ୍କୁ ଋଣ ଦେଇଥିଲେ ସେମାନେ ଋଣ ପାଇଁ ଆବଶ୍ୟକ ପଡ଼ୁଥିବା କାଗଜପତ୍ରକୁ ଜାଲ୍‌ କରି ଦାଖଲ କରିଥିଲେ। ଏଥିରେ ଋଣ ଗ୍ରହୀତାଙ୍କ ସମେତ ଏହି ସବୁ ଲୋକପ୍ରତିନିଧି ଓ ବ୍ୟାଙ୍କ୍‌ର ଅଧିକାରୀ ମଧ୍ୟ ସାମିଲ ଥିଲେ। ୨୦୧୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ଅର୍ଥର ପରିମାଣ ୩ କୋଟି ୬୩ ଲକ୍ଷରେ ପହଞ୍ଚିଥିଲା। ଫଳରେ ବ୍ୟାଙ୍କ୍‌ ଭୟଙ୍କର କ୍ଷତି ସହିବା ସହ ବୁଡ଼ିବା ପରିସ୍ଥିତି ଆସିଯାଇଥିଲା। ଅନ୍ୟ ଜମାକାରୀମାନେ ମଧ୍ୟ ସଞ୍ଚୟ କରିଥିବା ଅର୍ଥ ପାଇପାରି ନଥିଲେ। ଏଭଳି ସ୍ଥିତିରେ ସରକାର କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ୨୦୧୬ରେ ଇଓଡବ୍ଲୁ ନିଜଆଡୁ ଏକ ମାମଲା ରୁଜୁ କରିବା ସହ ଡିଏସ୍‌ପି ଗଣେଶ ଚନ୍ଦ୍ର ପ୍ରଧାନ ମାମଲାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତବେଳେ ଏହି ସବୁ ରହସ୍ୟ ପଦାକୁ ଆସିଥିଲା। ବିଭିନ୍ନ ସମୟରେ ଚଢ଼ଉ କରି ଅଭିଯୁକ୍ତ ସଭାପତି, ସମ୍ପାଦକ, ଦୁଇ ନିର୍ଦ୍ଦେଶକଙ୍କ ସମେତ ୯ ଜଣଙ୍କୁ ଗିରଫ କରାଯାଇଥିଲା। ତାଲିକାରେ ବୁଦ୍ଧିମନ୍ତ ଅନ୍ୟତମ ଅଭିଯୁକ୍ତ ଥିଲେ। ସେ ୩ ଲକ୍ଷ ଟଙ୍କା ଋଣ ନେଇଥିଲେ। ପରିଶୋଧ ନ କରିବାରୁ ତାହା ବଢ଼ି ବଢ଼ି ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ୧୦ ଲକ୍ଷ ୯୭ ହଜାର ଟଙ୍କାରେ ପହଞ୍ଚିଥିଲା। ୧୮ ମସିହାରୁ ଫେରାର ଥିବା ଏହି ଅଭିଯୁକ୍ତକୁ ଆଜି ଇଓଡବ୍ଲୁ ଢେଙ୍କାନାଳରୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି। ୨୦ ଋଣ ଗ୍ରହୀତାଙ୍କ ମଧ୍ୟରୁ ଏବେ ୧୦ ଗିରଫ ହୋଇଥିବା ବେଳେ ଅନ୍ୟ ୧୦ ଜଣଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe