ପୁଲିସ ଏଏସଆଇଙ୍କ ସ୍କୁଟିରେ ଗଞ୍ଜେଇ ଚାଲାଣ; ୧୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଲିଙ୍କ୍ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ: ଏସପି

ପୁଲିସ ଏଏସଆଇଙ୍କ ସ୍କୁଟିରେ ଗଞ୍ଜେଇ ଚାଲାଣ; ୧୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ସୋନପୁର: ସୋନପୁର ପୁଲିସ ଚଢ଼ଉ କରି ୧୨ କେଜିରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଚାଲାଣକାରୀକୁ ଗିରଫ କରିଛି। ଏ ସମ୍ପର୍କରେ ସୋନପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରାଜକିଶୋର ମିଶ୍ର ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୭ଟା ୨୫ ସମୟରେ ସୋନପୁର ବୁଢ଼ାରାଜା ଛକରେ ପାଟ୍ରୋଲିଂ କରୁଥିବା ସମୟରେ ପୁଲିସ ଏକ ସ୍କୁଟି (ଓଡି-୧୭ ଏକ୍ସ-୯୭୭୧)କୁ ସନ୍ଦେହରେ ଅଟକାଇ ଥିଲା। ଯାଞ୍ଚ ସମୟରେ ସେଥିରୁ ୧୨ କେଜି ୬ ଶହ ଗ୍ରାମ ଗଞ୍ଜେଇ ବାହାରିଥିଲା। ଏହି ଘଟଣାରେ ସୋନପୁର ପୁଲିସ ସୁବଳୟା ଥାନା ଟେଭାପଦର ଗ୍ରାମର ଅଭିଯୁକ୍ତ ସଂଗ୍ରାମ କର୍ଡ଼ିଆ(୨୭)କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଏଥିସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ସ୍କୁଟିକୁ ମଧ୍ୟ ସୋନପୁର ପୁଲିସ ଜବତ କରିଛି।

ତେବେ ଉକ୍ତ ସ୍କୁଟି ନମ୍ବର ଯାଞ୍ଚ କରିବାରୁ ତାହା ଉଲୁଣ୍ଡା ଥାନାରେ କାର୍ଯ୍ୟରତ ଏଏସଆଇ ସ୍ମିତାରାଣୀ ଦାଶଙ୍କର ବୋଲି ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ଏସଡିପିଓ ଶ୍ରୀ ମିଶ୍ର କହିଛନ୍ତି, ‘ସ୍କୁଟିଟି ଏଏସଆଇ ସ୍ମିତାରାଣୀ ଦାଶଙ୍କ ନାମରେ ଥିବା ଜଣାପଡ଼ିଛି। ବିଭିନ୍ନ ଦିଗକୁ ନେଇ ଏହାର ତଦନ୍ତ ଚାଲିଛି।’ ଘଟଣା ସମ୍ପର୍କରେ ଏସପି ଅମରେଶ ପଣ୍ଡାଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, ‘ଘଟଣାର ତଦନ୍ତ ଚାଲିଛି। ଯଦି ସମ୍ପୃକ୍ତ ଏଏସଆଇଙ୍କ ଗଞ୍ଜେଇ ଚାଲାଣ ଲିଙ୍କ୍ ସମ୍ପର୍କରେ କୌଣସି ପ୍ରମାଣ ମିଳେ, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ’। ତେବେ ଏ ସମ୍ପର୍କରେ ଏଏସଆଇ ସ୍ମିତାରାଣୀ ଦାଶଙ୍କୁ ପଚାରିବାରୁ କହିଥିଲେ, ‘ଅଭିଯୁକ୍ତ ସଂଗ୍ରାମ ମୋର ପୂର୍ବ ପରିଚିତ। ତେଣୁ ଜରୁରି କାମ ଅଛି ବୋଲି କହି ମାଗିବାରୁ ମୁଁ ତା’କୁ ସ୍କୁଟି ଦେଇଥିଲି। ମାତ୍ର ସେ ଏଥିରେ ଗଞ୍ଜେଇ ଚାଲାଣ କରିବ ବୋଲି ଜାଣି ନ ଥିଲି’। ତେବେ ଜଣେ ପୁଲିସ ଅଧିକାରୀଙ୍କ ସ୍କୁଟିରେ ଗଞ୍ଜେଇ ଚାଲାଣକୁ ନେଇ ଜନସାଧାରଣଙ୍କ ନାନା ପ୍ରକାର ଚର୍ଚ୍ଚା ହେଉଛି। ଏସଡିପିଓଙ୍କ ଏହି ସାମ୍ବାଦିକ ସମ୍ମିଳନୀରେ ସୋନପୁର ଥାନା ଆଇଆଇସି ପଦ୍ମାସିନୀ ମେହେର ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe