ପ୍ରତୀକାତ୍ମକ ଫଟୋ
ସମ୍ବଲପୁର: ଗୁରୁବାର ମଧ୍ୟାହ୍ନରେ ବୁର୍ଲା ପାୱାର ଚ୍ୟାନେଲକୁ ଜଣେ ଯୁବକ-ଯୁବତୀ ଡେଇଁ ପଡ଼ିଛନ୍ତି | ଏହି ଦୁଇ ଜଣ ପ୍ରେମିକ-ପ୍ରେମିକା ବୋଲି ଚର୍ଚ୍ଚା ହେଉଛି । ଅଗ୍ନିଶମ ବିଭାଗର ଏକ ଟିମ୍ ଓ ସ୍କୁବା ଡାଇଭର ଦଳ ପ୍ରାୟ ୪ ଘଣ୍ଟା ଧରି ବ୍ରିଜ ତଳୁ ନେଇ ବିଷ୍ଣୁମନ୍ଦିର ପଡ଼ା ଯାଏଁ ଖୋଜାଖୋଜି କରିଥିଲେ। ତେବେ କୌଣସି ସନ୍ଧାନ ନମିଳିବା ପରେ ସନ୍ଧ୍ୟାରେ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଏସମ୍ପର୍କରେ ବୁର୍ଲା ଥାନାରେ କୌଣସି ରିପୋର୍ଟ ହୋଇନଥିବା ସମୟରେ ପୁଲିସ୍ ମଧ୍ୟ ଘଟଣାର ସତ୍ୟତା ଯାଞ୍ଚ କରୁଥିବା ଥାନା ଅଧିକାରୀ ବି.ବି.ଭୋଇ କହିଛନ୍ତି। ଅପରପକ୍ଷେ, ଉକ୍ତ ପ୍ରେମୀ ଯୁଗଳ କିଏ ଓ କେଉଁ ଅଞ୍ଚଳର ତାହା ମଧ୍ୟ ଜଣାପଡ଼ିନାହିଁ।
ପ୍ରେମୀ ଯୁଗଳ ଡେଇଁବା ଖବର ପ୍ରଚାରିତ ହେବା ପରେ ବୁର୍ଲା ସହରସ୍ଥିତ ପାୱାର ଚାନେଲ୍ ପୋଲ ଉପରେ ଲୋକଙ୍କ ଭିଡ଼ମିଳିଥିବା ସୂଚନା ମୁତାବକ ସ୍ପଷ୍ଟ ଦିବାଲୋକରେ ଦିନ ପ୍ରାୟ ୧୨ଟା ୨୦ ମିନିଟ ସମୟରେ ଜଣେ ଯୁବକ ଯୁବତୀ ବ୍ରିଜରୁ ତଳକୁ ଡେଇଁପଡ଼ିଥିବା ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ରାସ୍ତା ଉପରେ ଲୋକଙ୍କର ଭିଡ଼ ଜମିଥିଲା। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବୁର୍ଲା ଏନ୍ଏସି ମହାବିଦ୍ୟାଳୟ ନିକଟରେ ସକାଳ ୧୦ଟା ସମୟରେ ଉକ୍ତ ପ୍ରେମୀ ଯୁଗଳଙ୍କୁ ଦେଖିବାକୁ ମିଳିଥିଲା। ଏହାପରେ ସେମାନେ ଚାଲିଚାଲି ନେତାଜୀ ଛକକୁ ଆସିବା ପରେ ବ୍ରିଜ ଉପରୁ ହାତ ଧରାଧରି ହୋଇ ପାଣି ଭିତରକୁ ଡେଇଁ ପଡ଼ିଥିବା କୁହାଯାଉଛି।
ସୂଚନା ମିଳିବା ମାତ୍ରେ କିଛି ସମୟ ମଧ୍ୟରେ ହୀରାକୁଦ ଡ୍ୟାମରୁ ପାୱାର ଚ୍ୟାନେଲକୁ ଜଳଯୋଗାଣ ବନ୍ଦ କରାଯାଇ ଅଗ୍ନିଶମ ବିଭାଗର ଏକ ଟିମ୍ ଭିତରକୁ ପ୍ରବେଶ କରିଥିଲା। ତେବେ ବର୍ତ୍ତମାନ ଚ୍ୟାନେଲ ମଧ୍ୟରେ ୨୦ ଫୁଟରୁ ଅଧିକ ପାଣି ରହିଥିବା ବେଳେ ସ୍ରୋତ ପ୍ରଖର ଥିବାରୁ ଅଧିକ ସମୟ ଧରି ଖୋଜିବା ସମ୍ଭବ ହୋଇନଥିଲା। ତେବେ ଶୁକ୍ରବାର ପୁଣିଥରେ ଉକ୍ତ ଅଞ୍ଚଳରୁ ନେଇ କେନାଲ ଯାଇ ମହାନଦୀରେ ମିଶୁଥିବା ସାଇଫନ୍ ଯାଏଁ ଖୋଜାଖୋଜି କରାଯିବ ବୋଲି କୁହାଯାଇଛି। ସାଇଫନ ଅଞ୍ଚଳରେ କାଦୁଅ ଅଧିକ ରହିଥିବାରୁ କେହି ପାଣିରେ ପଡ଼ିଲେ ଉକ୍ତ କାଦୁଅରେ ଫସିଯିବାର ଆଶଙ୍କା ରହିଥାଏ। ଉଲ୍ଲେଖଯୋଗ୍ୟ, ଗତବର୍ଷ ମଧ୍ୟ ଏହି ସ୍ଥାନରୁ ପାଣିକୁ ଡେଇଁ ୨ ଜଣ ଆତ୍ମହତ୍ୟା କରିଥିଲେ।
Follow Us