ଧନୁଯାତ୍ରା ପାଇଁ ଏକ କୋଟି: ୧୭୦ ଜଣ କଳାକାରଙ୍କୁ ୧୦ ହଜାର ଲେଖାଏଁ

ଆସନ୍ତା ଜାନୁଆରି ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାରେ ଧନୁଯାତ୍ରା ମହୋତ୍ସବ-୨୦୨୫ ପାଳିତ ହେବ। ଆମ ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ପ୍ରତୀକ ଭାବେ ଧନୁଯାତ୍ରା  ମହୋତ୍ସବକୁ ଆଡ଼ମ୍ବରର ସହ ପାଳନ କରିବା ସହ ଏହାକୁ ଆନ୍ତର୍ଜାତିକ ସ୍ତରର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ହୋଇଛି।

ମଥୁରାନଗରୀରେ ଆଜିଠୁ କଂସରାଜ୍‌

ଭୁବନେଶ୍ୱର: ଆସନ୍ତା ଜାନୁଆରି ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାରେ ଧନୁଯାତ୍ରା ମହୋତ୍ସବ-୨୦୨୫ ପାଳିତ ହେବ। ଆମ ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ପ୍ରତୀକ ଭାବେ ଧନୁଯାତ୍ରା  ମହୋତ୍ସବକୁ ଆଡ଼ମ୍ବରର ସହ ପାଳନ କରିବା ସହ ଏହାକୁ ଆନ୍ତର୍ଜାତିକ ସ୍ତରର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ହୋଇଛି। ଏହି ମହୋତ୍ସବ ପାଇଁ ପୂର୍ବରୁ ପ୍ରଦାନ କରାଯାଉଥିବା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇ ଏକ କୋଟି କରାଯାଇଛି। ଏହା ବାଦ୍‌ ଧନୁଯାତ୍ରାର ସିଧାପ୍ରସାରଣ, ଧନୁଯାତ୍ରା ନିମନ୍ତେ ସ୍ୱତନ୍ତ୍ର ୱେବସାଇଟ କରିବା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ନିମନ୍ତେ ୫୦ଲକ୍ଷ ଟଙ୍କାର ବ୍ୟୟବରାଦ କରାଯିବ। ଏଥି ସହ ଧନୁଯାତ୍ରାରେ ଭାଗନେଉଥିବା ପ୍ରାୟତଃ ୧୭୦ ଜଣ କଳାକାରମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ରାଶି ପ୍ରଦାନ କରାଯିବ। ପୂର୍ବ ବର୍ଷଗୁଡ଼ିକରେ ଧନୁଯାତ୍ରାରେ ଅଂଶଗ୍ରହଣ କରିଥିବା ବହୁ ଅଭିନେତାଙ୍କୁ ମଧ୍ୟ ସମ୍ମାନିତ କରାଯିବା ସହ ପ୍ରମାଣପତ୍ର ପ୍ରଦାନ କରାଯିବ।

୧୭୦ ଜଣ କଳାକାରଙ୍କୁ ୧୦ ହଜାର ଲେଖାଏଁ ସମ୍ମାନସୂଚକ ରାଶି 
ପ୍ରସ୍ତୁତ ହେବ ସ୍ବତନ୍ତ୍ର ‌ୱେବ୍‌ସାଇଟ୍‌
ୟୁନେସ୍କୋ ଇନ୍‌ଟାଞ୍ଜିବୁଲ୍ କଲଚରାଲ୍ ହେରିଟେଜ୍‌ର ମାନ୍ୟତା ପାଇଁ ଉଦ୍ୟମ

ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ, ଧନୁଯାତ୍ରା ହେଉଛି ଓଡ଼ିଆ ଅସ୍ମିତାର ଜୟଯାତ୍ରା। ଏହାର ବ୍ୟାପକ ପ୍ରଚାର-ପ୍ରସାର ନିମନ୍ତେ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଥମ ଥର ପାଇଁ ଏଲ୍‌ଇଡି ପରଦା ମାଧ୍ୟମରେ ରାଜଧାନୀ ଭୁବନେଶ୍ୱର ସମତେ ଓଡ଼ିଶାର ବିଭିନ୍ନ ପ୍ରମୁଖ ସ୍ଥାନମାନଙ୍କରେ ଧନୁଯାତ୍ରାର ସିଧାପ୍ରସାରଣ କରାଯିବାର ବ୍ୟବସ୍ଥା କରାଯାଇଛି। ଧନୁଯାତ୍ରା ଚାଲୁଥିବା ସମୟରେ ପ୍ରବାସୀ ଭାରତୀୟ ଦିବସ ମଧ୍ୟ ଅନୁଷ୍ଠିତ ହେଉଥିବାରୁ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ବ୍ୟକ୍ତିମାନେ ମଧ୍ୟ ଏଲ୍‌ଇଡି ପରଦାରେ ଏହି ଭବ୍ୟ ଯାତ୍ରାର ଐତିହ୍ୟ ଏବଂ ବିଶେଷତ୍ବ ସମ୍ବନ୍ଧରେ ଅବଗତ ହୋଇପାରିବେ। ଏଥି ସହିତ ଧନୁଯାତ୍ରା ମହୋତ୍ସବ-୨୦୨୫ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ୱେବସାଇଟ ମଧ୍ୟ କରାଯାଉଛି। ସେଥିରେ ଧନୁଯାତ୍ରାର ଚିତ୍ରାୟନ, ପ୍ରାମାଣିକ ଦସ୍ତାବିଜ, ସମସ୍ତ ଦୃଶ୍ୟାବଳୀ, ସହରରେ ଥିବା ପ୍ରମୁଖ ହୋଟେଲ, ପାର୍କିଂ ସ୍ଥାନ, ମହୋତ୍ସବ ସ୍ଥାନ ସମ୍ବନ୍ଧୀୟ ବିବରଣୀ ଏବଂ ଜିପିଏସ୍‌ ସିଷ୍ଟମକୁ ମଧ୍ୟ ସ୍ଥାନିତ କରାଯିବ, ଯାହା ଦ୍ୱାରା କି ସମସ୍ତ ଜନସାଧାରଣମାନେ ଅତି ସହଜରେ ତଥ୍ୟ ପାଇପାରିବେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଧନୁଯାତ୍ରା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ୱେବସାଇଟରେ ଏକ ଡିଜିଟାଲ କୁଇଜ ଆୟୋଜନ କରାଯାଇ ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରାଯିବ। 

ମନ୍ତ୍ରୀ ଆହୁରି କହିଛନ୍ତି, ଧନୁଯାତ୍ରାକୁ ୟୁନେସ୍କୋ ଇନଟାଞ୍ଜିବୁଲ୍ କଲଚରାଲ୍ ହେରିଟେଜ୍‌ର ମାନ୍ୟତା ପ୍ରଦାନ କରିବା ନିମନ୍ତେ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ। ଧାରାବାହିକରେ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ତଥା ସାଂସଦ ଅରୁଣ ଗୋଭିଲ ଓ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ନୀତିଶ ଭାରଦ୍ୱାଜ, ମଥୁରାର ସାଂସଦ ହେମାମାଳିନୀଙ୍କୁ ମଧ୍ୟ ଧନୁଯାତ୍ରାରେ ଆମନ୍ତ୍ରିତ କରାଯିବ। ଏଥି ସହ ଧନୁଯାତ୍ରାକୁ ସୁଚାରୁରୂପେ ସମ୍ପାଦନ କରିବା ନିମନ୍ତେ ସମସ୍ତ ପ୍ରଶାସନିକ ଓ ଆନୁଷ୍ଠାନିକ ବ୍ୟବସ୍ଥାକୁ  ସୁନିଶ୍ଚିତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe