ଗୋଟିଏ ଦିନରେ ୪ ଶିଶୁ ମୃତ

ଗୋଟିଏ ଦିନରେ ୪ ଶିଶୁ ମୃତ

foxnews.com

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ବତନ୍ତ୍ର ନବଜାତ ଶିଶୁ ଯତ୍ନ ବିଭାଗ(ଏସ୍‌ଏନ୍‌ସିୟୁ)ରେ ସୋମବାର ଦିନ ଚାଲି ଯାଇଛି ୪ଟି ନିଷ୍ପାପ ଜୀବନ। ମାତ୍ର କେଇ ଘଣ୍ଟା ମଧ୍ୟରେ ଜଣେ ପରେ ଜଣେ ନବଜାତ ଶିଶୁ ଆଖି ବୁଜିଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ କିନ୍ତୁଏହି ମାମଲାକୁ ‌ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା ଚଲାଇଛନ୍ତି।

ସୂଚନା ଅନୁସାରେ, ଦେବଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଅଂଚଳର ନୀଳମାଧବ ବିଶ୍ବାଳ ଓ ସସ୍ମିତା ବିଶ୍ବାଳ ତାଙ୍କ ନବଜାତ ଶିଶୁକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରିଥିଲେ। ସୋମବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଚଗଳା ବେହେରା ଓ ବାସନ୍ତୀ ବେହେରା, ବନ୍ତଳାର ଦୀପକ ନାୟକ ଓ ଝରଣା ନାୟକ ଏବଂ ଠାକୁରଗଡ଼ର ଆଲୋକ ନାୟକ ଓ ଲକ୍ଷ୍ମୀ ନାୟକ ବି ସେମାନଙ୍କ ନବଜାତ ଶିଶୁଙ୍କୁ ଏହି ୱାର୍ଡରେ ଭର୍ତ୍ତି କରିଥିଲେ। ମାତ୍ର ଅଳ୍ପ କେଇ ଘଣ୍ଟାର ବ୍ୟବଧାନରେ ଆଗପଛ ହୋଇ ଏହି ୩ ଦମ୍ପତିଙ୍କର ନବଜାତ ଶିଶୁମାନେ ବି ଆରପାରିକୁ ଚାଲିଗଲେ। ଏସ୍‌ଏନ୍‌ସିୟୁରେ ଭେଣ୍ଟିଲେଟର ବ୍ୟବସ୍ଥା କାର୍ଯ୍ୟକ୍ଷମ ଥିଲେ, ହୁଏତ ଏଭଳି ହୋଇନଥାନ୍ତା ବୋଲି କୁହାଯାଉଛି। ତେବେ ଗୋଟିଏ ଦିନରେ ୪ ଜଣ ଶିଶୁଙ୍କର ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ସେ ସଂପର୍କରେ ବିଭାଗୀୟ ଡାକ୍ତର ଓ କର୍ମଚାରୀ କେହି ମୁହଁ ଖୋଲୁ ନାହାନ୍ତି। ଚିକିତ୍ସାରେ ଅବହେଳା ଯୋଗୁଁ ଏହି ନବଜାତ ଶିଶୁମାନଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଏସ୍‌ଏନ୍‌ସିୟୁ ଦାୟିତ୍ବରେ ଥିବା ଡାକ୍ତର ନନ୍ଦକିଶୋର ସାହୁଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ। ସେହିପରି ଏଡି‌ଏମ୍ଓ(ମେଡିକାଲ) ଡାକ୍ତର ଲକ୍ଷ୍ମୀ ନାରାୟଣ ବିଶୋଇଙ୍କ ମୋବାଇଲ ଫୋନକୁ କଲ୍‌ କରିଯାଇଥିଲା। ମାତ୍ର ଡାକ୍ତର ବିଶୋଇ ଫୋନ୍‌ ନଉଠାଇବାରୁ ତାଙ୍କ ପ୍ରତିକ୍ରିୟା ନିଆଯାଇ ପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe