ଖାଦ୍ୟରେ ବିଷକ୍ରିୟା: ସପ୍ତମ ଶ୍ରେଣୀ ଛାତ୍ର ମୃତ, ୧୩ ଅସୁସ୍ଥ

୨ ଶିକ୍ଷକ ନିଲମ୍ବିତ

ଖାଦ୍ୟରେ ବିଷକ୍ରିୟା: ସପ୍ତମ ଶ୍ରେଣୀ ଛାତ୍ର ମୃତ, ୧୩ ଅସୁସ୍ଥ

ଡାବୁଗାଁ : ଖାଦ୍ୟରେ ବିଷକ୍ରିୟା ଯୋଗୁଁ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ମାଳିଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି ଓ ୧୩ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଅନ୍ୟ ୩୯ଜଣ ଛାତ୍ରଛାତ୍ରୀ ଭୟରେ ହଷ୍ଟେଲ ଛାଡି ଘରକୁ ଚାଲି ଯାଇଥିବା ସୂଚନା ମିଳିଛି। ସ୍କୁଲର ପ୍ରଧାନ ଶିକ୍ଷକ ଓ ହଷ୍ଟେଲ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ମୃତ ଛାତ୍ର ଗୁରୁବନ୍ଧ ଭତରା ଡାବୁଗାଁ ଥାନା ଅନ୍ତର୍ଗତ ଗିର୍ଲା ଗ୍ରାମର ରାମ ଭତରାଙ୍କ ଏକମାତ୍ର ପୁଅ ଥିଲେ। ପୁଅର ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏହି ପରିବାରକୁ ରେଡକ୍ରସ ପକ୍ଷରୁ ୧୦ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ପ୍ରଦାନ କରାଯାଇଛି।

ସୂଚନା ଅନୁଯାୟୀ, ମାଳିଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରେ ୬୩ଜଣ ଛାତ୍ରଛାତ୍ରୀ ରହି ପଢୁଛନ୍ତି। ଗତକାଲି ରାତିରେ ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ ଡାଲମା ଓ ଭାତ ଖାଇବାକୁ ଦିଆଯାଇଥିଲା। ତେବେ ଖାଦ୍ୟ ଖାଇବାର କିଛି ସମୟ ପରେ ୩ଜଣ ଛାତ୍ରଙ୍କୁ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ସ୍କୁଲ କର୍ତୃପକ୍ଷ ୩ଜଣ ଛାତ୍ରଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ଆଜି ସକାଳେ ଆଉ ୧୧ଜଣ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହେବାରୁ ସମସ୍ତଙ୍କୁ ଡାବୁଗାଁ ମେଡିକାଲରେ ଭର୍ତି କରାଯାଇଥିଲା। ତେବେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ହିଁ ସପ୍ତମ ଶ୍ରେଣୀ ଛାତ୍ର ଗୁରୁବନ୍ଧୁଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ। ଚିକିତ୍ସା ପରେ ଅନ୍ୟ ୧୩ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe