Shutterstock
ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର-ଚନ୍ଦାହାଣ୍ଡି ମୁଖ୍ୟରାସ୍ତାରେ ମର୍ମନ୍ତୁଦ ବାଇକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ରଖହରି ବାଘ (୪୮)। ଗୁରୁତର ଜଣକ ହେଲେ କ୍ଷୀରସିନ୍ଧୁ ପୂଜାରୀ (୨୬)। ପରିବାର ଲୋକେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଡାକ୍ତରଖାନା ଯାଇ ପୁଲିସ ଶବ ଜବତ କରିଛି। ଗୁରୁତର କ୍ଷୀରସିନ୍ଧୁଙ୍କୁ ଅଧିକା ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଥିବା ନେଇ ଡାକ୍ତର ମନୀଷ କୁମାର ପୁରୋହିତ ପ୍ରକାଶ କରିଛନ୍ତି। ମୃତକ ଜଣେ ଗରିବ ଶ୍ରେଣୀର ହୋଇ ଥିବାରୁ କ୍ଷତିପୂରଣ ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।
ସୂଚନା ମୁତାବିକ ଶରଧାପୁର ଗ୍ରାମର ରଖହରି ବାଘ ରାସ୍ତା ପାଖରେ ଥିବା ତାଙ୍କ ବିଲରେ ଚଣା ଫସଲ ଜଗିବା ପାଇଁ ଚନ୍ଦାହାଣ୍ଡି ଶରଧାପୁର ମୁଖ୍ୟରାସ୍ତାରେ ନିଜ ବାଇକ ନିକଟରେ ଠିଆ ହୋଇଥିଲେ। ମହୁଳପଡ଼ାର କ୍ଷୀରସିନ୍ଧୁ ପୂଜାରୀ ସ୍କୁଟି ଯୋଗେ ଦୋକାନକୁ ଆସୁଥିଲେ। କ୍ଷୀରସିନ୍ଧୁ ଭାରସାମ୍ୟ ହରାଇ ଠିଆ ହୋଇଥିବା ରଖହରି ବାଘଙ୍କୁ ଧକ୍କା ଦେବା ଫଳରେ ତାଙ୍କ ବାମ ଗୋଡ଼ର ହାଡ଼ ବାହାରି ଯାଇଥିଲା। ଏପଟେ କ୍ଷୀରସିନ୍ଧୁ ସ୍କୁଟି ସହ ମୁହଁ ମାଡ଼ି ତଳେ ପଡ଼ି ଯିବା ଫଳରେ ତାଙ୍କର ମୁହଁ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗି ସେଠାରେ ଅଚେତ ହୋଇ ଯାଇଥିଲେ। ସେଠାରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମନୀଷ କୁମାର ପୁରୋହିତ ରଖହରିଙ୍କୁ ମୃତ ଘୋଷଣା କରିଥିଲେ।
ମୃତକଙ୍କ ଭାଇ ତନୁରାମ ବାଘ ଚନ୍ଦାହାଣ୍ଡି ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଡାକ୍ତରଖାନାରୁ ଶବ ଜବତ କରିଥିବା ବେଳେ ପରିବାର ଲୋକେ କ୍ଷତିପୂରଣ ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଅଡ଼ି ବସିଛନ୍ତି। ଘଟଣାର ତଦନ୍ତ ଏସ୍ଆଇ ଖଗେଶ୍ୱର ଖୋସଲା କରୁଛନ୍ତି। ମୃତକ ଜଣେ ଗରିବ ଶ୍ରେଣୀର ଲୋକ ହୋଇ ଥିବାରୁ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି।
Follow Us