ବରଗଡ଼: ସ୍ପଷ୍ଟ ଦିବାଲୋକରେ ଲୁଟ୍ କରିବା ଲୁଟେରାମାନଙ୍କ ପାଇଁ ମହଙ୍ଗା ପଡ଼ିଛି। ତିନି ଜଣ ଲୁଟେରାଙ୍କୁ ଉତ୍ତେଜିତ ଲୋକେ ପିଟିପିଟି ଲହୁଲୁହାଣ କରିଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ଦ୍ବାରା ନିସ୍ତୁକ ମାଡ଼ ଖାଇଥିବା ଲୁଟେରାମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ଫଳରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅଧୀନ ସାହୁଟ୍ରିକାରେ ଆଜି ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ବିଜୟ ବାଗ। ଗୁରୁତର ବ୍ୟକ୍ତିମାନଙ୍କ ନାମ ସୁରଜ କର୍ମୀ ଓ ଭିକୁ ଜାଲ।
ସୂଚନା ଅନୁସାରେ ବରଗଡ଼ ଗ୍ରାମାଞ୍ଚଳ ଥାନା ଅଧିନ ସାହୁଟ୍ରିକା ନିକଟରେ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୧ଟାରେ ବିଜୟ ବାଗ, ସୁରଜ କର୍ମୀ ଓ ଭିକୁ ଜାଲଙ୍କ ସମେତ ମୋଟ ୪ ଜଣ ଲୁଟେରା କଲେଜରୁ ଫେରୁଥିବା ଛାତ୍ରଙ୍କୁ ଟାର୍ଗେଟ କରିଥିଲେ। ପିଲାମାନଙ୍କ ଠାରୁ କିଛି ମୋବାଇଲ ଛଡ଼ାଇ ନେଇଥିଲେ। କିନ୍ତୁ ପିଲାମାନେ କୌଶଳକ୍ରମେ ଲୁଟେରାମାନଙ୍କ ଠାରୁ ସୁରକ୍ଷିତ ଭାବେ ଖସି ଆସି ପରିବାର ଲୋକଙ୍କ ଆଗରେ ଘଟଣା ସଂପର୍କରେ କହିଦେଇଥିଲେ।
ଏହା ପରେ ପରିବାର ଲୋକଙ୍କ ସହିତ ଗ୍ରାମର କିଛି ଲୋକ ଘଟଣାସ୍ଥଳକୁ ଯାଇ ଲୁଟେରା ଗ୍ୟାଙ୍ଗର ୩ ଜଣ ସଦସ୍ୟ ବିଜୟ ବାଗ, ସୁରଜ କର୍ମୀ ଓ ଭିକୁ ଜାଲଙ୍କୁ କାବୁ କରିଥିଲେ। କିନ୍ତୁ ଅନ୍ୟ ଜଣେ ଲୁଟେରା ଘଟଣାସ୍ଥଳରୁ ଖସି ଯାଇଥିଲା। ଗ୍ରାମବାସୀଙ୍କୁ ଦ୍ବାରା କାବୁ ହୋଇଥିବା ବିଜୟ ବାଗ, ସୁରଜ କର୍ମୀ ଓ ଭିକୁ ଜାଲଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା। ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯିବା ବେଳେ ବିଜୟ ବାଗଙ୍କର ମୃତ୍ୟୁ ହୋଇଥିଲା।
ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି। ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ଏହି ଘଟଣା ପରେ ସାହୁଟ୍ରିକାରେ ପୁଲିସର ଭୟ ଦେଖାଯାଇଛି। ମାଡ଼ମାରିଥିବା ଲୋକେ ଅନ୍ୟତ୍ର ପଳାୟନ କରିଛନ୍ତି।
Follow Us