ବସ୍‌ ଧକ୍କାରେ ଜଣେ ମୃତ, ପ୍ରତିବାଦରେ ରାସ୍ତାରୋକ

Advertisment
ବସ୍‌ ଧକ୍କାରେ ଜଣେ ମୃତ, ପ୍ରତିବାଦରେ ରାସ୍ତାରୋକ

ଦଶରଥପୁର : ମଙ୍ଗଳପୁର ଥାନା ଅନ୍ତର୍ଗତ କୁଆଖିଆ-କୟାଁଗୋଲା ୨୦ ନମ୍ବର ଜାତୀୟ ରାଜପଥର ଖାନନଗର ପଞ୍ଚାୟତ ଲାଲବାଗ ଛକ ନିକଟରେ ଆଜି ସକାଳେ ଏକ ବସ୍‌ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ଏହି ଥାନା ଅନ୍ତର୍ଗତ ଲାଲବାଗ୍‌ ଗ୍ରାମର ଦୟାନିଧି ମଲ୍ଲିକ(୫୮)। ସୂଚନା ଅନୁଯାୟୀ, ଦୟାନିଧି ଆଜି ସକାଳେ ଏହି ରାସ୍ତାରେ ସାଇକଲ୍‌ରେ ଯାଉଥିଲେ। କୟାଁଗୋଲାରୁ ଭୁବନେଶ୍ୱର ଯାଉଥିବା ପ୍ରଧାନ ଆଣ୍ଡ ପ୍ରଧାନ ନମ୍ବର(ଓଡି-୦୫-ଏଜେ-୮୬୨୯) ବସ୍‌ ତାଙ୍କୁ ଲାଲବାଗ ଛକ ନିକଟରୁ କିଛି ଦୂରରେ ପଛପାଖରୁ ଧକ୍କା ଦେଇଥିଲା। ଫଳରେ ଦୟାନିଧିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

publive-image

ତାଙ୍କ ସାଇକଲ୍‌ଟି ବସ୍‌ ଚକରେ ଲାଗି ପ୍ରାୟ ୧ କି.ମି. ଦୂର ଖାନନଗର ଛକ ପର୍ଯ୍ୟନ୍ତ ଘୋଷାରି ହୋଇଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତଦେହ ରଖି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ। ଫଳରେ ଗାଡ଼ି ମୋଟର ଚଳାଚଳ ବନ୍ଦ ହୋଇଯାଇଥିଲା। ଶୈବପୀଠ ଆଖଣ୍ଡଳମଣୀକୁ ଯାଉଥିବା କାଉଡ଼ିଆମାନେ ବହୁ ସମୟ ଧରି ଅଟକି ରହିଥିଲେ। ମଙ୍ଗଳପୁର ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ରେଡକ୍ରସ ପକ୍ଷରୁ କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା। ଏସମ୍ପର୍କରେ ମଙ୍ଗଳପୁର ଥାନା କେସ୍ ନମ୍ବର ୪୨୨/୨୨ ରେ ଏକ ମାମଲା ରୁଜୁ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ବସ୍‌ଟିକୁ ଚଳାଉଥିବା ହେଲପର୍‌ ଦୁର୍ଘଟଣା ପରେ ବଉଳାଙ୍ଗ ଛକରେ ଗାଡ଼ି ରଖି ଫେରାର ହୋଇଯାଇଥିଲା। ପ୍ରକାଶ ଯେ, ବହୁଦିନ ହେଲା ସମ୍ପୃକ୍ତ ବସ୍‌କୁ ମଙ୍ଗଳପୁର ଠାରୁ କୟାଁଗୋଲା ପର୍ଯ୍ୟନ୍ତ ଡ୍ରାଇଭର ବଦଳରେ ହେଲପର ଚଳାଉଥିବା କିଛି ଯାତ୍ରୀ କହିଛନ୍ତି। ଅନଭିଜ୍ଞ ହେଲପରକୁ ଡ୍ରାଇଭର ଗାଡ଼ି ଛାଡ଼ି ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି ବୋଲି ଅଭିଯ‌ୋଗ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ଲୋକେ ଓ ବହୁ ଯାତ୍ରୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe