new indian express
ବାଲିଶଙ୍କରା: କିଞ୍ଜିରକେଲା ଥାନା ଅନ୍ତର୍ଗତ ଜବଳାଡିହି ଗ୍ରାମରେ କାଳବୈଶାଖୀ କୁଆପଥର ମାଡ଼ରେ ଜଣକର ଜୀବନ ଯାଇଛି। ମୃତକଜଣକ ତିଲଡେଗା ପଞ୍ଚାୟତ ଜବଳାଡିହି ଗ୍ରାମର ଶ୍ରଦ୍ଧାକର ପୂଜାରୀ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ସୂଚନା ଅନୁସାରେ, ଶ୍ରଦ୍ଧାକରଙ୍କ ପୁଅ ଓ ବୋହୂ ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କର ଭଲମନ୍ଦ ଦେଖିବାକୁ ସୁନ୍ଦରଗଡ଼ ଯାଇଥିଲେ। ସେମାନଙ୍କୁ ଦେଖାକରି ଘରକୁ ଫେରୁଥିଲେ। କିଞ୍ଜିରକେଲାରୁ ଚାଲିଚାଲି ଜବଳାଡିହି ଗ୍ରାମକୁ ସନ୍ଧ୍ୟାରେ ଫେରୁଥିବା ସମୟରେ ହଠାତ୍ କାଳବୈଶାଖୀ ତାଣ୍ଡବ ରଚିଥିଲା।
କୁଆପଥର ମାଡ଼ରେ ରାସ୍ତାରେ ହିଁ ଶ୍ରଦ୍ଧାକର ଟଳିପଡ଼ିଥିଲେ। ସକାଳେ ରାସ୍ତାରେ ଯାଉଥିବା ଲୋକେ ତାଙ୍କ ମୃତଶରୀର ଦେଖିବାକୁ ପାଇଥିଲେ। କିଞ୍ଜିରକେଲା ପୁଲିସକୁ ଖବର ଦେବାପରେ ପୁଲିସ ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତାଙ୍କ ମୃତ୍ୟୁ ବଜ୍ରାଘାତ କିଂବା କୁଆପଥର ମାଡ଼ରେ ହୋଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡ଼ିବ। କାଳବୈଶାଖୀ ଏତେ ଭୟଙ୍କର ଥିଲା ଯେ ଗଛଗୁଡ଼ିକ ଉପୁଡ଼ି ଯାଇଛି। ଏହା ସହ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି।
Follow Us