କଟକ/କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବଡ଼ସୁଆଁଳ ଗାଁରେ ଆଜି ସନ୍ଧ୍ୟାରେ ଦୋକାନରେ ବାଣ ଲାଗି ଗୁରୁତର ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ହେଲେ ଦୁଷ୍ମନ୍ତ ନାୟକ।
ସୂଚନାଯୋଗ୍ୟ, ବଡ଼ସୁଆଁଳ ଗାଁରେ ଥିବା ଏକ ବାଣ ଦୋକାନରେ ଆଜି ସନ୍ଧ୍ୟାରେ ବିସ୍ଫୋରଣ ଘଟିଥିଲା। ଏଥିରେ ନାବାଳକ ଓ ନାବାଳିକାଙ୍କ ସହ ୪ ଜଣ ଗୁରୁତର ହୋଇଥିଲେ ଏଥିରେ ବାପ-ପୁଅ ଦୁଷ୍ମନ୍ତ ନାୟକ ଓ ୯ ବର୍ଷର ନାବାଳକ ପ୍ରତୀକ ସାମିଲ ଥିଲେ। ଗୁରୁତରଙ୍କ ମଧ୍ୟରେ ୩ ଜଣ (ଜଗବନ୍ଧୁ ନାୟକ, ଦୁଷ୍ମନ୍ତ ନାୟକ ଓ ପ୍ରତୀକ) ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଢେଙ୍କାନାଳ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।
ବଡ଼ସୁଆଁଳ ଗାଁର ଦୋକାନରେ ବାଣ ବିକ୍ରି କରୁଥିବା ବେଳେ ହଠାତ ବାଣ ବିସ୍ଫୋରଣ ଘଟିଥିଲା। ବାଣ କିଣିବାକୁ ଆସିଥିବା ଗ୍ରାହକମାନେ ଗୁରୁତର ହୋଇଥିଲେ। ପ୍ରାୟ ୧୨ ଜଣ ଗ୍ରାହକ ଛିଡା ହୋଇ ବାଣ କିଣୁଥିବା ବେଳେ ଏ ବଡ଼ ଧରଣର ଅଘଟଣ ଘଟିଥିଲା। ଜୋରରେ ଆବାଜ ହେବା ଯୋଗୁଁ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଥିଲେ।
Follow Us