Sambad English
ଦେଓଗାଁ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଅନ୍ତର୍ଗତ ଡୁମେରଯୋର ଗାଁକୁ ଆସିଥିବା ବରଯାତ୍ରୀ ଦଳ ନିଜ ନିଜ ମଧ୍ୟରେ ମାଡ଼ପିଟ ହେବାରୁ ପିଙ୍କୁ ପାଣ୍ଡେ (୨୪ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ପୁଇନ୍ତଳା ଥାନା ଲେପଟା ଗାଁରୁ ଡୁମେରଯୋର ଗାଁକୁ ଗତ ଶୁକ୍ରବାର ରାତିରେ ବରଯାତ୍ରୀ ଦଳ ଆସିଥିଲେ। କିନ୍ତୁ ଗାଁରେ ବରଯାତ୍ରୀ ଶୋଭାଯାତ୍ରାର ନାଚଗୀତ ଆରମ୍ଭ ହେବା ପୂର୍ବରୁ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ମାଡ଼ପିଟ ଆରମ୍ଭ ହୋଇଥିଲା। ଏହି ମାଡ଼ପିଟରେ ଲେପଟା ଗାଁର ପିଙ୍କୁ ପାଣ୍ଡେ (୨୪ବର୍ଷ) ଗୁରୁତର ଆହତ ହୋଇ ପ୍ରାଣ ହରାଇଥିଲେ। ସାଙ୍ଗରେ ଆସିଥିବା ଲୋକମାନେ ବଲାଙ୍ଗୀର ଡାକ୍ତରଖାନାକୁ ନେଉଥିବା ବାଟରେ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବା କହୁଥିବା ବେଳେ ବରାତି ଆସୁଥିବା ବେଳେ ବାଟରେ ଗଣ୍ଡଗୋଳ ହୋଇ ମୃତ୍ୟୁ ହୋଇଛି ବୋଲି ଅନ୍ୟ ଏକ ଗୋଷ୍ଠୀ ପ୍ରକାଶ କରିଛନ୍ତି।
ଶୁକ୍ରବାର ରାତିରେ ପିଙ୍କୁଙ୍କ ମୃତ୍ୟୁ ହେଇଥିଲେ ବି ପୁଲିସକୁ କୌଣସି ସୂଚନା ଦିଆଯାଇ ନଥିବାରୁ ଘଟଣାକୁ ଚପାଇ ଦେବାର ଉଦ୍ୟମ ଚାଲିଥିବା ସନ୍ଦେହ କରାଯାଇଥିଲା। ମୃତ ଯୁବକଙ୍କ ବଡ଼ଭାଇ ସନ୍ତୋଷ ପାଣ୍ଡେ ଦେଓଗାଁ ଥାନାରେ ଅଭିଯୋଗ କଲା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ପଛରେ ପୂର୍ବ ଶତ୍ରୁତା ଥିବା ମଧ୍ୟ ଆଲୋଚନା ହେଉଛି। ଅଧିକ ତଦନ୍ତ କଲେ ଅସଲ କଥା ଜଣାପଡ଼ିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
Follow Us