ବରୀ : ପଡ଼ିଶା ଘର ଗଣ୍ଡଗୋଳ ତୁଟାଇବାକୁ ଯାଇ ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। ଯାଜପୁର ଜିଲ୍ଲା ବରୀ ଥାନା ରମ୍ପା ପଞ୍ଚାୟତର ରମ୍ପା ଗ୍ରାମରେ ଶୁକ୍ରବାର ସକାଳେ ଏହି ହତ୍ୟାକାଣ୍ଡ ଘଟିଛି। ମୃତବ୍ୟକ୍ତି ହେଉଛନ୍ତି ସେହି ଗାଁର ପ୍ରବୀର କୁମାର ଦାସ (୪୫)। ତାଙ୍କ ଭାଇ ପ୍ରଣବ କୁମାର ଦାସ ମଧ୍ୟ ଏହି ଘଟଣାରେ ଆହତ ହୋଇଛନ୍ତି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନାଅନୁସାରେ ରମ୍ପା ଗ୍ରାମର ଆନନ୍ଦ ସାହୁଙ୍କ ଘରକୁ ବାଲିଆ ଗ୍ରାମର ଅଲେଖ ଚନ୍ଦ୍ର ଜେନା ନିୟମିତ ଯିବାଆସିବା କରିଥାନ୍ତି। ତାଙ୍କୁ ପରିବାରର ମୁଖ୍ୟ ଆନନ୍ଦ ସାହୁ ବି​ରୋଧ କରିବାରୁ ଘରେ ଝଗଡ଼ା ଆରମ୍ଭ ହୋଇଥିଲା। ପୁଅ ହିମାଂଶୁ ସାହୁ, ବୋହୂ ବାସନ୍ତି ସାହୁ ଓ ଅଲେଖ ଜେନା ମିଳିତ ଭାବେ ଆନନ୍ଦଙ୍କୁ ମାଡ଼ ମାରିଥିଲେ। ମାଡ଼ମାରି ତାଙ୍କ କାନମୁଣ୍ଡ ଫଟାଇ ଦେବାରୁ ସେ ଚିତ୍କାର କରିଥିଲେ। ପାଟି ଶୁଣି ପଡ଼ିଶାଘର ଲୋକମାନେ ସେଠାରେ ପହଞ୍ଚିଥିଲେ। ପଡ଼ୋଶୀ ପ୍ରବୀର କୁମାର ଦାସ ଓ ତାଙ୍କ ଭାଇ ପ୍ରଣବ କୁମାର ଦାସ ଆହତ ଆନନ୍ଦଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ହିମାଂଶୁ ଏକ ଛୁରିରେ ପ୍ରବୀରଙ୍କ ପେଟକୁ ଭୁସି ଦେଇଥିଲା। ସେ ରକ୍ତଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ିଯାଇଥିଲେ। ସେହିପରି ଛୁରାମାଡ଼ରେ ପ୍ରଣବ ମଧ୍ୟ ଆହତ ହୋଇଥିଲେ। ଏ ଘଟଣା ପରେ ହିମାଂଶୁ, ବାସନ୍ତି ଓ ଅଲେଖ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ଗ୍ରାମବାସୀ ସେମାନଙ୍କୁ କାବୁ କରି ବରୀ ପୁଲିସକୁ ହସ୍ତାନ୍ତର କରିଛନ୍ତି।
ପ୍ରବୀରଙ୍କୁ ପ୍ରଥମେ ରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ତାଙ୍କ ପତ୍ନୀ ଉମାଲତା ଦାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହିମାଂଶୁ, ଅଲେଖ ଓ ବାସନ୍ତିଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ସାଇଣ୍ଟିଫିକ୍ ଟିମ୍ ଜରିଆରେ ତଦନ୍ତ ଆରମ୍ଭ କରାଯାଇଛି। ଘଟଣାସ୍ଥଳରେ ଡିଏସ୍ପି ପ୍ରମୋଦ କୁମାର ମଲ୍ଲିକ, ଇନ୍ସପେକ୍ଟର ଶ୍ରବଣ କୁମାର ମହାରଣା ଓ ବରୀ ଥାନା ଭାରପ୍ରାପ୍ତ ଅଧିକାରୀ ଚିତ୍ତରଂଜନ ଜେନା ପହଞ୍ଚି ତଦନ୍ତ କରିଛନ୍ତି। ସେପଟେ କଟକରୁ ପ୍ରବୀରଙ୍କ ମରଶରୀର ଆସୁଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।
Follow Us