କାଳବୈଶାଖୀର ତାଣ୍ଡବ: ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

କୁଆପଥର ମାଡ଼ରେ ଶତାଧିକ ଆଜବେଷ୍ଟସ ଘର ଛାରଖାର

କାଳବୈଶାଖୀର ତାଣ୍ଡବ: ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

Representative Image

ଆଳି:  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଆଜି କାଳବୈଶାଖୀ ତାଣ୍ଡବ ରଚିଛି। ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି।  ସଡକ ଦୁର୍ଘଟଣାରେ ଜଣେ ଯୁବକ ସମେତ ଗଛପଡ଼ି ଆଉଜଣେ ମହିଳା ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି। ମୃତ ବ୍ୟକ୍ତି ହେଲେ ଲକ୍ଷ୍ମୀଧର ଦାସ(୪୮)।

ଆଜି ଅପରାହ୍ନ ଆଜି ଅପରାହ୍ନ ୫ଟା ସମୟରେ ହଠାତ୍ ଧୂଳିଝଡ ଆରମ୍ଭ ହୋଇଯାଇଥିଲା। ପରେପରେ ବର୍ଷା, କୁଆପଥର ମାଡ଼ ଓ ଘନଘନ ବଜ୍ରପାତ ଘଟିଥିଲା।ମୁଗବିଲରେ କାମ କରୁଥିବା ଆଳିଥାନା କଳସପୁର ପଞ୍ଚାୟତ ଜେନାଭଳି ଗ୍ରାମର ୩ ଜଣ ଚାଷୀ ବର୍ଷା, ପବନ, ବଜ୍ରପାତ ଓ କୁଆପଥର ମାଡରୁ ରକ୍ଷା ପାଇବା ପାଇଁ ନିକଟସ୍ଥ ଏକ ପଲାରେ ଆଶ୍ରୟ ନେଇଥିଲେ। ପଲାରେ ବଜ୍ରପାତ ଘଟିବାରୁ ଲକ୍ଷ୍ମୀଧର ଦାସଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଚାଷୀ ପିତାମ୍ବର ଦାସ ଓ କାର୍ତ୍ତିକ ଦାସ ବଜ୍ରାଘାତରେ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଅଛନ୍ତି। ମୃତ ଲକ୍ଷ୍ମୀଧରଙ୍କର ପତ୍ନୀ ଓ ୪ ଝିଅ ଅଛନ୍ତି।

ସେହିପରି ମହୁ ଗ୍ରାମର ରବୀନ୍ଦ୍ର ରାଉତଙ୍କ ପତ୍ନୀ ଶଶୀକଳା ରାଉତଙ୍କ ଉପରେ ଗଜଡାଳ ପଡ଼ିବାରୁ ଗୁରୁତର ଆହତ ହୋଇଛନ୍ତି। ମୂଳସାହି ଗ୍ରାମର ଅଜୟ ସାମଲ ଝଡ଼ପବନରେ ଆଳି ଡାକବଙ୍ଗଳା ଛକ ନିକଟ ରାସ୍ତା ଉପରେ ଓଲଟି ପଡିଥିବା ଏକ ପ୍ରଚାର ବୋର୍ଡରେ ପିଟି ହୋଇ ଗୁରୁତର ଆହତ ହୋଇଛନ୍ତି। କୁଆପଥର ମାଡ଼ ଯୋଗୁଁ ସହିରା, ଦହିଅଣ୍ଟା, ମଠସାହି ଗ୍ରାମର ପଞ୍ଚାନନ ଜେନା, ଶରତ ଜେନା, କୃଷ୍ଣଚନ୍ଦ୍ର ଜେନା, କପିଳେନ୍ଦ୍ର ଜେନା, ପ୍ରଶାନ୍ତ ଜେନା, ବିଚିତ୍ର ଜେନା, ଗଗନ ପାତ୍ର, ଭୀମସେନ ପାତ୍ର, ବିପିନ ବିହାରୀ ପାତ୍ର, ମହେଶ୍ବର ପ୍ରଧାନ, ବିଘ୍ନେଶ ଜେନା, ନଗେନ୍ଦ୍ର ରାଉତ, ସତ୍ୟବ୍ରତ ଦାଶ, ଆଲୋକ ସାହୁ, ବାନାମ୍ବର ଜେନାଙ୍କ ଆଜବେଷ୍ଟସ ଘର ଗୁଡିକ ଭାଙ୍ଗି ଛାରଖାର ହୋଇଯାଇଛି। ବର୍ଷା ଓ କୁଆପଥର ମାଡ଼ କାରଣରୁ ବ୍ୟାପକ ଭାବେ ମୁଗ, ଦାଳୁଅ ଧାନ ଓ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe