image source-downtoearth.org.in
ତାଳଚେର : ଅନୁଗୁଳ ଜିଲ୍ଲାର ତାଳଚେରସ୍ଥିତ ନନ୍ଦିରା ଭୂତଳ କୋଇଲା ଖଣିରେ ଏକ କୋଇଲା ଅତଡ଼ା ଖସିବାରୁ ଘଟଣାସ୍ଥଳରେ ଜଣେ କର୍ମଚାରୀଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି। ଏଥିରେ ଜଣେ ଗୁରୁତର ବି ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ସବୁ ଦିନ ଭଳି ଆଜି ବି ୧୨ଜଣ କର୍ମଚାରୀ ପ୍ରଥମ ସିଫ୍ଟରେ ନନ୍ଦିରା ଭୂତଳ କୋଇଲା ଖଣିରେ ପ୍ରବେଶ କରିଥିଲେ। ସେଠାରେ ସକାଳ ୮ଟା ବେଳେ ଏକ କୋଇଲା ଅତଡ଼ା ଖସିବାରୁ ଘଟଣାସ୍ଥଳରେ ଜଣେ କର୍ମଚାରୀଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି। ମୃତ ବ୍ୟକ୍ତିଜଣକ ହେଲେ ଢେଙ୍କାନାଳ ଜିଲ୍ଲାର ଜିରାଳ ଗ୍ରାମର। ତାଙ୍କର ନାମ ଗଙ୍ଗାଧର ଦାସ(୫୭)। ସେ ଡ୍ରେସର ଭାବେ କାମ କରୁଥିବା ନେଇ ସୂଚନା ମିଳିଛି। ଅପରପକ୍ଷରେ ଗୁରୁତର ହୋଇଥିବା କର୍ମଚାରୀଙ୍କ ନାମ ନରେଶ ବିଶ୍ବାଳ ବୋଲି ଜଣାଯାଇଛି। ତାଙ୍କୁ ତାଳଚେରର ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେଠାରେ କାମ କରୁଥିବା ଅନ୍ୟ କର୍ମଚାରୀମାନଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କର କୌଣସି କ୍ଷତି ହୋଇ ନ ଥିବା କୁହାଯାଉଛି। ଖବର ପାଇ ଘଟଣାସ୍ଥଳରେ କୋଲିଆରି ଥାନା ପୁଲିସ୍ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ କରୁଥିବା ଜଣାଯାଇଛି।
Follow Us