ରିଲିଫ୍ ବେଳେ ଗଣ୍ଡଗୋଳ, ପୁଲିସ ମାଡ଼‌ରେ ଜଣେ ଆହତ, ପ୍ରତିବାଦରେ ରାସ୍ତାରୋକ

Advertisment
ରିଲିଫ୍ ବେଳେ ଗଣ୍ଡଗୋଳ, ପୁଲିସ ମାଡ଼‌ରେ ଜଣେ ଆହତ, ପ୍ରତିବାଦରେ ରାସ୍ତାରୋକ

ବିରିଡ଼ି : ଆଜି ବିରିଡ଼ିଠାରେ ଫନି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ୍‌ ବଣ୍ଟନ ବେଳେ ପୁଲିସ ମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଲୋକମାନେ ଟାୟାର୍‌ ଜାଳି ରାସ୍ତାରୋକ କରିଛନ୍ତି। ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ‌ମାମଲା ରୁଜ୍ଜୁ କରାଯିବା ସହ ତାଙ୍କୁ ଜଗତସିଂହପୁର ମୁଖ୍ୟାଳୟକୁ ପଠାଇ କରି ଦିଆଯାଇଛି।

ଖବର ମୁତାବକ, ଫନି ବାତ୍ୟାର କ୍ଷତିଗ୍ରସ୍ତଙ୍କୁ ଆଜି ବିରିଡ଼ି ତହସିଲ ପରିସରରେ ପଲିଥିନ୍‌ ବଣ୍ଟା ଯାଉଥିଲା। ଏହି ସମୟରେ କୁଳ କଇଜଙ୍ଗା ଗ୍ରାମର ପ୍ର‌ମୋଦ ମୁଦୁଲି(୩୫)ଙ୍କର ଜଣେ ଓଆଇଏସ୍‌ଏଫ୍ ଯବାନଙ୍କ ସହ ଯୁକ୍ତି ତର୍କ ଓ ହାତାହାତି ହୋଇଥିଲା। ପ୍ରମୋଦ ନିଶାସକ୍ତ ଥିଲେ ବୋଲି କହି ପୁଲିସ କର୍ମଚାରୀ ତାଙ୍କୁ ସେ ସ୍ଥାନ ଛାଡ଼ି ଚାଲିଯିବାକୁ କହିଥିଲେ। ସେ ନ ଶୁଣିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଓ ହାତାହାତି ହୋଇଥିଲା। ଏହା ପରେ ପୁଲିସ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ମାଡ଼ରେ ପ୍ରମୋଦଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବିରିଡ଼ି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା। ଲୋକମାନେ ତହସିଲ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିରିଡି ବିଡିଓ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ପ୍ରମୋଦଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଏକ ମାମଲା(୫୪/୧୯) ରୁଜ୍ଜୁ କରାଯିବା ସହ ତାଙ୍କୁ ଜଗତସିଂହପୁରକୁ ପଠାଇ ଦିଆଯାଇଛି। ଏହା ଉପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଆଇଆଇସି ପାରଓ ଟୁଡୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe