ଖୁଣ୍ଟୁଣୀ : ଆଜି ଅପରାହ୍ନରେ କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଘଣ୍ଟିଖାଲସ୍ଥିତ ଆରତି ଷ୍ଟିଲ୍ ପ୍ଲାଣ୍ଟର କୋଲଓ୍ଵାର୍ସରୀରେ ଦୁର୍ଘଟଣା ଘଟିଛି। କ୍ରେନ୍ ସଫା କରୁଥିବା ବେଳେ ୪୦ ଫୁଟ ଉପରୁ ଏକ ହପର ଛିଣ୍ଡି ପଡ଼ିବାରୁ ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ସ୍ଥାନୀୟ ନିଧିପୁର ଗ୍ରାମର ଇନ୍ଦ୍ରମଣି ସାହୁ (୫୩) ନାମକ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ କ୍ରେନ ଅପରେଟର ତଥା ଆରତି କର୍ମଚାରୀ କଟକ ବିଡାନାସୀ ଅଞ୍ଚଳର ସୂର୍ଯ୍ୟକାନ୍ତ ସାହୁ ଆହତ ହୋଇଛନ୍ତି। ସୂର୍ଯ୍ୟକାନ୍ତଙ୍କ ଡାହାଣ ହାତ ବୁଢ଼ା ଆଙ୍ଗୁଠି କଟିବା ସହିତ ତାଙ୍କର ଡାହାଣ ଗୋଡ଼ ଜଙ୍ଘରେ ଆଘାତ ଲାଗିଥିବାରୁ ତାଙ୍କୁ କଟକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପରିବାରର ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଘଣ୍ଟିଖାଲ-ନିଧିପୁର ଗ୍ରାମବାସୀ କମ୍ପାନିର ଉଭୟ ଫାଟକ ଆଗରେ ଧାରଣା ଦେଇଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଧାରଣାସ୍ଥଳରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୃତିବାସ ଜେନା, ଚୌଦ୍ୱାର ଏସ୍ଡିପିଓ ସତ୍ୟନାରାୟଣ ଦାସଙ୍କୁ ଭେଟି ମୃତକ ପରିବାରକୁ କ୍ଷତିପୂରଣ ନିମନ୍ତେ କାରଖାନା ସଭାପତି ଏଲ୍ଟିପି ନାରାୟଣ, ଅତିରିକ୍ତ ଉପସଭାପତି ଆର୍ଜେଶ ମିଶ୍ରାଙ୍କ ସହିତ କମ୍ପାନି ସମ୍ମିଳନୀ କକ୍ଷରେ ଆଲୋଚନା କରୁଥିବା ପ୍ରକାଶ।
ଆରତି ଷ୍ଟିଲ୍ରେ ଦୁର୍ଘଟଣା : ଶ୍ରମିକ ମୃତ, ଜଣେ ଆହତ; କ୍ଷତିପୂରଣ ଦାବିରେ କମ୍ପାନି ଫାଟକ ସମ୍ମୁଖରେ ଧାରଣା
Advertisment
Follow Us