ସ୍ବାଭିମାନ ଅଞ୍ଚଳରେ ମିଳିତ ଅପରେସନ : ଜଣେ ନକ୍ସଲ ନିହତ, ବିପୁଳ ସାମଗ୍ରୀ ଜବତ

ସ୍ବାଭିମାନ ଅଞ୍ଚଳରେ ମିଳିତ ଅପରେସନ : ଜଣେ ନକ୍ସଲ ନିହତ, ବିପୁଳ ସାମଗ୍ରୀ ଜବତ

Photo: Lalluram

ମାଲକାନଗିରି : ସହିଦ ସପ୍ତାହର ଦିନକ ପୂର୍ବରୁ ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ବଡ଼ ଅପରେସନ। ଓଡ଼ିଶା-ଆନ୍ଧ୍ର ପୁଲିସର ମିଳିତ ଚଢ଼ଉରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରୁ ବିପୁଳ ପରିମାଣର ସାମଗ୍ରୀ ମିଳିଛି। ତେବେ ଏହି ନକ୍ସଲ କ୍ୟାମ୍ପରେ ବହୁ ଟପ୍ କ୍ୟାଡର ମାଓନେତା ଥିଲେ। ସେମାନେ ଅନ୍ୟମାନଙ୍କୁ ଢାଲ କରି ଖସି ଯାଇଛନ୍ତି। ତେଣୁ ଶେଷ ଖବର ସୁଦ୍ଧା ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି।

ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବଡ଼ କ୍ୟାମ୍ପ କରିଥିଲେ ମାଓବାଦୀ। ସହିଦ ସପ୍ତାହ ପୂର୍ବରୁ ଏହି କ୍ୟାମ୍ପ କରାଯାଇଥିବାରୁ କିଛି ବଡ଼ ଧରଣର ଷଡ଼ଯନ୍ତ୍ର କରିଥିବା ଅନୁମାନ କରାଯାଉଛି। ତେବେ ଏ ନେଇ ଗୁଇନ୍ଦା ସୂଚନା ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ପୁଲିସକୁ ମିଳିଥିଲା। ଏହାପରେ ଦୁଇ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା କରି ଦୁଇ ପାର୍ଶ୍ବରୁ ଅପରେସନ ଆରମ୍ଭ ହୋଇଥିଲା। ଆଜି ସକାଳେ କ୍ୟାମ୍ପକୁ ଚାରିପଟୁ ସୁରକ୍ଷା କର୍ମୀମାନେ ଘେରିବା ପରେ ଟପ୍ କ୍ୟାଡର୍‌ ମାଓବାଦୀ ଏଠାରେ ଡେରା ପକାଇଥିବା ଦେଖିବାକୁ ପାଇଥିଲେ। କିନ୍ତୁ ଯବାନଙ୍କ ଆତର୍କିତ ଚଢ଼ଉ ପୂର୍ବରୁ ସେଣ୍ଟ୍ରି ଦାୟିତ୍ବରେ ଥିବା ଜଣେ ନକ୍ସଲ ଏନେଇ କ୍ୟାମ୍ପକୁ ସତର୍କ କରାଇ ଦେଇଥିଲା। ଯାହାଫଳରେ କ୍ୟାମ୍ପ ଛାଡ଼ି ଚାଲିଯିବାକୁ ମାଓବାଦୀ ଉଦ୍ୟମ କରିଥିଲେ। ଆଖିବୁଜା ଗୁଳି ଚଳାଇ ଖସି ଯିବାକୁ ପ୍ରୟାସ କରିଥିବା ବେଳେ କ୍ୟାମ୍ପକୁ ଘେରି ରହିଥିବା ସୁରକ୍ଷାକର୍ମୀ ମଧ୍ୟ ପାଲଟା ଜବାବ ଦେଇଥିଲେ। ବହୁ ସମୟ ଧରି ଗୁଳି ବିନିମୟ ପରେ ମାଓବାଦୀ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ।

ସର୍ଚ୍ଚ ଅପରେସନ ସମୟରେ ଜଣେ ନିହତ ମାଓବାଦୀର ଶବ ଠାବ ହୋଇଥିଲା। ମୃତକଙ୍କ ପରିଚୟ ଜଣାପଡ଼ି ନଥିବା ବେଳେ ସୁରକ୍ଷା କର୍ମୀ ଶବ କ୍ୟାମ୍ପକୁ ନେଇ ଆସୁଥିବା ସୂଚନା ମିଳିଛି। ସେହିପରି ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର, ଦୈନନ୍ଦିନ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ଘଟଣାସ୍ଥଳରୁ ମିଳିଛି। ଅନ୍ୟପକ୍ଷରେ ଖସି ଯାଇଥିବା କ୍ୟାଡର ମାଓବାଦୀଙ୍କ ପିଛା କରି ବହୁ ସଂଖ୍ୟାରେ ଯବାନ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଶେଷ ଖବର ସୁଦ୍ଧା ଯବାନମାନେ କ୍ୟାମ୍ପକୁ ଫେରି ନଥିବା ସୂଚନା ମିଳିଛି। ଏହି ଅପରେସନ ମାଓବାଦୀଙ୍କୁ ବଡ଼ କ୍ଷତି କରିଥିବା ବେଳେ ପୁଲିସ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି। ଆସନ୍ତାକାଲି ଏହି ଅପରେସନ ନେଇ ମାଲକାନଗିରି ପୁଲିସ ଏବଂ ବିଏସ୍‌ଏଫ ପକ୍ଷରୁ ସବିଶେଷ ତଥ୍ୟ ମିଳିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe