ପାଟଣାଗଡ଼: ପ୍ରସିଦ୍ଧ ହରିଶଙ୍କର ଓ ନୃସିଂହନାଥକୁ ଯାଏ ହେବାକୁ ଥିବା ରୋପ୍ୱେ ସଂଯୋଗ କରିବା ଦାବିରେ କୋଶଲ ମୁକ୍ତି ମୋର୍ଚାର କିଛି ସଦସ୍ୟ ହରିଶଙ୍କରଠାରେ ଜଳ ସତ୍ୟାଗ୍ରହ କରିଥିଲେ। ତେବେ ଜଳ ସତ୍ୟାଗ୍ରହରେ ସାମିଲ ଥିବା ଜଣେ ସଦସ୍ୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନିକଟସ୍ଥ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ତେବେ ମଙ୍ଗଳବାର ସକାଳୁ ସେମାନଙ୍କୁ ସମର୍ଥନ ଜଣାଉଥିବା ଲୋକେ ହରିଶଙ୍କର ମନ୍ଦିର ବନ୍ଦ କରିବା ସହ ଦୋକାନବଜାର ବନ୍ଦ କରି ଦେଇଥିବା ସୂଚନା ମିଳିଛି।
/sambad/media/post_attachments/wp-content/uploads/2022/10/18-8-750x430.jpg)
ସୋମବାର କୋଶଲ ରାଏଜ ମୁକ୍ତିମୋର୍ଚ୍ଚାର କର୍ମକର୍ତ୍ତାମାନେ ହରିଶଙ୍କର ମନ୍ଦିର ସ୍ଥଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜଳସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିଛନ୍ତି।ମୁକ୍ତିମୋର୍ଚ୍ଚା ପକ୍ଷରୁ କହାଯାଇଛି, ରାଜ୍ୟ ସରକାର ହରିଶଙ୍କରରୁ ନୃସିଂହନାଥ ଯାଏ ରୋପ୍ୱେ କରିବାକୁ ଘୋଷଣା କରିଥିଲେ। ଏହାପରେ ଅଂଚଳବାସୀ ବେଶ୍ ଖୁସି ହୋଇଥିଲେ। କାରଣ ବୈଶାଖ ମେଳା ସମୟରେ ହଜାର ସଂଖ୍ୟାରେ ଲୋକମାନେ ପାହାଡ଼ରେ ଚଢ଼ି ହରିଶଙ୍କରରୁ ନୃସିଂହନାଥ ଯାଉଥିଲେ। ଯେଉଁମାନେ ଚାଲି ଯାଇପାରୁ ନଥିଲେ ସେମାନେ ଗାଡ଼ିରେ ୧୧୦କିମି ବୁଲି ଯିବାକୁ ପଡୁଥିଲା। ରୋପୱେ ହୋଇଥିଲେ କମ ଦୂରତା ସହ ଆରାମରେ ଚାଲି ଯାଇ ପାରୁନଥିବା ଲୋକ ଯିବାଆସିବା କରିଥାନ୍ତେ। ଏପରିକି ପର୍ଯ୍ୟଟନସ୍ଥଳୀକୁ ବି ଆହୁରି ପର୍ଯ୍ୟଟକ ଆକର୍ଷିତ ହୋଇ ଯାଇଥାନ୍ତେ। କିନ୍ତୁ, ହଠାତ୍ ନିଷ୍ପତ୍ତି ନେଇ ଘୋଷଣା କରାଯାଇଥିଲେ ବି ଏବେ ସେହି ପ୍ରକଳ୍ପ ଆଉ ଆଗକୁ ହେବ ନାହିଁ ବୋଲି ଜଣାପଡ଼ିଲାଣି। ଏଣୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିବା ମୋର୍ଚ୍ଚା ପକ୍ଷରୁ କହାଯାଇଛି। ସୋମବାର ଆନ୍ଦୋଳନକାରୀମାନେ ବାଇକ୍ ଶୋଭାଯାତ୍ରାରେ ହରିଶଙ୍କର ପହଞ୍ଚି ସେଠାରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ ଜାରି ରଖିଛନ୍ତି। ରାଜ୍ୟ ସରକାର ରୋପ୍ୱେ ପ୍ରକଳ୍ପ କାମ ତୁରନ୍ତ ଆରମ୍ଭ କରନ୍ତୁ ବୋଲି ଦାବି କରାଯାଇଛି। ଆଜି ପ୍ରଶାସନିକ ଅଧିକାରୀମାନେ ଯାଇ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଆନ୍ଦୋଳନକାରୀମାନେ ଦାବି ପୂରଣ ଜିଦରେ ଅଟଳ ରହି ଆନ୍ଦୋଳନ ଜାରି ରଖିଛନ୍ତି। କୋଶଲ ମୁକ୍ତିମୋର୍ଚ୍ଚାର ସୁଶୀଲ ଗୁରୁ, ଡିଙ୍ଗର କୁମ୍ଭାର ଓ ଅନ୍ୟମାନେ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି।
Follow Us