ଜମିବାଡ଼ି ବିବାଦରୁ ଦେସାହିରେ ରକ୍ତାକ୍ତ ସଂଘର୍ଷ ୧ ମୃତ ୨ ଗୁରୁତର

ସରପଞ୍ଚଙ୍କ ସ୍ବାମୀ ଓ ସମିତି ସଦସ୍ୟଙ୍କ ନାଁରେ ଏତଲା

ଜମିବାଡ଼ି ବିବାଦରୁ ଦେସାହିରେ ରକ୍ତାକ୍ତ ସଂଘର୍ଷ ୧ ମୃତ ୨ ଗୁରୁତର

ଆଳି:ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଆଳିଥାନା ଦେସାହି ଗ୍ରାମରେ ଶନିବାର ଅପରାହ୍ନରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଫଳରେ ଗୋଟିଏ ପରିବାରର ବିପିନ ମଲିକ(୪୩)ଙ୍କ ମୃତ୍ୟୁ ଘଟିଥିବା ବେଳେ ନାରାୟଣ ମଲିକ ଓ ସୁଧିର ମଲିକ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଉଭୟଙ୍କୁ ଚିକିତ୍ସା ପାଇଁ ହସପିଟାଲକୁ ପଠାଯାଇଛି। ଆଳି ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାକାଣ୍ଡରେ ସଂପୃକ୍ତ ମାନଙ୍କୁ ଗିରଫ ପାଇଁ ଆଳିଥାନା ଅଧିକାରୀ ଦିଲୀପ ସାହୁ ପୁଲିସ ବାହିନୀ ସହ ଦେସାହି ଗ୍ରାମରେ ତନାଘନା କରୁଛନ୍ତି।

ଆହତ ସୁଧିର ମଲିକଙ୍କ ପତ୍ନୀ ନମିତା ମଲିକ ଆଳି ଥାନାରେ କରିଥିବା ଅଭିଯୋଗରେ ଜଣାଇଛନ୍ତି ଯେ,ଦେସାହି ଗ୍ରାମର ନାରାୟଣ ମଲିକଙ୍କ ପରିବାର ସହିତ ଅପରପକ୍ଷର ପ୍ରଭାକର ମଲିକ,ପାଣ୍ଡବ ମଲିକ ଓ ପ୍ରଫୁଲ୍ଲ ମଲିକ,ବାଘା ମଲିକ, ଶରତ ମଲିକ, ପଞ୍ଚୁ ମଲିକଙ୍କ ପରିବାରର ଦୀର୍ଘବର୍ଷ ହେଲା ଘରବାଡି ବିବାଦ ଲାଗି ରହିଥିଲା। ବିଭିନ୍ନ ସମୟରେ ଥାନା, କୋର୍ଟରେ ମାମଲା ହୋଇ ଡିହବାଡି ମାପଚୁପ ହେଉଥିଲେ ମଧ୍ୟ ବିବାଦ ତୁଟିବା ବଦଳରେ ବଢିବାରେ ଲାଗିଥିଲା। ଶନିବାର ସକାଳେ ମଧ୍ୟ ଉଭୟ ପକ୍ଷ ଥାନାକୁ ଆସି ମାପଚୁପ ପାଇଁ ସମ୍ମତି ଦେଇ ଯାଇଥିଲେ।

ଥାନାରୁ ଫେରିବା ପରେ ଦେସାହି ସରପଞ୍ଚଙ୍କ ସ୍ବାମୀ ମନୋଜ ଦାସ ଓ ସମିତି ସଦସ୍ୟ କୈଳାସ ବେହେରାଙ୍କ ନିର୍ଦ୍ଦେଶରେ ପ୍ରତିବାଦୀ ପକ୍ଷରୁ ପ୍ରଫୁଲ୍ଲ ମଲିକ, ପ୍ରଭାକର ମଲିକ, ଉମା ମଲିକ,ପଞ୍ଚାନନ ମଲିକ, ପାଣ୍ଡବ ମଲିକ, ଅଶୋକ ମଲିକ,କାଳନ୍ଦୀ ମଲିକ ପ୍ରମୁଖ ୧୮ ଜଣ ତାଙ୍କ ପରିବାର ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଘର ଭିତରେ ପଶି ଅଭିଯୁକ୍ତମାନେ ଭୂଜାଲି, ଫାର୍ସା, ଶାବଳ, ଲୁହାଛଡରେ ଅତର୍କିତ ଆକ୍ରମଣ କରିଥିଲେ। ମାରଣାସ୍ତ୍ର ଆକ୍ରମଣ ଫଳରେ ନମିତାଙ୍କ ଶ୍ବଶୁର ନାରାୟଣ ମଲିକ, ସାନ ଶ୍ବଶୁର ବିପିନ ମଲିକ ଓ ସ୍ବାମୀ ଗୁରୁତର ଆହତ ହୋଇ ସଂଜ୍ଞାହୀନ ହୋଇପଡିଥିଲେ। ଆହତ ମାନଙ୍କୁ ଚିକିତ୍ସା ପାଇଁ ଆଳି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ଦେବସ୍ମିତା ଶର୍ମା ବିପିନଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଆହତ ୨ଜଣଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରିଥିଲେ। ଏହି ଘଟଣାକୁ ନେଇ ଦେସାହି ଗ୍ରାମ ପୁରୁଷ ଶୂନ୍ୟ ହୋଇଯାଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ପୁଲିସ ଦେସାହି ଗ୍ରାମରେ ତନାଘନା ଚଢାଉ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe